ଦେଶ- ବିଦେଶ

ଇସ୍ରାଏଲରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଇରାନ୍, ଆରମ୍ଭ ହେବ ଯୁଦ୍ଧ !

Israel Iran War: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା । ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଇରାନ୍ କରୁଛି ପ୍ରସ୍ତୁତି । ଏଭଳି ସ୍ଥିତିରେ ଇସ୍ରାଏଲ୍ ପାଇଁ ଆଗକୁ ଆସିଲାଣି ତାର ମିତ୍ର ରାଷ୍ଟ୍ର ଆମେରିକା । ଭୂମଧ୍ୟ ସାଗରରେ ଯୁଦ୍ଧ ଜାହାଜଠାରୁ ଆରମ୍ଭ କରି ଲଢୁଆ ବିମାନ, ମିସାଇଲ୍, ଡେଷ୍ଟ୍ରୟର୍ ଆଦି ମୁତୟନ କରିଛି ପେଣ୍ଟାଗନ୍ ।
ମଧ୍ୟ ଏସିଆରେ ଯୁଦ୍ଧ ପାଇଁ ସଜବାଜ । ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଟକରା-ଟକରି ସ୍ଥିତି । ହିଜବୁଲ୍ଲ ଓ ହାମାସ୍‌ର ଦୁଇ ଟପ୍ ନେତାଙ୍କ ହତ୍ୟା ପରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଇରାନର ସଜବାଜ । ଯେ କୌଣସି ମୁହୁର୍ତ୍ତରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ ତେହେରାନ୍ । ଇସ୍ରାଏଲ୍‌କୁ ଆଉ କିଛି ମୁସଲିମ୍ ରାଷ୍ଟ୍ର ସମର୍ଥନ କରିବାକୁ ଆଗେଇ ଆସିଲେଣି । ସେପଟେ ଇସ୍ରାଏଲ୍ ପାଇଁ ଆଗକୁ ଆସିଲାଣି ଆମେରିକା । ଭୂମଧ୍ୟ ସାଗରକୁ ଫାଇଟର ଜେଟ୍ ପଠାଇଛି ପେଣ୍ଟାଗନ୍ ।

ପଡ଼ୋଶୀ ଦେଶରୁ ଥାଇ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଯୋଜନା ରଖିଛି ତେହେରାନ୍ । ଆକ୍ରମଣ ସୁନିଶ୍ଚିତ ଜାଣି ଆଲର୍ଟ ମୋଡ୍‌ରେ ଇସ୍ରାଏଲ୍‌ । ଇରାନ୍ ସୁପ୍ରିମ ଲିଡର୍ ଆୟାତୋଲ୍ଲା ଅଲ୍ ଖାମେନି, ଇସ୍ରାଏଲ୍ ଉପରେ ଜୋରଦାର୍ ଆକ୍ରମଣ ପାଇଁ ଚେତାବନୀ ଦେଇଥିବା ବେଳେ ଇସ୍ରାଏଲ୍ ପାଇଁ ପୂରା ପ୍ରସ୍ତୁତ ହେଲାଣି ତାର ମିତ୍ର ରାଷ୍ଟ୍ର ଆମେରିକା । ମଧ୍ୟପ୍ରାଚ୍ୟରେ ଟେନସନ୍ ଦେଖି ପେଣ୍ଟାଗନ୍ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଡେପୁଟି ପ୍ରେସ୍ ସେକ୍ରେଟାରୀ ସାବ୍ରିନା ସିଂହ । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହାମାସ୍ କରିଥିବା ପ୍ରଥମ ଆକ୍ରମଣକୁ ପଏଣ୍ଟ କରିଛି ୱାସିଂଟନ୍ ।

ପୂର୍ବରୁ ଭୂମଧ୍ୟ ସାଗରରେ ଆମେରିକା ଏୟାରକ୍ରାଫ୍ଟ କ୍ୟାରିଅର୍ ଜାହାଜ USS ଥିଓଡର୍ ରୋଜଭେଲ୍‌ଟ ମୁତୟନ କରିଥିଲା । ଏବେ ତାହା ବଦଳରେ ସେଠାରେ USS ଆବ୍ରାହମ୍ ଲିଙ୍କନକୁ ମୁତୟନ କରିଛି । ଏହା ସହିତ ଲଢୁଆ ଯୁଦ୍ଧ ବିମାନ, ବାଲିଷ୍ଟିକ୍ ମିସାଇଲ୍ ଏବଂ ଡେଷ୍ଟ୍ରୟର୍ ମଧ୍ୟ ପଟାଇଛି ପେଣ୍ଟାଗନ୍ ।

ଗତ ମଙ୍ଗଳବାର ବୈରୁଟରେ ଲେବାନନର ହିଜବୁଲ୍ଲା ନେତା ଫୁଆଦ୍ ସୁକର୍‌ଙ୍କୁ ହତ୍ୟା କରିବାର କେଇ ଘଣ୍ଟା ପରେ ତେହେରାନରେ ହାମାସ୍ ଲିଡର୍ ଇସ୍ମାଇଲ୍ ହାନିୟେଙ୍କୁ ହତ୍ୟା କରିଛି ଇସ୍ରାଏଲ୍ । ହାମାସ୍ ନେତା ହାନିୟେ ତେହେରାନରେ ରହୁଥିବା ନେଇ ପକ୍କା ଖବର ଦେଇଥିଲା ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ୍ । ଇରାନ ସୁରକ୍ଷାକର୍ମୀଙ୍କୁ ହିଁ ଏଜେଣ୍ଟ ବନାଇଥିଲା ଇସ୍ରାଏଲ୍ । ଗତ ମେ’ ମାସରେ ହାନିୟେଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା । ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ହାନିୟେ ଯାଇଥିବା ବେଳେ ସେହି ସମୟରେ ହିଁ ତାଙ୍କୁ ସଫା କରିଦେବାକୁ ପ୍ଲାନ କରିଥିଲା । ଅତ୍ୟଧିକ ଜନଗହଳି ଲାଗି ରହିଥିବାରୁ ଯୋଜନା କାର୍ଯ୍ୟକାରୀ କରି ନଥିଲା ଇସ୍ରାଏଲ୍ ।

ମୋସାଦ୍ ପାଇଁ ଇରାନ୍ ସେନାର ଦୁଇ ଜଣଙ୍କୁ ଧରିଥିଲା ଇସ୍ରାଏଲ୍ । ତେହେରାନରେ ଥିବା ଇରାନ୍ ରିଭୋଲ୍ୟୁସନାରୀ ଗାର୍ଡର ଗେଷ୍ଟ ହାଉସରେ ଥିଲେ ଇସମାଇଲ୍ ହାନିୟେ । ଆଉ ସେହି ଘରେ ମୋସାଦର ଇସାରାରେ ବିସ୍ଫୋରକ ଛାଇ ଦେଇଥିଲେ ଦୁଇ ଏଜେଣ୍ଟ । ମୋସାଦର ବିଭିନ୍ନ ବିଭାଗ ଥିବା ବେଳେ ଇରାନ, ଲେବାନନ, ସିରିୟା ଆଦି ଦେଶରେ ଏଜେଣ୍ଟ ମୁତୟନ କରି ରଖିଛି ଇସ୍ରାଏଲ୍ । ଶତ୍ରୁ ରାଷ୍ଟ୍ରଙ୍କ ନେତା ଉପରେ ଏଜେଣ୍ଟଙ୍କ ମାଧ୍ୟମରେ ଅତି ନିକଟରୁ ନଜର ରଖିଛି ଇସ୍ରାଏଲ୍ । ଆଉ ଯେତେବେଳେ ସୁବିଧା ସୁଯୋଗ ମିଳୁଛି, ସଙ୍ଗେ ସଙ୍ଗେ ସେହିଠାରେ ତାଙ୍କୁ ହତ୍ୟା କରୁଛି । ମୋସାଦର ସବୁଠାରୁ ସମ୍ବେଦନଶୀଳ ବିଭାଗ ହେଉଛି ମେଟସାଦା । ଏହି ବିଭାଗ କେବଳ ହାଇପ୍ରୋଫାଇଲ୍ ହତ୍ୟା କରିଥାଏ । ଇସ୍ମାଇଲ୍ ହାନିୟେ କେଉଁ ରୁମରେ ରହିବେ, ତାହା ନିଶ୍ଚିତ ନଥିଲେ ଦୁଇ ଇରାନୀ ଏଜେଣ୍ଟ । ଯେଉଁଥି ପାଇଁ ଏକାଧିକ ରୁମକୁ ସେମନେ ଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ବାହାରି ଆସିଥିଲେ । ସିସିଟିଭି ଫୁଟେଜରୁ ଇରାନ କର୍ତ୍ତୃପକ୍ଷ ଏହା ଜାଣିପାରିଛନ୍ତି ।

ବୈରୁଟରେ ଲେବାନନର ହିଜବୁଲ୍ଲା ନେତା ଫୁଆଦ୍ ସୁକର୍‌ଙ୍କୁ ହତ୍ୟା କରିଥିଲା ଇସ୍ରାଏଲ୍ । ଆଉ ବୁଧବାର ରାତି ପ୍ରାୟ ଦୁଇଟା ବେଳକୁ ଇରାନୀ ଏଜେଣ୍ଟଙ୍କ ମାଧ୍ୟମରେ ହାମାସ୍ ନେତା ଇସ୍ମାଇଲ୍ ହାନିୟେଙ୍କୁ କରିଛି ହତ୍ୟା । ରିମୋଟ୍ କଂଟ୍ରୋଲ ଦ୍ବାରା ବିସ୍ଫୋରଣ ଘଟାଇ ତାଙ୍କୁ ହତ୍ୟା କରାଯାଇଛି । ରାଜଧାନୀ ତେହେରାନରେ, ପୁଣି ଦେଶକୁ ଆସିଥିବା ଜଣେ ଅତିଥିଙ୍କୁ ହତ୍ୟା । ଯାହା ଇରାନର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁଥି ପାଇଁ ଇସ୍ରାଏଲକୁ ମୁହଁତୋଡ଼ ଜବାବ ଦେବାକୁ କଡ଼ା ଚେତାବନୀ ଦେଇଛି ଇରାନ ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନୀଭୂତ ହେଉଥିବା ବେଳେ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରିଛି ଭାରତୀୟ ଦୂତାବାସ । ଯେଉଁଥିରେ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟରେ ରହୁଥିବା ଭାରତୀୟ କୌଣସି ସହରକୁ ଗସ୍ତ କରୁଥିଲେ ସତର୍କତା ଅବଲମ୍ବନ କରନ୍ତୁ । ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଇରାନ ଓ ଇସ୍ରାଏଲ ମଧ୍ୟରେ ଯାତ୍ରା କାଳରେ ଏହି ଆଡଭାଇଜରି ପାଳନ ପାଇଁ କୁହାଯାଇଛି । ଯେଉଁ ପ୍ରବାସୀ ନାଗରିକ ଭାରତୀୟ ଦୂତାବାସରେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ନାମ ପଞ୍ଜୀକରଣ କରାଇନେବାକୁ ପରାମର୍ଶ ଦିଆଯାଇଛି । ମଧ୍ୟପ୍ରାଚ୍ୟର କୌଣସି ସହରକୁ ଅନାବଶ୍ୟକ ଗସ୍ତ ନକରିବାକୁ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ । ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ସେପଟେ ଇସ୍ରାଏଲ-ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଭିତରେ ବିମାନ ସେବା ପ୍ରଭାବିତ ହୋଇଛି । ଅନେକ ବିମାନର ଉଡ଼ାଣ ବାତିଲ ହୋଇଛି । ଅଗଷ୍ଟ ୮ ତାରିଖ ଯାଏ ତେଲଅଭିଭକୁ ସମସ୍ତ ବିମାନ ଉଡାଣ ବାତିଲ କରିଛି ଭାରତ । ଇରାନ ଓ ଲେବାନନ ଆକାଶ ମାର୍ଗ ଦେଇ ଯାଉଥିବା ବିମାନ ଗୁଡିକର ଉଡାଣ ମଧ୍ୟ ବାତିଲ ହୋଇଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button