ଦେଶ- ବିଦେଶ

ହମାସ ମୁଖ୍ୟଙ୍କୁ ମାରିବାରେ ଇରାନ ଏଜେଣ୍ଟଙ୍କ ହାତ, ଜାଣନ୍ତୁ ‘ମୋସାଦ କରିଥିଲା କିଭଳି ମାଷ୍ଟରପ୍ଲାନ୍ ?

ନୂଆଦିଲ୍ଲୀ,୩।୮: ଇରାନର ରାଜଧାନୀ ତେହରାନରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟେହଙ୍କୁ ଏତେ କୌଶଳକ୍ରମେ ଇସ୍ରାଏଲ ମାରିଥିଲା ଯେ, ପୁରା ଦୁନିଆ ପୁରା ଆଶ୍ଚର୍ଯ୍ୟ। ରିପୋର୍ଟ ଅନୁସାରେ, ଗେଷ୍ଟ ହାଉସ୍ରେ ଦୁଇ ମାସ ପୂର୍ବରୁ ବମ୍ ପ୍ଲାଣ୍ଟ କରାଯାଇଥିଲା। ଇସ୍ରାଏଲ ଗୁଇନ୍ଦା ଏଜେନ୍ସି ‘ମୋସାଦ’କୁ ଜଣାପଡିଥିଲା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ହାନିୟେହ ଇରାନ ନିଶ୍ଚିତ ଯିବେ ଓ ଏହି ଗେଷ୍ଟ ହାଉସ୍ରେ ରହିବେ।

ସେଭଳି ପୁରା ପ୍ଲାନରେ ‘ମୋସାଦ’ ଇରାନର ଏଜେଣ୍ଟଙ୍କୁ ବ୍ୟବହାର କରିଛି। ଏହି କାରଣରୁ ଇରାନ ନେତାଙ୍କ ଭିତରେ ଏବେ ଇସ୍ରାଏଲ ପ୍ରତି ଭୟ ବଢି ଯାଇଛି।

ଟେଲିଗ୍ରାଫ୍ର ଏକ ରିପୋର୍ଟ ଅନୁସାରେ, ‘ମୋସାଦ’ ଇରାନ ସୁରକ୍ଷାକର୍ମୀଙ୍କ ଏଜେଣ୍ଟଙ୍କୁ ବମ୍ ଲଗାଇବାକୁ ନିୟୋଜିତ କରିଥିଲା। ମଇରେ ଇରାନର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ଯେତେବେଳେ ହମାସ ଚିଫ୍ ଇରାନ ଆସିଥିଲେ, ସେତେବେଳେ ତାଙ୍କ ହତ୍ୟାର ଯୋଜନା କରାଯାଇଥିଲା। ତେବେ ଅଧିକ ଭିଡ କାରଣରୁ ଏହାକୁ ବାଦ୍ ଦିଆଯାଇଥିଲା। ମିଶନ୍ ଫେଲ୍ ହେବାର ଅଧିକ ଆଶଙ୍କା ଥିବାରୁ ପ୍ଲାନ୍ରେ ପରିବର୍ତ୍ତନ କରାଯାଇଥିଲା।

ବୁଧବାର ରାତିରେ ହାନିୟେହ ଯେଉଁ ରୁମ୍ରେ ଶୋଇଥିଲେ ସେଠାରେ ହୋଇଥିଲା ବଡ଼ ଧରଣର ବିସ୍ଫୋରଣ। ହାନିୟେହ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କର ମଧ୍ୟ ହୋଇଥିଲା ମୃତ୍ୟୁ। ‘ମୋସାଦ୍’ ପାଇଁ କାମ କରୁଥିବା ଦୁଇ ଇରାନୀ ଏଜେଣ୍ଟ ଏହାର ଖୁଲାସା କରିଛନ୍ତି।ସେମାନେ କହିଛନ୍ତି,ତିନୋଟି ଅଲଗା ଅଲଗା ରୁମ୍ରେ ବମ୍ ଲଗାଯାଇଥିଲା। ହାନିୟେହ ପୂର୍ବରୁ ମଧ୍ୟ ଏହି ଗେଷ୍ଟ ହାଉସ୍ରେ ରହିଥିଲେ, ତେଣୁ ମୋସାଦ ଜାଣିଥିଲା ଯେ, ପୁଣି ଥରେ ସେଠାରେ ସେ ରହିପାରନ୍ତି। ଯେଉଁ ରୁମ୍ରେ ପୂର୍ବରୁ ଥିଲେ ସେଠାରେ ରହିବାର ମଧ୍ୟ ସମ୍ଭାବନା ଥିଲା। ତେଣୁ ରିମୋଟ୍ କନଟ୍ରୋଲରେ ପରିଚାଳିତ ବମ୍ ଲଗାଇ ଦିଆଯାଇଥିଲା

ଉଲ୍ଲେଖନୀୟ ଯେ, ପାଶ୍ଚାତ୍ୟ ଦେଶରେ ସିଆଇଏ ପରେ ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସି ହେଉଛି ‘ମୋସାଦ୍’। ଏହାର ୭୦୦୦ ଏଜେଣ୍ଟ ଅଛନ୍ତି ଓ ବାର୍ଷିକ ବଜେଟ୍ ୩ ବିଲିୟନ ଡଲାର। ଏହାର ଇଣ୍ଟରନାଲ ଷ୍ଟ୍ରକଚରର ସୂଚନା ମଧ୍ୟ ଗୁପ୍ତ ରହିଥାଏ। ତା’ର ଏଜେଣ୍ଟ ପାଲେଷ୍ଟାଇନ୍ ସେନାରେ ନୁହେଁ ବଂର ଲେବାନନ୍, ସିରିୟା ଓ ଇରାନରେ ମଧ୍ୟ ଅଛନ୍ତି। ହାଇଲେବଲ ହତ୍ୟା ପାଇଁ ମୋସାଦର ମେତସାଦ ଡିଭଜନ୍ କାମ କରିଥାଏ। ଟେଲିଗ୍ରାଫର ସୂଚନା ଅନୁସାରେ, ଇରାନ ଅଧିକାରୀ ସର୍ଭିଲାନ୍ସ ଫୁଟେଜ୍ରେ ଦେଖାଇଛନ୍ତି, କିଭଳି ଏଜେଣ୍ଟ ଗେଷ୍ଟ ହାଉସରେ ପଶିଥାନ୍ତି ଓ କିଛି ମିନିଟରେ ଅଲଗା ଅଲଗା ରୁମ୍କୁ ଚାଲି ଯାଉଛନ୍ତି। ତୁରନ୍ତ ବମ୍ ବ୍ଳାଷ୍ଟ କରି ବାହାରକୁ ମଧ୍ୟ ଆସି ଯାଆନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button