ରାଜ୍ୟ

ଟୀକରଗଡ଼ିଆ ଅଙ୍ଗନୱାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ତାତିଲେ ଗ୍ରାମବାସୀ

ବୈଶିଙ୍ଗା: ଅଙ୍ଗନଓ୍ୱାଡି କର୍ମୀଙ୍କ ମନମୁଖୀ କାମ ସାଙ୍ଗକୁ ଦୀର୍ଘଦିନ ଧରି ଚଳାଇ ଆସିଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଶନିବାର ବେତନଟୀ ବ୍ଳକ ଅନ୍ତର୍ଗତ ନଡପୁର ପଞ୍ଚାୟତ ଅଧୀନ ଟିକରଗଡିଆ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଖବରପାଇ ପାଇ ସୁପରଭାଇଜର ଏବଂ ଆଖପାଖର ଅଙ୍ଗନୱାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି ।

ସୂଚନା ମୁତାବକ ଟିକରଗଡିଆର ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟରତ ନିଜ ସୁହାସିନୀ ସୋରେନ ନିଜର ଦାୟିତ୍ୱହୀନତା କାରଣରୁ ପୂର୍ବରୁ ଚର୍ଚ୍ଚାରେ ରହିଆସିଛନ୍ତି l ଏହିପରି ଭାବେ ପୂର୍ବରୁ ବାରମ୍ବାର ହୋଇଆସୁଥିବା ବେଳେ ଗତକାଲି ତାଙ୍କ ମନମୁଖୀ ଶାସନର ସବୁ ସୀମା ଟପିଯାଇଥିଲା l ଶନିବାର ସକାଳ ସ୍କୁଲ ଥିବାବେଳେ ଟିକରଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିଥିବା ଅଙ୍ଗନୱାଡି କେନ୍ଦ୍ରକୁ ଗ୍ରାମର ମାତ୍ର ୯ଜଣ କୁନିକୁନି ପିଲା ଆସିଥିଵାବେଳେ ସୁହାସିନୀ ଅଙ୍ଗନବାଡି ତାଲା ଖୋଲି ନଥିଲେ କି ବିଦ୍ୟାଳୟକୁ ଆସିନଥିଲେ l ଫଳରେ କେନ୍ଦ୍ର ସମ୍ମୁଖରେ ପିଲାମାନେ ବହିବସ୍ତାନି ନେଇ ଖରା ଗୁଳୁଗୁଳିରେ ଦୀର୍ଘସମୟ ଧରି ଅପେକ୍ଷାକରି ରହିଥିଲେ |

ଅନ୍ୟପଟେ ସେହି ସ୍କୁଲରେ ମଧ୍ୟାହ୍ନଭୋଜନ ସମୟ ହୋଇଯାଇଥିବାରୁ ସ୍କୁଲପିଲାମାନେ ଅଙ୍ଗନବାଡି ପିଲାଙ୍କ ସାମ୍ନାରେ ମଧ୍ୟାହ୍ନ ଭୋଜନ ଖାଉଥିବାର ଦେଖି କୁନିକୁନି ପିଲାମାନେ ବିଚଳିତ ହୋଇପଡିଥିଲେ l ବିଳମ୍ଭରେ ଖବରପାଇ ଅଙ୍ଗନଓ୍ବାଡିକର୍ମୀ ସୁହାସିନୀ ସୋରେନ ଆସି ୬ଟି ଅଣ୍ଡା ସିଝାଇବା ସହିତ ମାତ୍ର ଦୁଇଜଣ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳରେ ଭାତ ରାନ୍ଧିଥିଲେ l ଏପଟେ ଅଙ୍ଗନବାଡି ଖୋଲିବାରେ ଅହେତୁକ ବିଳମ୍ବ ସାଙ୍ଗକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିକରି ଦୀନବନ୍ଧୁ ମାଝୀଙ୍କ ଝିଅ ଲକ୍ଷ୍ମୀ ମାଝୀ, ଘନଶ୍ୟାମ ମାଝୀଙ୍କ ପୁଅ କହ୍ନେଇ ମାଝୀ ଏବଂ ଶଙ୍କର ମୁର୍ମୁଙ୍କ ଝିଅ ଶ୍ରାବଣୀ ମୁର୍ମୁ ଭୋକଜ୍ଵାଳାରେ ଆଉଟୁପାଉଟୁ ହୋଇ ଘରକୁ ଫେରିଯାଇଥିଲେ l ଯାହାକୁ ନେଇ ଶନିବାର ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା l ତେବେ ଶନିବାର ୯ଜଣ ପିଲା ଆସିଥିବା ବେଳେ ୬ଟି ଅଣ୍ଡା ସିଝାଇଥିବା ଏବଂ ଦୁଇଜଣ ପିଲାଙ୍କୁ ବି ପଯ୍ୟାପ୍ତ ନ ହୋଇପାରିବା ପରିମଣାର ଭାତ ରାନ୍ଧିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ l ଏହାପରେ ଭାତ, ଅଣ୍ଡାସିଝା ଓ ଆଳୁସିଝାକୁ ପିଲାଙ୍କୁ ଖାଇବାକୁ ନଦେଇ ସିଡିପିଓଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ l ଖବରପାଇ ସୁପରଭାଇଜର ଏବଂ ଆଖପାଖରୁ ଅନ୍ୟ ଅଙ୍ଗନୱାଡି କର୍ମୀ ପହଞ୍ଚିଵା ପରେ ଗ୍ରାମବାସୀ ସମସ୍ତଙ୍କ ସମ୍ମୁଖରେ ୬ଟି ସିଝାଅଣ୍ଡା ଏବଂ କିଭଳି ସ୍ଵଳ୍ପ ପରିମାଣର ଭାତ ରାନ୍ଧିଛନ୍ତି ତାହା ଦେଖାଇଥିଲେ । ତେବେ ମାସରେ ଅଧାରୁ ଅଧିକ ଦିନ ଟିକରଗଡିଆ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲୁ ନଥିବା, କିଶୋର ବାଳିକାଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସରକାରୀ ଯୋଜନା ଓ ସହାୟତାରୁ ବର୍ଷବର୍ଷ ଧରି ବଞ୍ଚିତ ହୋଇ ରହୁଥିବା ନେଇ ଆଗାମୀ ଦିନରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ କଡା କାଯ୍ୟାନୁଷ୍ଠାନ ଦାବି କରିବେ ବୋଲି ନିଷ୍ପତ୍ତି ନେଇଥିଲେ l ତେବେ ଟିକରଗଡିଆ ଅଙ୍ଗନୱାଡି କେନ୍ଦ୍ର କର୍ମୀଙ୍କ କାର୍ଯ୍ୟରେ ଚରମ ଅବହେଳା ନେଇ ଗତବର୍ଷ ମଧ୍ୟ ଏହିଭଳି ପରସ୍ଥିତି ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଲେଖାପଢା ହୋଇ ଆପୋଷ ବୁଝାମଣା ପୂର୍ବକ ସମାଧାନ ହୋଇଥିଲା । ତେବେ ବାରମ୍ବାର ଅଙ୍ଗନୱାଡି କର୍ମୀ ସୁହାସିନୀ ସୋରେନଙ୍କ ଅବହେଳା ଏବଂ ଦାୟିତ୍ଵହୀନତାକୁ ନେଇ ତାଙ୍କ ବଦଳରେ ଅନ୍ୟଜଣେ ଅଙ୍ଗନୱାଡିକର୍ମୀଙ୍କୁ ନିଯୁକ୍ତ ଦେବାକୁ ଗ୍ରାମର ଶିବପ୍ରସାଦ ମହାକୁଡ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ତେବେ ଚେଷ୍ଟା କରିଥିଲେ ବି ଏନେଇ ବେତନଟୀ ସିଡିପିଓ ପାନବତୀ ମୁର୍ମୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

Related Articles

Leave a Reply

Your email address will not be published. Required fields are marked *

Back to top button