ରାଜ୍ୟ

‘ସମର୍ଥ’ରେ ମାନସିକ ରୋଗୀଙ୍କୁ ଅମାନୁଷିକ ନିର୍ଯାତନା: ମହିଳା ରୋଗୀଙ୍କ ଛାତି, ପେଟରେ ଗୋଇଠା ମାଡ଼

ସମ୍ବଲପୁର: ଭୁଲିଗଲେ ମାନବିକତା। ଠିକଣା ହଜାଇଥିବା ମାନସିକ ରୋଗୀଙ୍କୁ ଅମାନୁଷିକ ନିର୍ଯାତନା। ମହିଳା ଅନ୍ତେବାସୀଙ୍କ ପେଟ, ପିଠି, ଗୋଡ଼ ଓ ବେକରେ ଯେଉଁଠି ପାରିଲେ ପରିଚାଳକ ବୁଟ୍‌ରେ ଗୋଇଠା ମାରିବା ପରେ ବାଡ଼ିରେ ନିସ୍ତୁକ ପିଟି ଚାଲିଥିଲେ। ନିର୍ଘାତ ମାଡ଼ଖାଇ ତଳେ ଦରମରା ହୋଇ ପଡ଼ିରହିଥିବା ଏହି ମହିଳା ମାନସିକ ରୋଗୀଙ୍କ ପାଇଁ କାହାରି ଦୟା ନଥିଲା। ବରଂ, ମହିଳା କେୟାର୍‌ ଟେକର୍‌ ପୁଣି ବାଡ଼ିରେ ମାଡ଼ ମାରିବା ସହିତ ବାରମ୍ବାର ଲାତ ମାରିଲେ। ପୁରୁଷ ମାନସିକ ରୋଗୀ ମଧ୍ୟ ଏଥିରୁ ନିସ୍ତାର ପାଇଲେନି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପିଟୁଥିଲେ। ଏପରିକି ଅନ୍ତେବାସୀଙ୍କୁ ଖାଇବା ସମୟରେ ବି ଶାନ୍ତି ନାହିଁ। କଂସାରେ ଶୁଖିଲା ଭାତ ଦେଇ ଗାଳି ସହିତ ମାଡ଼ ମାରୁଥିବା ଦେଖାଯାଉଛି। ସମ୍ବଲପୁର ସହର ସ୍ଥିତ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗର ଅନୁଦାନପ୍ରାପ୍ତ ଆଦର୍ଶ ଶିଶୁମନ୍ଦିର ପରିଚାଳିତ ‘ସମର୍ଥ’ରେ ଅନ୍ତେବାସୀଙ୍କ ପ୍ରତି ଏଭଳି ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି। ସମାଜସେବା ନାମରେ ଏହାର ପରିଚାଳକ ହରୀଶ ଦାଶଙ୍କ ମାନସିକ ରୋଗୀଙ୍କ ପ୍ରତି ଏଭଳି ନିର୍ଦ୍ଦୟ ବ୍ୟବହାରର ଭିଡିଓ ଯିଏ ଦେଖୁଛି ବିଚଳିତ ହୋଇପଡ଼ୁଛି। ଆଉ ଏକ ଭିଡିଓରେ ମହିଳା ଅନ୍ତେବାସୀଙ୍କୁ ପୁରୁଷ ପରିଚାଳକ ଗାଧୋଇ ଦେଉଥିବା, ତାଙ୍କ ଗୋପନୀୟ ଅଙ୍ଗ ସ୍ପର୍ଶ କରୁଥିବା ଦେଖାଯାଉଛି। ଏ ସଂକ୍ରାନ୍ତରେ ସୂଚନା ମିଳିବା ପରେ ପୁଲିସ ତୁରନ୍ତ ଏହି ସଂସ୍ଥା ଉପରେ ଚଢ଼ଉ କରିବା ସହିତ ଅନ୍ତେବାସୀଙ୍କୁ ପଚରାଉଚରା କରିଛି। ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ ଘଟଣାସ୍ଥଳ ପରିଦର୍ଶନ କରି ପରିଚାଳକ ଆଦର୍ଶ ଶିଶୁମନ୍ଦିରର ହରୀଶ ଦାଶଙ୍କ ବିରୋଧରେ ଏତଲା ଦେଇଥିବା ଜଣାଇଛନ୍ତି। ‘ସମର୍ଥ’କୁ ବନ୍ଦ କରିଦିଆଯିବା ସହିତ ଏଠାରେ ରହୁଥିବା ୪୧ ଅନ୍ତେବାସୀଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଏହି ଘଟଣାରେ ହରୀଶଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ଏହି ଚଢ଼ଉ ସମୟରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ।

ପୁରୁଷ ମାନସିକ ରୋଗୀଙ୍କୁ ମଧ୍ୟ ନିସ୍ତୁକ ମାଡ଼
ଭିଡିଓ ଭାଇରାଲ୍‌ ପରେ ପରିଚାଳକ ଗିରଫ

ସମ୍ବଲପୁର ଜିଲ୍ଲାରେ ମାନସିକ ରୋଗୀଙ୍କ ଥଇଥାନ ପାଇଁ ରହିଛି ସ୍ବେଚ୍ଛାସେବୀ ସଙ୍ଗଠନ ‘ସମର୍ଥ’। ୨୦୧୯ ମସିହାରୁ ଏଠାରେ ବିଭିନ୍ନ ସ୍ଥାନରୁ ଉଦ୍ଧାର ଅପରିଚିତ ମାନସିକ ରୋଗୀଙ୍କୁ ଥଇଥାନ କରାଯାଇଆସୁଛି। ସାମାଜିକ ସୁରକ୍ଷା ବିଭାଗର ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ରାସ୍ତାକଡ଼ରେ ଠିକଣା ହରାଇ ବୁଲୁଥିବା ମାନସିକ ରୋଗୀଙ୍କୁ ଏଠାରେ ଥଇଥାନ କରାଯାଏ। ଏଥି ମଧ୍ୟରୁ ସର୍ବାଧିକ ବ୍ୟକ୍ତି ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ରୋଗୀ ରହିଛନ୍ତି। ବର୍ତ୍ତମାନ ଏଠାରେ ସମୁଦାୟ ୪୧ ଅନ୍ତେବାସୀ ରହୁଛନ୍ତି। ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୧୯। ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨୦୨୩ ମସିହାରୁ ଏହି ସଂସ୍ଥାକୁ ୨୪ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ଥିଲା। ଡିଏସ୍‌ଓ କହିଛନ୍ତି, ମା଼ରପିଟ ନେଇ ତାଙ୍କ ପାଖରେ ପୂର୍ବରୁ ସୂଚନା ନଥିଲା। କିନ୍ତୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ସେମାନଙ୍କୁ ରଖାଯାଉଥିବା ନେଇ ରିପୋର୍ଟ ଦାଖଲ କରିଥିଲେ। ଏଥିପାଇଁ ସଂସ୍ଥା ନାମରେ ଆସୁଥିବା ୪.୨୮ ଲକ୍ଷ ଟଙ୍କା ଅନୁଦାନ କାଟି ଦିଆଯାଇ ଥିଲା। ୭ ଜଣ କର୍ମଚାରୀଙ୍କୁ ରଖାଯିବା ପାଇଁ ନିର୍ଦେଶ ରହିଛି। କିନ୍ତୁ ଏଠାରେ ସାଧାରଣତଃ ୪ରୁ୫ ଜଣ ରହୁଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଏହି ସଂସ୍ଥାରେ ସମୁଦାୟ ୫୦ ଜଣ ରହିବା ଭଳି କ୍ଷମତା ରହିଛି। ଏଠାରେ ଉଭୟ ମହିଳା ଓ ପୁରୁଷ ଅନ୍ତେବାସୀଙ୍କୁ ରଖାଯାଉଥିଲେ ମଧ୍ୟ ସେମାନଙ୍କ ପାଇଁ ଭିନ୍ନ ବ୍ୟବସ୍ଥା ନାହିଁ। ଏପରିକି ଆବଶ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ମାନସିକ ରୋଗୀ ଥଇଥାନ କେନ୍ଦ୍ର ସ୍ଥାପନର ଯେଉଁଭଳି ମାନଦଣ୍ଡ ରହିବା ଉଚିତ ତାହା ଖୋଲାଖୋଲି ଉଲ୍ଲଂଘନ ହେଉଛି। ପରିଚାଳକଙ୍କ ପକ୍ଷରୁ ଅନେକ ସମୟରେ ଗୋଟିଏ କୋଠରିରେ ୪ରୁ୫ ଜଣ ଅନ୍ତେବାସୀଙ୍କୁ ଏକାଠି ରଖି ବନ୍ଦ କରି ଦିଆଯାଏ। ଯାହା ଫଳରେ ସେମାନେ ହିଂସ୍ର ହୋଇପଡ଼ନ୍ତି। ବିଭିନ୍ନ ସମୟରେ ଏହି ସଂସ୍ଥା ନିକଟରେ ରହୁଥିବା ପଡ଼ୋଶୀମାନେ ମଧ୍ୟ ଅନ୍ତେବାସୀଙ୍କ ଚିତ୍କାର ଶୁଣୁଥିବା ଜଣାଇଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button