ରାଜନୀତି

ଖୋର୍ଦ୍ଧା ଇତିହାସରେ ବିଜେପିର ପ୍ରଥମ ବିଜୟ; ହାରିଲେ ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର – Kalinga News

[ad_1]

ଫେଲ୍‌ ମାରିଲା କାଳୁଙ୍କ ବିଦ୍ରୋହ ଓ ବିକ୍ଷୋଭ

ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ଗଠନ ପରଠାରୁ ଖୋର୍ଦ୍ଧା ଇତିହାସରେ ଯାହା କେବେ ହୋଇନଥିଲା, ଚଳିତ ନିର୍ବାଚନରେ ତାହା ହୋଇଛି। ପ୍ରଥମ ଥର ପାଇଁ ଖୋର୍ଦ୍ଧାର ରାଜନୀତିରେ ବିଜେପି ପ୍ରଥମ ଥର ପାଇଁ ଆଜି ବିଜୟ ତିଳକ ପିନ୍ଧିଛି। ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ହରାଇ ବିଜେପିର ଏ ପ୍ରଥମ ବିଜୟ ସ୍ବାଦ ପୂରା ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚିତ ବିଷୟ ହୋଇଛି। ଗଲା ୪୪ବର୍ଷର ଇତିହାସ ଫର୍ଦ୍ଦକୁ ଲେଉଟାଇଲେ, ଅଶି ଦଶକରୁ ୨୦୧୯ ମସିହା ସାଧାରଣ ନିର୍ବାଚନ ଯାଏ, ଏ ଜାତୀୟ ଦଳ ଖୋର୍ଦ୍ଧାରେ କେବେ ଏକୁଟିଆ ତ, କେବେ ମେଣ୍ଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା, କିନ୍ତୁ ବିଜୟ ତାଲିକାରେ ବିଜେପିର କେବେ ନାଁ ଲେଖା ହୋଇନଥିଲା। ୧୯୮୫, ୧୯୯୦ ଏବଂ ୧୯୯୫ ମସିହା ନିର୍ବାଚନରେ ବିଜେପି ନିଜର ପ୍ରାର୍ଥୀ ଦେଇ ହାରିଥିଲା। ଗଲା ୨୦୦୦ମସିହାରେ ଯଦିଓ ବିଜେପି ସହିତ ବିଜେଡିର ମେଣ୍ଟ ହେଲା, କିନ୍ତୁ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରଟି ବିଜେପି ଭାଗରେ ପଡ଼ିଲା ନାହିଁ।

୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ପୁଣି ଅଣ୍ଟା ସଳଖିଥିଲା ବିଜେପି। ସେ ସମୟରେ କଂଗ୍ରେସରୁ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ଦଳ ଆଣି ପ୍ରାର୍ଥୀ କଲା, କିନ୍ତୁ ଦଳ ବିଜୟୀ ହୋଇପାରିଲା ନାହିଁ। ଶ୍ରୀ ଶ୍ରୀଚନ୍ଦନ ମୋଟ୍ ୨୭ହଜାର ୧୯୭ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତତ୍କାଳୀନ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ୯ହଜାର ୨୧୦ଟି ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୨୦୧୪ ମସିହାରେ ତତ୍କାଳୀନ ସ୍ବାଧୀନ ପ୍ରାର୍ଥୀ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଜେଡ଼ି ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କୁ ବିଜେପି ପୁଣି ଆମଦାନି କଲା। ସେ ସମୟରେ ବିଜେପି ୬୫ହଜାର ୭୦୨ଖଣ୍ଡ ଭୋଟ୍ ପାଇଲା, କିନ୍ତୁ ଜିତି ପାରିଲା ନାହିଁ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ୭୨ହଜାର ୨୯୯ଟି ଭୋଟ୍‌ ପାଇ ବିଜେପିକୁ ପୁଣି ହରାଇଲେ।

ବିଭିନ୍ନ ସମୟରେ ଅନ୍ୟ ଦଳରୁ ଆମଦାନି କରି ପରାଜିତ ହୋଇଥିବା ବିଜେପି ଏଥର କିନ୍ତୁ ବିଜେଡିର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ କରି ବିଜୟ ତାଲିକାରେ ନାଁ ଲେଖାଇଛି। ଗତ ୨୦୧୯ ମସିହାରେ ବିଜେପିକୁ ଖୋର୍ଦ୍ଧାରେ ୧୦ହଜାର ୪୩ଖଣ୍ଡ ଭୋଟ୍‌ରେ ବିଜେଡି ହରାଇଥିଲା। ଏଥର କିନ୍ତୁ, ରିପୋର୍ଟ ଲେଖାଯିବା ସୁଦ୍ଧା ୮ହଜାର ୪୩୬ଖଣ୍ଡ ଭୋଟ୍‌ରେ ବିଜେପିର ପ୍ରଶାନ୍ତ ଜଗଦ୍ଦେବ ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ପରାଜିତ କରିଛନ୍ତି। ଚଳିତ ନିର୍ବାଚନରେ ବିଜେପିରୁ ବାହାରି ଆସି ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା କାଳୁ ଚରଣ ଖଣ୍ଡେଇତରାୟଙ୍କ ବିଦ୍ରୋହ ବିଜେପିକୁ ଅଡ଼ୁଆ କରିପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ, ନିର୍ବାଚନୀ ଫଳାଫଳ ସବୁ ଅନୁମାନକୁ ଭୁଲ୍ ପ୍ରମାଣିତ କରିଛି। କାଳୁଙ୍କ ବିଦ୍ରୋହ ବିଜେପିର ବିଜୟ ବାଟରେ କୌଣସି ବାଧା ତିଆରି କରିନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button