ମୁଁ ଦେବି ଭୋଟ୍ – Kalinga News

[ad_1]
ଭୁବନେଶ୍ବର: ସହରରେ ନିୟମିତ ମତଦାତାଙ୍କ ସଂଖ୍ୟା ବଢ଼ୁଛି। ହେଲେ ସେମାନେ ମତଦାନ କରୁନାହାନ୍ତି। ଦିନକୁ ଦିନ ସହରରେ ମତଦାନ ହାର କମିବାରେ ଲାଗିଛି। ସରକାରୀ ସ୍ତରରେ ଏହି ହାର ବୃଦ୍ଧି ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଛି। ହେଲେ କୌଣସି ସୁଫଳ ମିଳୁନାହିଁ। ବରଂ ମତଦାନ ହାର ବଢ଼ିବା ପରିବର୍ତ୍ତେ କମିବାରେ ଲାଗିଛି। ନିକଟ ଅତୀତରେ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ମତଦାନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଯାହାକୁ ନେଇ ସମଗ୍ର ଭାରତବର୍ଷରେ ଉଦ୍ବେଗ ପ୍ରକାଶ ପାଇଛି। ଭୁବନେଶ୍ବର ସମେତ ସମସ୍ତ ସହରାଞ୍ଚଳରେ ଏଭଳି ଚିତ୍ର ରହିଛି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ମତଦାନ ପାଇଁ ସହରବାସୀଙ୍କୁ ଉତ୍ସାହିତ କରିବାଲାଗି ‘ସମ୍ବାଦ’ର ଏଇ ଛୋଟିଆ ପ୍ରୟାସ

Sambad is now on WhatsApp
Join and get latest news updates delivered to you via WhatsApp
ଭାରତବର୍ଷ ଏକ ଗଣତାନ୍ତ୍ରିକ ଦେଶ। ଆମ ଦେଶର ଶାସନ ପଦ୍ଧତି ଅନୁସାରେ ନିଜର ମତ ଦେଇ ପ୍ରତିନିଧି ବାଛିବା ପାଇଁ ସମ୍ବିଧାନ ଅଧିକାର ଦେଇଛି। ସେହି ସାମ୍ବିଧାନିକ ଅଧିକାରର ଉପଯୋଗ କରି ଗଣତନ୍ତ୍ରର ଏହି ବିଶାଳ ପର୍ବରେ ସମସ୍ତେ ଅଂଶ ଗ୍ରହଣ କରିବା ଉଚିତ। ଭୁବନେଶ୍ୱରରେ ଭୋଟଦାନ ସ୍ଥିତି ନୈରାଶ୍ୟଜନକ ରହିଛି। ୫୭% ମତଦାତା ଲୋକ ପ୍ରତିନିଧି ବାଛିବାରେ ଭାଗ ନେଉ ନାହାନ୍ତି। ଏ ନେଇ ନିୟମିତ ସଚେତନତା ଜାରି ରହିଛି। ବିଶେଷକରି ନୂଆ ଭୋଟର କିଭଳି ବୁଥ୍କୁ ଆସିବେ ସେ ନେଇ ପ୍ରଚେଷ୍ଟା କରାଯାଉଛି। ନାଗରିକ ଭାବେ ସମାଜପ୍ରତି ଆମର କର୍ତ୍ତବ୍ୟ ନିର୍ବାହ କଲେ ଯାଇ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହୋଇ ପାରିବ।
ରାଜେଶ ପ୍ରଭାକର ପାଟିଲ
ବିଏମସି କମିସନର
ଶିକ୍ଷିତ ଭୋଟରମାନେ ଯଦିଓ ସେମାନେ ଗଣତନ୍ତ୍ରର ସମସ୍ତ ସୁବିଧା ଉପଭୋଗ କରୁଛନ୍ତି, କିନ୍ତୁ ଏହି ମତଦାନ ପ୍ରକ୍ରିୟାରେ ଭାଗ ନେଉ ନାହାନ୍ତି। ପ୍ରାର୍ଥୀଙ୍କ ଯୋଗ୍ୟତା ହେଉ ବା ରାଜନୈତିକ ଦଳର ପଲିସି ଅନେକଙ୍କୁ ପସନ୍ଦ ଆସୁନାହିଁ। ଏହି ଭୋଟରଙ୍କୁ ଲାଗୁଛି କି ପ୍ରାର୍ଥୀମାନେ ପଇସା ଖର୍ଚ୍ଚ କରି ଭୋଟ୍ କିଣିନେବେ। ତିନି ଜଣ ନେତାଙ୍କ ମଧ୍ୟରୁ ୨ ଜଣଙ୍କୁ ୩୦ ପ୍ରତିଶତ ଲେଖାଏଁ ଭୋଟ ମିଳିଥିବା ବେଳେ ଅନ୍ୟଜଣେ ୩୫ପ୍ରତିଶତ ଭୋଟ ପାଇ ଜିତି ଯାଉଛି। ଏଣୁ ସ୍ଥିତି ଏଭଳି ହେଉଛି ଯେଉଁଠି ସର୍ବାଧିକ ଭୋଟର ଯାହାକୁ ଭୋଟ୍ ଦେଇ ନାହାନ୍ତି ସେ ହିଁ ଜିତୁଛି। ଫଳରେ ପୂରା ଗଣତନ୍ତ୍ର ବ୍ୟବସ୍ଥା ପ୍ରଭାବିତ ହେଉଛି। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର ସହ ଯୁବ ଓ ଶିକ୍ଷିତ ଭୋଟରମାନେ କିଭଳି ବୁଥ୍କୁ ଆସିବେ ସେ ନେଇ ବ୍ୟବସ୍ଥା ହେବା ଜରୁରୀ। ଏହା ସହ ନିର୍ବାଚନ ସଂସ୍କାରର ଆବଶ୍ୟକତା ଅଛି। ଯେଉଁ ପୁରୁଣା ଢଙ୍ଗରେ ସଚେତନତା ହେଉଛି ତାହା ପର୍ଯ୍ୟାପ୍ତ ହେଉ ନାହିଁ।
ଭଗବାନ ପ୍ରକାଶ
ଭାରତର ନିର୍ବାଚନ କମିସନଙ୍କ ପୂର୍ବତନ ସ୍ବତନ୍ତ୍ର ଉପଦେଷ୍ଟା
ଗଣତନ୍ତ୍ର ଏବେ ରାଜନୀତିକରଣ ହୋଇଯାଇଛି। ରାଜନୈତିକ ଦଳରୁ ହିଁ ପ୍ରାର୍ଥୀ ଆସୁଛନ୍ତି। ଅଧିକାଂଶ ରାଜନୈତିକ ଦଳ ନିଜର ଚାଟୁକାରଙ୍କୁ ପ୍ରାର୍ଥୀ କରୁଛନ୍ତି। ଏଣୁ ଲୋକଙ୍କ ପାଖରେ ବିକଳ୍ପ ପସନ୍ଦ ରହୁନି। ଭଲ ଲୋକ ବି ସ୍ବତଃ ରାଜନୀତିକୁ ଆସୁନାହାନ୍ତି। ପୂର୍ବରୁ ସ୍ବାଧୀନ ଭାବେ ଅନେକ ଭଲ ଲୋକ ଛିଡ଼ା ହେଉଥିଲେ। ହେଲେ ସେ ପରମ୍ପରା ଆଉ ନାହିଁ। ଏଣୁ ସଚେତନ ଭୋଟର ଏହି ମହାପର୍ବରେ ସାମିଲ ହେଉ ନାହିଁ। ସରକାର ନୋଟା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଘରୁ ଆସି, ଧାଡ଼ି ବାନ୍ଧି ଛିଡ଼ା ହୋଇ ଲୋକ କାହିଁକି ବା ନୋଟାରେ ଦେବେ? ଏଥିରେ କାହାର ଲାଭ ହେବ? ଏଣୁ ଏଥିରେ ମତଦାନ ହାର ବଢ଼ିବ ନାହିଁ। ସେହିଭଳି ଯୁବ ଭୋଟର ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହେଉ ନାହାନ୍ତି। ଦେଶ, ରାଜ୍ୟ, ଗଣତନ୍ତ୍ର ଏ ସବୁରେ ସେମାନଙ୍କର ଆଗ୍ରହ ନଥିବା ଦେଖାଯାଉଛି। ସରକାର ଓ ବିରୋଧୀ ବି ଏ କଥା ଜାଣିଛନ୍ତି। ଏମାନଙ୍କୁ ଛାଡ଼ି ଯେଉଁଠି ଭୋଟ୍ ଆସିବ ସେଠାରେ ଫୋକସ କରୁଛନ୍ତି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଯେଉଁଭଳି ସଚେତନତା ହେଉଛି ତାହା କୌଣସି ପ୍ରଭାବ ପକାଇବ ନାହିଁ। ପ୍ରାର୍ଥୀ ହେବା ପୂର୍ବରୁ ସାଧାରଣ ଲୋକଙ୍କର ମତାମତ ଲୋଡ଼ିବା ଆବଶ୍ୟକ।
ଜଗଦାନନ୍ଦ
ପୂର୍ବତନ ସୂଚନା କମିସନର ତଥା ସମାଜସେବୀ
[ad_2]