ରାଜନୀତି

ଉପମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀଙ୍କୁ ଭେଟିଲେ ଆମେରିକା କନ୍‌ସଲ୍‌ ଜେନେରାଲ୍

ଭୁବନେଶ୍ବର: ହାଇଦ୍ରାବାଦସ୍ଥିତ ଆମେରିକା କନ୍‌ସଲ୍‌ ଜେନେରାଲ୍‌ର ମୁଖ୍ୟ ଜେନିଫର୍ ଲାର୍ସନ ନିଜର ୬ ଜଣିଆ ଟିମ୍‌ ସହ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କୁ ରାଜ୍ୟର ପ୍ରାକୃତିକ ସମ୍ପଦ ସମ୍ପର୍କରେ କହିଥିଲେ।

ତାହା ବିଦେଶୀ ପର୍ଯ୍ୟଟକଙ୍କ ସମେତ ନିବେଶକଙ୍କୁ ମଧ୍ୟ ଆକୃଷ୍ଟ କରିବା ସହ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରୁଥିବା କହିଥିଲେ। ରାଜ୍ୟର ଦୀର୍ଘ ଉପକୂଳକୁ ଗନ୍ତବ୍ୟସ୍ଥଳ ଓ ପରିବହନ ମାର୍ଗ ରୂପେ ପ୍ରତିଷ୍ଠା କରିବା, ପର୍ଯ୍ୟଟନର ବିକାଶ ଓ ଅକ୍ଷୟ ଶକ୍ତି ପାଇଁ ସରକାର ପ୍ରତିବଦ୍ଧ ଥିବା ସେ କହିଛନ୍ତି। ରାଜ୍ୟରେ ଖାଦ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣ, ରପ୍ତାନି, ସୂଚନା ପ୍ରଯୁକ୍ତି ଓ ବୟନ ଶିଳ୍ପ କ୍ଷେତ୍ରରେ ନିବେଶର ବ୍ୟାପକ ସୁଯୋଗ ଥିବା ସେ କହିଛନ୍ତି। ପର୍ଯ୍ୟଟକ ଓ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଭିତ୍ତିଭୂମିର ବିକାଶ, ନୂତନ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି, ବିନିଯୋଗ ଉପଯୋଗୀ ଲ୍ୟାଣ୍ଡ୍‌ ସର୍ଭେ ଓ ପ୍ରୋତ୍ସାହନ ନୀତି ରହିଛି ବୋଲି ‌ଉପମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି, ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ସହ ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ରାଜ୍ୟରେ ଥିବା ଶିଳ୍ପ ସମ୍ଭାବନା, ଶିଳ୍ପଭିତ୍ତିକ ନିଯୁକ୍ତି, ରପ୍ତାନି ଓ ଆମଦାନି ଏବଂ ଖଣିଜ ପଦାର୍ଥ କାରବାର ଆଦି ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପାରାଦୀପ ହେଉଛି ଭାରତ ସର୍ବବୃହତ ବନ୍ଦର। ଏହି ବାଟ ଦେଇ ବିଭିନ୍ନ ଖଣିଜ ପଦାର୍ଥ, ପେଟ୍ରୋକେମିକାଲ୍, ରାସାୟନିକ ପଦାର୍ଥ, ସି-ଫୁଡ୍‌, ମାଙ୍ଗାନିଜ ଓ ଲୁହାପଥର ଆଦି ଚୀନ୍, ଜାପାନ, ମାଲେସିଆ, ଭିଏତନାମ୍ ଓ ମଙ୍ଗୋଲିଆକୁ ରପ୍ତାନି ହେଉଛି। ସେହିପରି, ଇଡ୍‌କୋ ଅଧ୍ୟକ୍ଷ ଭୂପିନ୍ଦର ସିଂହ ପୁନିଆ କହିଛନ୍ତି ଯେ ସିଙ୍ଗାପୁର ଢାଞ୍ଚାରେ ରାଜ୍ୟରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଓ ବିକାଶ କରାଯାଉଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ନେଇ ହାଇଦ୍ରାବାଦରେ ଆମେରିକା କନ୍‌ସୁଲେଟ୍‌ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ୨୦୦୮ରେ ଏହି କାର୍ଯ୍ୟାଳୟକୁ ସ୍ଥାପନ କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button