ଖେଳ ଖବର

ସଂଜୁଙ୍କୁ ହରାଇଲେ ପନ୍ତ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଏକ ରୋମାଞ୍ଚକ ମୁକାବିଲାରେ ସଂଜୁ ସାମ୍‌ସନଙ୍କ ରାଜସ୍ଥାନ ରୟାଲ୍ସକୁ ୨୦ ରନ୍‌ରେ ହରାଇ ଦେଇଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ମ୍ୟାଚ୍‌ରୁ ୬ ବିଜୟ ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ରାଜସ୍ଥାନ ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫ୍‌ରେ ଗୋଟିଏ ପାଦ ରଖିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ଅପେକ୍ଷା କରିଛି। ଏକାଦଶ ମ୍ୟାଚ୍‌ରୁ ରାଜସ୍ଥାନ କ୍ରମାଗତ ପରାଜୟ ବରଣ କରିବାରୁ ସଂଜୁଙ୍କ ଦଳର ସମ୍ଭାବନା ବିଳମ୍ବିତ ହୋଇଛି। ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୨୨୨ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ସଂଜୁ ଏକା ଲଢ଼ି ୪୬ ବଲ୍‌ରୁ ୮୬ ରନ୍ (୮ ଚୌକା, ୬ ଛକା) ସଂଗ୍ରହ କରିଥିଲେ। ରିୟାନ ପରାଗ (୨୨ ବଲ୍‌ରୁ ୨୭ ରନ୍) ଏବଂ ଶୁଭମ ଦୁବେ (୧୨ ବଲ୍‌ରୁ ୨୫ ରନ୍) କିଛିଟା ଲଢ଼ିଥିଲେ ମଧ୍ୟ କେହି ଶେଷ ପର୍ଯ୍ୟନ୍ତ ତିଷ୍ଠିପାରି ନଥିଲେ। ଫଳରେ ୨୦ ରନ୍‌ରେ ଦଳ ହ‌ାରିଯାଇଥିଲା। ସଂଜୁ ବିବାଦୀୟ ଭାବେ ବାଉଣ୍ଡରିରେ କ୍ୟାଚ୍‌ ହେବା ଏବଂ ଡେଥ୍ ଓଭରରେ କୁଲଦୀପ ୟାଦବ, ରସିକ ସଲାମ, ମୁକେଶ କୁମାର ପ୍ରମୁଖ ଭଲ ବୋଲିଂ କରିବା ଦିଲ୍ଲୀକୁ ବିଜୟ ପ୍ରଦାନ କରିଥିଲା। ଖଲିଲ୍ ଅହମ୍ମଦ, ମୁକେଶ କୁମାର, କୁଲଦୀପ ୟାଦବ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇ ବିଜୟକୁ ସମ୍ଭବ କରିଥିଲେ। ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବାରୁ କୁଲଦୀପ ୟାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଅରୁଣ ଜେଟ୍‌ଲୀ ଷ୍ଟାଡୟମ୍‌ରେ ଅନୁଷ୍ଠିତ ମଙ୍ଗଳବାର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବୋଲରଙ୍କୁ ଧୂଲେଇ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୨୧ ରନ୍ ସଂଗ୍ରହ କରି ନେଇଥିଲା। ଏହି ବଡ଼ ସ୍କୋର୍‌ ଅର୍ଜନ ପଥରେ ୩ ଜଣ ଖେଳାଳିଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ଜ୍ୟାକ୍ ଫ୍ରେଜର୍‌ ମ୍ୟାକଗର୍କ, ଅଭିଷେକ ପୋରେଲ୍‌ ଓ ତ୍ରିଷ୍ଟନ୍ ଷ୍ଟବ୍ସଙ୍କ ବ‌ିସ୍ଫୋରକ ବ୍ୟାଟିଂ ନିର୍ଣ୍ଣାୟକ ହୋଇଥିଲା। ପ୍ରଥମ ୱିକେଟ୍ ପାଇଁ ପ୍ରାରମ୍ଭିକ ଯୋଡ଼ି ମ୍ୟାକ୍‌ଗର୍କ ଓ ପୋରେଲ୍‌ ୪.୨ ଓଭରରେ ୬୦ ରନ୍ ଉଠାଇଥିଲେ। କେବଳ ଚତୁର୍ଥ ଓଭରରେ ଆୱେସ ଖାନ୍ (୪, ୪, ୪, ୬, ୪, ୬)ଙ୍କ ସମସ୍ତ ବଲ୍‌କୁ ସୀମା‌ରେଖା ବାହାରକୁ ପଠାଇ ମ୍ୟାକ୍‌ଗର୍କ ମୋଟ ୨୮ ରନ୍ ଆଦାୟ କରିଥିଲେ। ମାତ୍ର ୧୯ ବଲ୍‌ରୁ ୫୦ ରନ୍ ପୂର୍ଣ୍ଣ କରିଥିଲେ ମଧ୍ୟ ସମ୍ମୁଖୀନ ହୋଇଥିବା ପରବର୍ତ୍ତୀ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ମ୍ୟାକ୍‌ଗର୍କଙ୍କ ପାଳିରେ ୭ ଚୌକା, ୩ ଛକା ସାମିଲ ଥିଲା। ପୋରେଲ୍‌ ୩୬ ବଲ୍‌ରୁ ୬୫ ରନ୍ ସଂଗ୍ରହ କରିଥିଲେ ସମାନ ୭ ଚୌକା ଓ ୩ ଛକା ସହାୟତାରେ। ଉଭୟଙ୍କୁ ଆଉଟ୍ କରିଥିଲେ ଭେଟେରାନ୍ ଭାରତୀୟ ଅଫସ୍ପିନର୍ ଆର୍ ଅଶ୍ବିନ। କିଛି ସମୟ ପରେ ଅକ୍ଷର ପଟେଲଙ୍କୁ ଅଶ୍ବିନ୍ ତୃତୀୟ ଶିକାର କରିବା ସହ ୪-୦-୨୪-୩ ଚିତ୍ର ପାଇଥିଲେ। ସାଇ ହୋପ୍‌ଙ୍କ ରନ୍ ଆଉଟ୍‌, ଋ‌ଷଭ ପନ୍ତ୍‌ଙ୍କ ସଅଳ ବିଦାୟ ସତ୍ତ୍ବେ ଦିଲ୍ଲୀ ରନ୍ ହାରକୁ ବଜାୟ ରଖିଥିଲା। ଶେଷ ଭାଗରେ ତ୍ରିଷ୍ଟାନ୍ ଷ୍ଟବ୍ସ (୨୦ ବଲ୍‌ରୁ ୪୧ ରନ୍, ୩ ଲେଖାଏଁ ଚୌକା ଓ ଛକା) ଏବଂ ଗୁଲବଦିନ ନାଏବ (୧୫ ବଲ୍‌ରୁ ୧୯ ରନ୍) ଦଳକୁ ୨୨୧ ରନ୍‌ରେ ପହଞ୍ଚାଇ ଦେଇଥିଲେ। ଏହି ପାଳି ଅବସରରେ ଟ୍ବେଣ୍ଟି-୨୦ ଫର୍ମାଟରେ ୟୁଝବେନ୍ଦ୍ର ଚହଲ୍‌ ପ୍ରଥମ ଭାରତୀୟ ଭାବେ ୩୫୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ଭାରତୀୟ ଦଳ ସାଥୀ ତଥା ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ୍‌ଙ୍କୁ ସେ ଏହି ମାଇଲଖୁଣ୍ଟ ଶିକାର କରିଥିଲେ ବୋଲ୍ଟଙ୍କ ହାତରେ କ୍ୟାଚ୍‌ କରାଇ।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୨୧/୮ (ଅଭିଷେକ ପୋରେଲ୍‌-୬୫, ଜ୍ୟାକ୍‌ ‌‌‌ଫ୍ରେଜର-ମ୍ୟାକ୍‌ଗର୍କ-୫୦, ତ୍ରିଷ୍ଟନ୍ ଷ୍ଟବ୍ସ-୪୧, ଆର୍ ଅଶ୍ବିନ-୩/୨୪, ସନ୍ଦୀପ ଶର୍ମା-୧/୪୨, ଟ୍ରେଣ୍ଟ୍‌ ବୋଲ୍ଟ-୧/୪୮, ୟୁଝବେନ୍ଦ୍ର ଚହଲ-୧/୪୮)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୦୧/୮ (ସଂଜୁ ସାମସନ୍‌-୮୬, ରିୟାନ୍ ପରାଗ-୨୭, ଶୁଭମ ଦୁବେ-୨୫, କୁଲଦୀପ ୟାଦବ-୨/୨୫, ମୁକେଶ କୁମାର-୨/୩୦, ଖଲିଲ୍ ଅହମ୍ମଦ-୨/୪୭, ଅକ୍ଷର ପଟେଲ୍‌-୧/୨୫, ରସିକ ସଲାମ-୧/୩୬)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button