ଦଳ ବଦଳାଇ ବି ପଦ ସୁରକ୍ଷିତ: ଆଉ ୫ ବିଧାୟକ ବି ଦଳ ଛାଡ଼ିଛନ୍ତି, ସଭ୍ୟ ପଦ ରଦ୍ଦ ପାଇଁ ଏଯାଏଁ ଆବେଦନ ହୋଇନି – Kalinga News

[ad_1]
ଭୁବନେଶ୍ବର: ଦଳ ବଦଳ ଆଇନ ଅନୁଯାୟୀ ଯେଉଁ ବିଧାୟକ ଯେଉଁ ଚିହ୍ନରୁ ନିର୍ବାଚନ ଲଢ଼ି ଜିତିଥିବେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଦଳ ଛାଡ଼ି ଅନ୍ୟ ଦଳରେ ମିଶିଲେ ତାଙ୍କ ସଭ୍ୟପଦ ରଦ୍ଦ ହୋଇଯିବ। ନିର୍ବାଚନୀ ପର୍ବରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଧାୟକ ନିଜଆଡ଼ୁ ଦଳ ଛାଡ଼ି ଅନ୍ୟ ଦଳରେ ମିଶିଲେଣି। ତଥାପି ସେମାନଙ୍କ ସଭ୍ୟପଦ ସୁରକ୍ଷିତ ଅଛି। କେବଳ ବିଜେଡିର ଦୁଇ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଗତ କିଛି ଦିନ ମଧ୍ୟରେ ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିରେ ମିଶିଛନ୍ତି। ବିଜେଡିର ଜୟଦେବ ବିଧାୟକ ଅରବିନ୍ଦ ଢାଲି ଦଳ ଛାଡ଼ି ବିଜେପିରେ, ସୋରର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ବିଜେପିରେ, ହିନ୍ଦୋଳର ବିଜେଡି ବିଧାୟକ ସୀମାରାଣୀ ନାୟକ ବିଜେପିରେ, ଆଠମଲ୍ଲିକର ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେପିରେ, ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ବିଜେଡିରେ, ତେଲକୋଇର ବିଜେଡି ବିଧାୟକ ପ୍ରେମାନନ୍ଦ ନାଏକ ବିଜେପିରେ ଯୋଗଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଥାତ୍ ବିଜେଡିର ସର୍ବାଧିକ ୫ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିବା ବେଳେ ବିଜେପିର ଜଣେ ଓ କଂଗ୍ରେସର ଜଣେ ବିଧାୟକ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କେବଳ ଦୁଇ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବିଜେଡି ଆବେଦନ କରିଛି। ଏହି କ୍ରମରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ମାତ୍ର ବାକି ତିନି ବିଧାୟକଙ୍କ ସଭ୍ୟ ପଦ ଏବେବି କାଏମ୍ ରହିଛି। କଂଗ୍ରେସର ଟାଣୁଆ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଦଳ ଛାଡ଼ିଥିଲେ ବି ତାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଆବେଦନ କରିନି। ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପି ଆସିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବେ ପୁଣି ବିଜେଡି ଫେରିଥିଲେ ବି ତାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବିଜେପି ଆବଶ୍ୟକ ପଦକ୍ଷେପ ନେଇନାହିଁ।
ଦଳ ବଦଳ ନିୟମ କହୁଛି ଯେ ଯଦି କୌଣସି ରାଜନୈତିକ ଦଳର ଏକ ତୃତୀୟାଂଶ ବିଧାୟକ ଦଳ ଛାଡ଼ନ୍ତି ତେବେ ଦଳ ଅଦଳବଦଳ ନିୟମ ଲାଗୁ ହେବନାହିଁ। ଏପରିକି ଦଳ ଯଦି କୌଣସି ବିଧାୟକଙ୍କୁ ଦଳରୁ ବହିଷ୍କାର କରିଥିବ ତେବେ ତାଙ୍କ ବିରୋଧରେ ଦଳ ବଦଳ ନିୟମ ଲାଗୁ ହେବନାହିଁ। ସେହି ଆଧାରରେ ବିଜେଡିରୁ ବହିଷ୍କାର ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଥିଲେ ବି ସଭ୍ୟପଦ ରଦ୍ଦ ହେବନି। ଏ ସଂକ୍ରାନ୍ତରେ ବିଧାନସଭା ସଚିବ ଦାସରଥୀ ଶତପଥୀ କହିଛନ୍ତି ଯେ ଦଳ ବଦଳ ନିୟମ ଅନୁଯାୟୀ ସଭ୍ୟ ପଦ ରଦ୍ଦ ହେବାର ନିୟମ ରହିଛି। ହେଲେ ସଂପୃକ୍ତ ବିଧାୟକ ଯେଉଁ ଦଳରୁ ନିର୍ବାଚିତ ହୋଇଥିଲେ ସେହି ଦଳର ମୁଖ୍ୟ ସଚେତକଙ୍କୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିବାକୁ ହେବ। ଏହା ଉପରେ ବାଚସ୍ପତି ବିଚାର କରି କାର୍ଯ୍ୟାନୁଷ୍ଠାନ ନିଅନ୍ତି। ବର୍ତ୍ତମାନ ସୁଦ୍ଧା ବିଜେଡିର ଯେଉଁ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି, ସେମାନଙ୍କ ଦଳବଦଳ ସଂପର୍କରେ ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତିଙ୍କ ନିକଟରେ ମାର୍ଚ୍ଚ ୧୮ରେ ପିଟିସନ୍ ଦାଖଲ କରିଥିଲେ। ଏହା ଆଧାରରେ ବିଧାନସଭା ସଚିବାଳୟ ପକ୍ଷରୁ ମାର୍ଚ୍ଚ୧୯ରେ ଦୁଇ ବିଧାୟକଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା। କିନ୍ତୁ ସେମାନେ ଏହାର ଉତ୍ତର ଦେଇନଥିଲେ। ଏହାପରେ ଏପ୍ରିଲ ୨ ତାରିଖରେ ବାଚସ୍ପତି ସେମାନଙ୍କୁ ଚିଠି କରି ଏପ୍ରିଲ ୧୦ତାରିଖରେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ କହିଥିଲେ। କିନ୍ତୁ ସେମାନେ ହାଜର ନହେବାରୁ ବାଚସ୍ପତି ସେମାନଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି।
ସମ୍ବିଧାନର ଦଶମ ପରିଚ୍ଛେଦ ଓ ଓଡ଼ିଶା ବିଧାନସଭାର ଦଳବଦଳ ଆଇନ ଆଧାରରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରାଯାଇଛି। ଜୟଦେବ ଓ ତେଲକୋଇ ଆସନ ଖାଲି ପଡ଼ିଲା ବୋଲି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଏହାପୂର୍ବରୁ କିମ୍ବା ପରେ ଯେତେ ବିଧାୟକ ଦଳବଦଳ କରିଥିଲେ ବି ସେମାନଙ୍କ ଦଳ ପକ୍ଷରୁ ସଭ୍ୟପଦ ରଦ୍ଦ ନେଇ ଆବେଦନ କରାଯାଇନି। ଯଦି କିଛି ଆବେଦନ ହୁଏ ତା’ଉପରେ ବାଚସ୍ପତି ବିଚାର କରିବେ। ସଭ୍ୟ ପଦ ରଦ୍ଦ ବିଧାୟକମାନଙ୍କ ମାସିକ ଦରମା କେବଳ ବନ୍ଦ କରାଯାଉଛି। ଏବେ ଅନ୍ୟାନ୍ୟ ସୁବିଧା ସୁଯୋଗ କିଛି ମିଳୁନି।
[ad_2]




