ଅପରାଧ

ସ୍ତ୍ରୀର ତଣ୍ଟି କାଟି ହତ୍ୟା ମାମଲା: ସନ୍ଦେହୀ ସ୍ବାମୀକୁ ଆଜୀବନ – Kalinga News

[ad_1]

ଝିଅର ସାକ୍ଷ୍ୟ ଆଧାରରେ ବାପାକୁ ଦଣ୍ଡାଦେଶ, ପୂଜାଙ୍କ ଦୁଃଖଭରା ଜୀବନଯାତ୍ରା

ଭୁବନେଶ୍ବର: ୨୦୨୧ ମସିହା ଜୁନ୍‌ ୨୫ରେ ଜଟଣୀ ଥାନା ନୂଆଗାଁ ସଂଲଗ୍ନ ପାଇକରାପୁର ଗାଁରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ସ୍ତ୍ରୀ ଓ ପିଲାଛୁଆଙ୍କ ଅଗୋଚରରେ ପ୍ରେମ ବିବାହ କରିଥିବା ଦ୍ବିତୀୟ ସ୍ତ୍ରୀ ପୂଜା ମଲ୍ଲିକଙ୍କ ଚରିତ୍ରକୁ ସନ୍ଦେହ କରି ତଣ୍ଟି କାଟି ଦେଇଥିବା ନୃଶଂସ ଅଟୋ ଚାଳକ ସୁକାନ୍ତ ମଲ୍ଲିକକୁ କୋର୍ଟ ଆଜୀବନ ସଜା ଶୁଣାଇଛନ୍ତି। ମାମଲାର ପ୍ରତ୍ୟକ୍ଷ ସାକ୍ଷୀ ଥିବା ୨ ଝିଅଙ୍କ ମଧ୍ୟରୁ ବଡ଼ଝିଅ ସ୍ବର୍ଣ୍ଣଲତାଙ୍କ ବୟାନ ଓ ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବନ୍ଦନା କର ଆସାମୀ ସ୍ବାମୀ ସୁକାନ୍ତକୁ ଆଜୀବନ କାରାଦଣ୍ଡ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ସରକାରୀ ଓକିଲ ସଲିଳ କୁମାର ପ୍ରଧାନ ଏହି ମାମଲା ପରିଚାଳନା କରୁଥିଲେ।

ଘଟଣା ଦିନର ଲୋମଟାଙ୍କୁରା କାହାଣୀ

ଘଟଣା ଦିନ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଠାତ୍ ପାଇକରାପୁରରେ ଚାଞ୍ଚଲ୍ୟ ଖେଳିଗଲା। ଘର ସମ୍ମୁଖରେ ୨ ନାବାଳିକା ଭୋ ଭୋ ହୋଇ କାନ୍ଦୁଥିଲେ ଏବଂ ଭିତରେ ପୂଜାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଚଟାଣରେ ପଡ଼ିଥିଲା। ଦିନ ଦି’ପହରରେ ସାହି ଭିତରେ ପଶି କିଏ ପୂଜାଙ୍କ ତଣ୍ଟି କାଟି ଚାଲିଗଲା, କେହି ବୁଝିପାରୁନଥିଲେ। ଖବର ପାଇ ଜଟଣୀ ଥାନା ପୁଲିସ ପହଞ୍ଚିଯାଇଥିଲା। ପଡ଼ୋଶୀମାନେ ୨ ଝିଅଙ୍କୁ ବୁଝାସୁଝା କରି ଶାନ୍ତ କରିବା ପରେ ସେମାନେ ହତ୍ୟାକାରୀର ପରିଚୟ ଦେଇଥିଲେ। ବାପା ସୁକାନ୍ତ ହିଁ ସେମାନଙ୍କୁ ବଜାର ପଠାଇବା ପରେ ମା’ର ତଣ୍ଟି କାଟି ଦେଇଛି ବୋଲି କହିଥିଲେ। ପୁଲିସ ତୁରନ୍ତ ସୁକାନ୍ତକୁ ଖୋଜିବା ଆରମ୍ଭ କରିଥିଲା। କିନ୍ତୁ ତାକୁ ପୁଲିସ ଠାବ କରିବା ପୂର୍ବରୁ ଘଟଣାର ପ୍ରାୟ ଘଣ୍ଟାକ ପରେ ସେ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ସ୍ତ୍ରୀ ପୂଜାଙ୍କ ଚରିତ୍ରକୁ ଦୋଷାରୋପ କରିବା ସହ ଛୁରିରେ ତଣ୍ଟି କାଟି ଦେଇଥିବା କଥା ସ୍ବୀକାର କରିଥିଲା। ଏହାପରେ ତାକୁ ପୁଲିସ ଘଟଣାସ୍ଥଳକୁ ନେଇଥିଲା ଏବଂ ସେ ଘର ଭିତରେ ଲୁଚାଇଥିବା ଛୁରି ପୁଲିସକୁ ଦେଇଥିଲା।

ପୂଜାଙ୍କ ଦୁଃଖଭରା ଜୀବନଯାତ୍ରା

ବମିଖାଲ ଅଞ୍ଚଳରେ ରହୁଥିବା ଅନ୍ତର୍ଯ୍ୟାମୀ ପ୍ରଧାନ ୧୯୯୯ ମସିହା ମହାବାତ୍ୟା ପରେ ପରେ ପୂଜାକୁ ପାଇଥିଲେ। ଦଶହରା ପୂଜା ବେଳେ ଏକ ମଣ୍ଡପ ନିକଟରେ ଏକୁଟିଆ ବୁଲୁଥିବା ମାତ୍ର ୧୦ ବର୍ଷ ବୟସର ପୂଜାକୁ ପାଇ ଅନ୍ତର୍ଯ୍ୟାମୀ ଘରକୁ ନେଇଥିଲେ ଏବଂ ସେବେଠୁ ଝିଅ କରି ଲାଳନପାଳନ କରିଥିଲେ। ସେତେବେଳେ ପୂଜା ନିଜ ବାପାମା’ ଓ ଘର ଠିକଣା କିଛି କହିପାରିନଥିଲେ। କିନ୍ତୁ ଅନ୍ତର୍ଯ୍ୟାମୀ ତାଙ୍କୁ ନିଜ ଝିଅଠୁ ବଳି ଭଲ ପାଉଥିଲେ। ୨୦୦୮ ମସିହା ବେଳକୁ ପୂଜା ୧୯ ବର୍ଷ ବୟସରେ ସୁକାନ୍ତକୁ ଭଲ ପାଇ ବସିଲେ। ଅନ୍ତର୍ଯ୍ୟାମୀ ରହୁଥିବା ଅଞ୍ଚଳରେ ସୁକାନ୍ତ ରହୁଥିଲା ଏବଂ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଥିଲା। ସେ ବିବାହ କରିଥିଲେ ବି ଅବିବାହିତ ବୋଲି କହୁଥିଲା। ପ୍ରଥମ ସ୍ତ୍ରୀ ପିଲାଛୁଆଙ୍କୁ ଧରି ଜଟଣୀ ନୂଆଗାଁ ପାଇକରାପୁରରେ ରହୁଥିଲେ। ସୁକାନ୍ତ ଅବିବାହିତ ବୋଲି ବୁଝି ପୂଜା ଭଲ ପାଇବସିଥିଲେ। କିନ୍ତୁ ସୁକାନ୍ତ ଭଲ ପିଲା ନ ଥିଲା ବୋଲି ଜାଣିପାରିଥିଲେ ଅନ୍ତର୍ଯ୍ୟାମୀ। ତେଣୁ ତା’ ସହ ମିଳାମିଶା କରିବାକୁ ସେ ପୂଜାକୁ ବାରଣ କରିଥିଲେ। ମାତ୍ର ପ୍ରେମରେ ପାଗଳ ହୋଇଯାଇଥିବା ପୂଜା ଲୁଚିକରି ସୁକାନ୍ତ ସହ ଜଟଣୀ ଚାଲିଯାଇଥିଲେ। ସୁକାନ୍ତ ଦ୍ବିତୀୟ ବିବାହ କରିବାରୁ ପ୍ରଥମ ସ୍ତ୍ରୀ ପିଲାଛୁଆଙ୍କୁ ଧରି ବାପଘରକୁ ପଳାଇଲେ। ସୁକାନ୍ତ ଓ ପୂଜାଙ୍କ ଘରସଂସାର କିଛି ଦିନ ଭଲରେ ଚାଲିଲା ଏବଂ ସେମାନଙ୍କ ପରିବାରରେ ଯୋଡ଼ିହୋଇଗଲେ ୨ ଝିଅ ସ୍ବର୍ଣ୍ଣଲତା ଓ ସୋନାଲି। ଏହାପରେ ଆରମ୍ଭ ହେଲା ଦାମ୍ପତ୍ୟ ଝଡ଼। ପୂଜାଙ୍କ ଚରିତ୍ରକୁ ସନ୍ଦେହ ନଜରରେ ଦେଖିଲା ସୁକାନ୍ତ। ଧୀରେଧୀରେ ତା’ ମୁଣ୍ଡ ବିଗିଡ଼ିବାରେ ଲାଗିଲା। ବାରମ୍ବାର ମାଡ଼ଗାଳି ଖାଇ ମଧ୍ୟ ପୂଜା ବାଧ୍ୟ ହୋଇ ସୁକାନ୍ତ ପାଖରେ ପଡ଼ିରହିଲେ। ପାଳିତ ବାପାଙ୍କ କଥା ମନେ ପଡ଼ୁଥିଲେ ବି ୨ ଝିଅଙ୍କ ଭବିଷ୍ୟତ ପାଇଁ ସେ ଦିନକୁ ଦିନ ବଢ଼ୁଥିବା ସୁକାନ୍ତର ଅକଥନୀୟ ନିର୍ଯାତନା ସହିଯାଉଥିଲେ। ମାତ୍ର ଶେଷରେ ପୂଜାଙ୍କ ଜୀବନଦୀପ ତା’ ମନର ମଣିଷ ହାତରେ ହିଁ ଲିଭିଗଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button