ବିଜେପି ନିଶାଣରେ ବିଜେଡି; ନବୀନ ସରକାରକୁ ଉପାଡ଼ି ଫିଙ୍ଗ: ଶାହ – Kalinga News

[ad_1]
ସୋନପୁର: ‘ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତିର ଗୌରବ ଯିଏ କରି ପାରିବନାହିଁ, ସେ ରାଜ୍ୟର ବିକାଶକୁ ଆଗକୁ ନେଇପାରିବ ନାହିଁ। ଓଡ଼ିଶା ସରକାର ବିକାଶରେ ବାଧକ ସାଜିଛନ୍ତି। ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଚାଲିଛି। ଓଡ଼ିଶାର ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାର ଆବଶ୍ୟକ। ଓଡ଼ିଶାର ବିକାଶ ପାଇଁ ନବୀନ ସରକାରକୁ ଉପାଡ଼ି ଫିଙ୍ଗ।’ ସୋନପୁରରେ ପ୍ରଥମ ନିର୍ବାଚନୀ ସଭାରେ ଯୋଗଦେଇ ବିଜେପିର ଷ୍ଟ୍ରାଟେଜି କିଙ୍ଗ୍ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେଡିକୁ ନିଶାଣ କରିବା ସହିତ ବିଜେଡି ପ୍ରତି ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ଶାହ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ସୁଯୋଗ ଦେବାସହ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଶ୍ରୀ ଶାହଙ୍କ ଆଜିର ଗର୍ଜନ ରାଜ୍ୟର ନିର୍ବାଚନୀ ବାତାବରଣକୁ ସରଗରମ କରିଛି। ବର୍ଷେ କି ଦୁଇବର୍ଷ ନୁହେଁ, ୨୦୧୯ ନିର୍ବାଚନ ପରଠାରୁ କେନ୍ଦ୍ରୀୟ ବିଜେପି ନେତୃତ୍ବ ରାଜ୍ୟ ସରକାର ଓ ବିଜେଡି ପ୍ରତି କୋହଳ ମନୋଭାବ ପୋଷଣ କରି ଆସୁଥିଲେ। ବିଜେପି ସ୍ବରରେ ପୂର୍ବ ଦମ୍ଭ ନଥିଲା। ଅର୍ଥାତ୍ ନରମିଯାଇଥିଲା ସ୍ବର। ଆଜି କିନ୍ତୁ ସାଧାରଣ ନିର୍ବାଚନ ପାଇଁ ମେଣ୍ଟ ବୁଝାମଣା ବିଫଳ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପରିବର୍ତ୍ତିତ ରଣନୀତିର ଅସଲ ସ୍ବରୂପ ସାମ୍ନାକୁ ଆସିଛି। ଏଯାଏ ରାଜ୍ୟ ବିଜେପି ନେତା ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରି ଆସୁଥିଲେ। କେନ୍ଦ୍ରୀୟ ବିଜେପି ନେତୃତ୍ବର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଆଜି ନିଜେ ଶାହ ବିଜେପି ନେତୃତ୍ବର ଦ୍ବନ୍ଦ୍ବ ଦୂର କରିଛନ୍ତି। ପଶ୍ଚିମ ଓଡ଼ିଶାରୁ ବିଜେଡି ବିରୋଧରେ ଯୁଦ୍ଧ ଡାକରା ଦେଇଛି ବିଜେପି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ନରେ ସୋନପୁର ରାମେଶ୍ବର ଷ୍ଟାଡିୟମ୍ରେ ଅନୁଷ୍ଠିତ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇଥିଲେ ଶ୍ରୀ ଶାହ। ଅତି କମ୍ ସମୟ ଭାଷଣ ଦେଇଥିଲେ। ନିଜର ଉଦ୍ବୋଧନରେ ପ୍ରାରମ୍ଭରୁ କିନ୍ତୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଗର୍ଜିଥିଲେ। ଶ୍ରୀ ଶାହ କହିଥିଲେ, ଓଡ଼ିଶାରେ ଭରପୂର ଖଣିଜ ସମ୍ପଦ ଥାଇ ବି ରାଜ୍ୟ ସବୁଠୁ ଗରିବ। ଓଡ଼ିଶାର ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଯିବା ରାଜ୍ୟ ସରକାରଙ୍କ ୨୪ ବର୍ଷର ଶାସନର ବିକାଶକୁ ସୂଚାଉଛି। ବିଜେପିକୁ ୫ ବର୍ଷ ସରକାର ଗଠନର ସୁଯୋଗ ଦିଅନ୍ତୁ। ୫ ବର୍ଷ ମଧ୍ୟରେ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ହେବ। ଶ୍ରୀ ଶାହ କହିଥିଲେ, ଗରିବଙ୍କୁ ୫ କେଜି ଚାଉଳ କେନ୍ଦ୍ର ସରକାର ଦେଉଛନ୍ତି। କିନ୍ତୁ, ଆମେ ଦେଉଛୁ କହି ରାଜ୍ୟ ସରକାର ମିଥ୍ୟା ବାହାବା’ ନେବାକୁ ଚେଷ୍ଟା କରୁଛନ୍ତି। ସେହିପରି ଗରିବ ଲୋକଙ୍କୁ ଯେଉଁ ଘର ମିଳୁଛି ତାହା ମୋଦୀ ସରକାର ଦେଉଛନ୍ତି। କିନ୍ତୁ ତାହା ବି ରାଜ୍ୟ ସରକାର ଦେଉଥିବା ନେଇ ମିଥ୍ୟା ପ୍ରଚାର କରୁଛନ୍ତି। ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି ଯେ ଏହି ଘର ମୋଦୀ ସରକାର ଦେଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ସ୍ବାସ୍ଥ୍ୟବୀମା ୫ ଲକ୍ଷ ଟଙ୍କା ଲୋକେ ପାଉଛନ୍ତି। କିନ୍ତୁ ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବା ଭୟରେ ଓଡ଼ିଶାରେ ଏହା ଲାଗୁ କରିବାକୁ ରାଜ୍ୟ ସରକାର ଭୟ କରୁଛନ୍ତି। ବିଜେପି ସରକାର ଗଠନ କଲେ କାଶୀ ବିଶ୍ବନାଥ ଭଳି ପୁରୀ ଶ୍ରୀକ୍ଷେତ୍ରର ମଧ୍ୟ ବିକାଶ ହେବ ଏବଂ ଏହା ବିଶ୍ବରେ ମହିମା ମଣ୍ଡନ କରିବ।
ଓଡ଼ିଶା ପାଇଁ ଡବଲ୍ ଇଞ୍ଜିନ ସରକାର ଆବଶ୍ୟକ
ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଚାଲିଛି
ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ଓଡ଼ିଶା ସରକାର ଡରୁଛନ୍ତି
୨୦ ବର୍ଷ ପୂର୍ବରୁ ଓଡ଼ିଶା ଯାହା ଥିଲା ଏବେ ବି ତାହା
କେନ୍ଦ୍ରମନ୍ତ୍ରୀ ପୁଣି କହିଥିଲେ, ୨୦ ବର୍ଷ ପୂର୍ବରୁ ଓଡ଼ିଶା ଯାହାଥିଲା ଏବେବି ତାହା ଅଛି। ମୋଦୀ ସରକାରଙ୍କ ୨୦୪୭ ବିକଶିତ ଭାରତ ସ୍ବପ୍ନ ଓଡ଼ିଶାର ବିକାଶ ହେଲେ ଯାଇ ସମ୍ଭବ ହେବ। ଓଡ଼ିଶାରେ ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ। ରାଜ୍ୟରେ ବିଜେପି ସରକାର ଗଠନ କଲେ ପ୍ରତ୍ୟେକ ଘରକୁ ଜଳଯୋଗାଣ ବ୍ୟବସ୍ଥା ହେବ। ସୁବର୍ଣ୍ଣପୁର ଜିଲ୍ଲାରେ କପା ଚାଷୀ ଅଧିକ ଅଛନ୍ତି। ପରିତାପର ବିଷୟ ରାଜ୍ୟ ସରକାର ଏଠାରେ ଟେକ୍ସଟାଇଲ ଶିଳ୍ପ ନକରି ଅନ୍ୟତ୍ର କରିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ କଲେ ସୋନପୁରରେ କପା ଚାଷୀଙ୍କ କଲ୍ୟାଣ ପାଇଁ ଟେକ୍ସଟାଇଲ ଶିଳ୍ପ, ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ମତ୍ସ୍ୟ ମହାବିଦ୍ୟାଳୟ, କୃଷି ଶିଳ୍ପ, ଆୟୁର୍ବେଦ ଔଷଧ କାରଖାନା ସ୍ଥାପନ କରାଯିବ। ଶ୍ରୀ ଶାହ ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ୍ କରିବାସହିତ ମୋଦୀ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, କଂଗ୍ରେସର ୭୦ ବର୍ଷ ଶାସନ ସମୟରେ ମଧ୍ୟ ଜମ୍ମୁକଶ୍ମୀରରୁ ୩୭୦ ଧାରା ହଟି ପାରିନଥିଲା। ମୋଦୀ ସରକାର ଏହା କରି ଏକ ଐତିହାସିକ ପଦକ୍ଷେପ ନେଇଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ସ୍ଥାପନ ମୋଦୀ ସରକାର ଦ୍ବାରା ସଫଳ ହୋଇଛି। କିନ୍ତୁ,ରାମ ମନ୍ଦିର ନକରିବା ପାଇଁ କଂଗ୍ରେସ ଚକ୍ରାନ୍ତ କରିଥିଲା। ଆତଙ୍କବାଦ ନିପାତ ପାଇଁ ମୋଦୀ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପୁଲୱାମାରେ ଆତଙ୍କୀ ହମ୍ଲାର ୧୦ ଦିନ ମଧ୍ୟରେ ମୋଦୀ ସରକାର ପାକିସ୍ତାନରେ ଥିବା ଆତଙ୍କୀଙ୍କ ଘରେ ପଶି ନିପାତ କରିବାକୁ ସକ୍ଷମ ହୋଇଥିଲେ। ଉପା ସରକାର ସମୟରେ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା ମିଳିଥିଲା। କିନ୍ତୁ ମୋଦୀ ସରକାରଙ୍କ ୧୦ ବର୍ଷ ମଧ୍ୟରେ ୪ ଲକ୍ଷ ୮୧ ହଜାର କୋଟି ଟଙ୍କା ମିଳିଛି। ତେବେ ଏହାର ସଦ୍ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।
ସାରାଦେଶରେ ଏବେ ମୋଦୀ ଲହର ଚାଲିଛି ଯାହା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ଓଡ଼ିଶାରୁ ୨୦ ଜଣଙ୍କୁ ସାଂସଦ ନିର୍ବାଚିତ କରିବା ସହ ଓଡ଼ିଶାରେ ବିଜେପିକୁ ବହୁମତ ଦେଇ ସରକାର ଗଠନ କରିବାର ସୁଯୋଗ ଦେବାପାଇଁ ଜନସାଧାରଣଙ୍କୁ ସେ ଆହ୍ବାନ ଦେଇଥିଲେ।
ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ମା’ ସୁରେଶ୍ବରୀ, ମା’ ମେଟାକାନୀ, ମା’ ପାଟଣେଶ୍ବରୀଙ୍କୁ ପ୍ରଣାମ କରି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି ସଭାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପସଭାପତି ଗୋଲକ ବିହାରୀ ମହାପାତ୍ର, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, ଲୋଇସିଂହା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷେ ବାଘ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ନବୀନ ଜୈନ, ସମ୍ବଲପୁର ବିଧାୟକ ପ୍ରାର୍ଥୀ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା, କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଗିରୀଶ ପଟେଲ, ଭବେନ୍ଦ୍ର ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉଷା କୁମାରୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ହକି ଖେଳାଳି ପ୍ରବୋଧ ତିର୍କି ବିଜେପିରେ ସାମିଲ ହୋଇଥିଲେ।
[ad_2]