ରାଜନୀତି

ଓଡ଼ିଶାରେ ରେଳ ଭିତ୍ତିଭୂମିକୁ କେତେ ଗତି ଦେବେ କେନ୍ଦ୍ର ସରକାର?

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପୂର୍ବାହ୍‌ଣରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବେ ସେ ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟକୁ ବିଭିନ୍ନ ବର୍ଗର ଲୋକେ ସରକାରଙ୍କ ଉପରେ ଭିନ୍ନଭିନ୍ନ ଆଶା ରଖିଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଥିବାରୁ ରାଜ୍ୟବାସୀ କେନ୍ଦ୍ର ବଜେଟରୁ ପୂର୍ବ ବର୍ଷ  ତୁଳନାରେ ଅଧିକ ପାଇବାକୁ ଆଶା ରଖିଛନ୍ତି। ରାଜ୍ୟର ରେଳ ବଜେଟକୁ ନେଇ ସବୁଠାରୁ ଅଧିକ ଆଶା ରହିଛି। କାରଣ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଛି।

ରେଳ ବଜେଟକୁ ଯଦି ଆକଳନ କରାଯାଏ ତେବେ ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ରେଳ ବଜେଟରେ ଓଡିଶାକୁ ହାରାହାରି ବାର୍ଷିକ ୮୩୮ କୋଟି ଟଙ୍କା ଅନୁଦାନ ମିଳିଥିଲା। ହେଲେ ୨୦୧୪-୨୦୧୯ ମଧ୍ୟରେ ଓଡିଶାକୁ ବାର୍ଷିକ ହାରାହାରି ୪୧୨୬ କୋଟି ଟଙ୍କା ଲେଖାଏଁ ମିଳିଛି। ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସୂଚନା ମୁତାବକ ୨୦୦୯ ରୁ ୨୦୧୪ ଭିତରେ ଓଡିଶାରେ ବାର୍ଷିକ ୫୩ କିଲୋମିଟର ନୂଆ ରେଳ ଲାଇନ ପ୍ରକଳ୍ପ ଦିଆଯାଇଥିଲା। ହେଲେ ୨୦୧୪ ରୁ ୨୦୨୪ ମଧ୍ୟରେ ବାର୍ଷିକ ହାରାହାରି ୧୮୩ କିଲୋମିଟର ନୂଆ ରେଳ ଲାଇନ ନିର୍ମାଣ ହେଉଛି। ଆସନ୍ତାକାଲିର ବଜେଟ୍‌ରେ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ କେତେ ଗତି ମିଳୁଛି ଦେଖିବାକୁ ରହିଲା।

କେବେ କେତେ ମିଳିଥିଲା?

୨୦୧୯-୨୦: ୪୫୬୮ କୋଟି
୨୦୨୦-୨୧: ୫୨୯୬ କୋଟି
୨୦୨୧-୨୨: ୬୪୭୧ କୋଟି
୨୦୨୨-୨୩: ୯୭୩୪ କୋଟି
୨୦୨୩-୨୪: ୧୦୦୧୨ କୋଟି
୨୦୨୪-୨୫: ୧୦୫୩୬ କୋଟି

କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓ ଭାରତୀୟ ରେଳ ବିଭାଗ ତରଫରୁ ଓଡିଶା ରେଳବାଇର ବିକାଶ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ ଓଡିଶାକୁ ରେଳ ବଜେଟରେ ଅଧିକ ଅନୁଦାନ ପ୍ରଦାନ କରାଯାଇଛି। ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ସରକାର ପରିବର୍ତ୍ତନ ହୋଇଛି। ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଛି ଓ ଅଶ୍ୱନୀ ବୈଷ୍ଣବ ଓଡିଶାରୁ ସାଂସଦ ଅଛନ୍ତି। ତେଣୁ ଚଳିତ ରେଳ ବଜେଟରେ ଓଡିଶାକୁ ପ୍ରାଧାନ୍ୟ ମିଳିବ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button