କାନ୍ଥ ରାଜନୀତିକୁ ଓହ୍ଲାଇଲା କଂଗ୍ରେସ – Kalinga News

[ad_1]
ଭୁବନେଶ୍ବର: ପ୍ରଥମେ ଭୁବନେଶ୍ବର ସାଂସଦ ତଥା ୨୦୨୪ର ବିଜେପି ଆଶାୟୀ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକମାନେ ରାଜଧାନୀ କାନ୍ଥରେ ଲେଖିଲେ ‘ଆଉ ଥରେ ଅପରାଜିତା’। ଗଳିକନ୍ଦି କାନ୍ଥ ସାଙ୍ଗକୁ ରାସ୍ତା ପାର୍ଶ୍ବ ପାଚେରିରେ ପଦ୍ମ ଫୁଲ ସହ ଅପରାଜିତାଙ୍କ ସମର୍ଥନରେ କର୍ମୀମାନେ ଗୋଟିଏ ପରେ ଗୋଟିଏ ଅଞ୍ଚଳ କାନ୍ଥରେ ଏଭଳି ବାର୍ତ୍ତା ଲେଖିବା ପରେ ଅପରାଜିତାଙ୍କ ସମର୍ଥକ ଓ ବିଏମ୍ସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରିସ୍ଥିତି ଏମିତି ହେଲା ଅପରାଜିତାଙ୍କ ସମର୍ଥକ ଯେଉଁଠି ଲେଖିଲେ, ବିଏମ୍ସି ତାହାକୁ ଲିଭାଇଲା। ପରବର୍ତ୍ତୀ ସମୟରେ ବିଜେଡି କର୍ମୀମାନେ ‘ଘରେ ଘରେ ଶଙ୍ଖ’ ନାରା ଦେଇ ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ମଇଦାନକୁ ଲମ୍ଫ ମାରିଲେ। ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରଶେଖରପୁରଠାରେ କାନ୍ଥରେ ପଦ୍ମ ଫୁଲ ଚିହ୍ନ ଆଙ୍କି କାନ୍ଥ ରାଜନୀତିକୁ ଅଧିକ ସରଗରମ କରିଥିଲେ। ତିନି ମାସ ହେଲା ବିଜେଡି, ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ଏବେ କଂଗ୍ରେସ କାନ୍ଥ ରାଜନୀତିକୁ ଓହ୍ଲାଇଛି। କିଏ କେଉଁଠୁ ପ୍ରାର୍ଥୀ ହେବ କଂଗ୍ରେସ ଦଳ ଏପର୍ଯ୍ୟନ୍ତ ସ୍ଥିର କରି ନାହିଁ। ତା’ପରେ ମଧ୍ୟ ଉତ୍ତର ଭୁବନେଶ୍ବରର କଂଗ୍ରେସ ଆଶାୟୀ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପତି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବୈଠକ କରିବା ସହ ଲୋକଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇଛନ୍ତି। ‘କଂଗ୍ରେସ ଆସୁଛି’ ନାରା ମାଧ୍ୟମରେ ଶ୍ରୀ ପତିଙ୍କ ଏଭଳି ଅଭିନବ ଉଦ୍ୟମ ଏବେ ଉତ୍ତର ଭୁବନେଶ୍ବର ରାଜନୀତିରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଉପସ୍ଥିତି ଜାହିର କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର ସହରର ତିନୋଟି ବିଧାନସଭା କ୍ଷେତ୍ରରେ ବିଜେଡି ଓ ବିଜେପି ମଧ୍ୟରେ ଟିକେଟ୍ ଦୌଡ଼ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଶ୍ରୀ ପତି ଏକମାତ୍ର ଆଶାୟୀ ଭାବେ ଏପର୍ଯ୍ୟନ୍ତ ମଇଦାନରେ ସାମ୍ନାକୁ ଆସିଛନ୍ତି। ଶ୍ରୀ ପତି ଲଗାତାର ଭାବେ ଉତ୍ତର ଭୁବନେଶ୍ବରରେ ସଭା, ସମିତି ଆୟୋଜନ କରି କଂଗ୍ରେସ କର୍ମୀଙ୍କୁ ଏକାଠି କରୁଥିବା ଦେଖିବାକୁ ମିଳିଛି। ୫ ପଞ୍ଚାୟତର ପୁରୁଣା କଂଗ୍ରେସ କର୍ମୀଙ୍କୁ ଏକାଠି କରିବାରେ ସଫଳ ହେବା ପରେ ଏବେ ଭୁବନେଶ୍ବର ମହାନଗର ନିଗମ ଅଧୀନ ବିଭିନ୍ନ ୱାର୍ଡରେ ବୈଠକ କରି କଂଗ୍ରେସକୁ ତୃଣମୂଳସ୍ତରରୁ ଉପରକୁ ଉଠାଇବାକୁ ପ୍ରାୟସ ଆରମ୍ଭ କରିଛନ୍ତି। ବିଏମ୍ସି ଅଧୀନ ସାଲିଆସାହି, ଶକ୍ତି ବିହାର, ରେଣ୍ଟାଲ କଲୋନି, ବେହେରା ବସ୍ତି, ଆଦିବାସୀ ଗାଁ, ମେ’ ଫେୟାର ବସ୍ତି, ସରଣାପଲ୍ଲୀ ଅଞ୍ଚଳରେ ଘରକୁ ଘର ବୁଲି ଶତାଧିକ ଯୁବକ, ମହିଳା ଓ ବରିଷ୍ଠ ନାଗରିକଙ୍କୁ ସାକ୍ଷାତ କରିଛନ୍ତି। ଶକ୍ତି ବିହାର କମ୍ୟୁନିଟି ହଲ୍ରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଶ୍ରୀ ପତି ଯୋଗଦେଇ କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ନିର୍ବାଚନରେ ସମସ୍ତେ ସଙ୍ଗଠିତ ହୋଇ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି। ଏହି ବୈଠକରେ ଆଲୋକ ଦିଗଲ, ଅସିତ୍ ଦିଗଲ, ଅଶୋକ ନାୟକ, ଜୁନେସ ଦିଗଲ, ଉଜ୍ୱଳ ଦିଗଲ, ବିକାଶ ନାୟକ, କାର୍ତିକ ନାୟକ, ସୁଧୀର ନାୟକ ପ୍ରମୁଖ ସାମିଲ ହୋଇଥିଲେ।
[ad_2]