ରାଜନୀତି

କଂଗ୍ରେସର ପ୍ରଥମ ତାଲିକା: ୪୭ ବିଧାୟକ, ୮ ସାଂସଦ ପ୍ରାର୍ଥୀ ଘୋଷଣା – Kalinga News

[ad_1]

୨ ସହଯୋଗୀ ଦଳ ପାଇଁ ଛାଡ଼ିଲା ୨ ନିର୍ବାଚନମଣ୍ଡଳୀ

ଭୁବନେଶ୍ବର: ବିଜେଡି ଓ ବିଜେପି ପରେ କଂଗ୍ରେସ ଆଜି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ଓ ୪୭ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୨ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନିଜର ଦୁଇ ସହଯୋଗୀ ଦଳଙ୍କୁ ଛାଡ଼ି ଦେଇଛି କଂଗ୍ରେସ। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ କଂଗ୍ରେସର ବହୁ ହେଭିୱେଟ୍‌ ରହିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

କଂଗ୍ରେସ ପକ୍ଷରୁ ଘୋଷଣା ହୋଇଥିବା ୪୭ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ୨୧ ଜଣ ଏସ୍‌ଟି ଓ ୪ଜଣ ଏସ୍‌ସି ବର୍ଗର ପ୍ରାର୍ଥୀ ରହିଛନ୍ତି। ଏସ୍‌ଟି ବର୍ଗର ୭ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ସୁଧାରାଣୀ ରାଉଦିଆ, ହରାବତୀ ଗଣ୍ଡ, ଲିପିକା ମାଝୀ, ରଶ୍ମିରେଖା ରାଉତ, ପ୍ରତିଭା କଂହର, ରଶ୍ମିରେଖା ରାଉତ ଓ ମାଲା ମାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଳାହାଣ୍ଡି ଲୋକସଭା ପାଇଁ ଦ୍ରୌପଦୀ ମାଝୀ ଏକମାତ୍ର ମହିଳା ଭାବେ ସ୍ଥାନ ପାଇଛନ୍ତି। କଂଗ୍ରେସର ୯ ବିଧାୟକ ମଧ୍ୟରୁ ଏବେ ୭ଜଣ ବିଧାୟକ ରହିଛନ୍ତି। ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡ଼ି ସାରିଛନ୍ତି। ଜଟଣୀ ବିଧାୟକ ସ‌ୁରେଶ ରାଉତରାୟ ଓ ବଲାଙ୍ଗୀରୁ ନରସିଂହ ମିଶ୍ର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ସୁରଙ୍କ ପରିବାରର କୌଣସି ସଦସ୍ୟ ମଧ୍ୟ କଂଗ୍ରେସରୁ ନିର୍ବାଚନ ଲଢ଼ିବାର ନାହିଁ। ‌ତେବେ ନରସିଂହ ମିଶ୍ରଙ୍କ ବଦଳରେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀରରୁ ପ୍ରାର୍ଥୀ ହୋଇଛନ୍ତି। ୫ ବିଧାୟକ ସିଏସ୍ ରାଜନ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦାଶରଥୀ ଗମାଙ୍ଗ, ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ପୂର୍ବଭଳି ନିଜ ନିଜ ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ସେହିପରି ନିକଟରେ କଂଗ୍ରେସକୁ ଫେରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ପୁନର୍ବାର କଂଗ୍ରେସ ଟିକେଟ‌ରୁ ନିର୍ବାଚନକୁ ଓହ୍ଲାଇବେ ବୋଲି ଆଶା କରାଯାଉଥିଲା। ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସକୁ ଫେରିଥିବା ଗମାଙ୍ଗ ପରିବାରର କାହାରିକୁ ଟିକେଟ ମିଳିନାହିଁ।

୨ ସହଯୋଗୀ ଦଳ ପାଇଁ ଛାଡ଼ିଲା ୨ ନିର୍ବାଚନମଣ୍ଡଳୀ
ନୂଆପଡ଼ାରୁ ଶରତ, ପାରଳାଖେମୁଣ୍ଡିରୁ ବିଜୟ
୮ରୁ ୭ ସାଂସଦ ପ୍ରାର୍ଥୀ ନୂଆ
ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ

ବ୍ରଜରାଜନଗରରେ କିଶୋର ଚନ୍ଦ୍ର ପଟେଲ, ପଟାଙ୍ଗୀରୁ ରାମଚନ୍ଦ୍ର କାଡ଼ାମ, ମାଲକାନଗିରିରୁ ମାଲା ମାଢ଼ୀ ନିଜର ସ୍ଥାନ ବଜାୟ ରଖିଛନ୍ତି। ନୂଆ କରି ଦଳରେ ସାମିଲ ହୋଇଥିବା ହକି ଖେଳାଳି ପ୍ରବୋଧ ତିର୍କୀ ତଳସରା ଆସନରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ଗୋଟିଏ ପରିବାରର ଜଣଙ୍କୁ କଂଗ୍ରେସ ଟିକେଟ‌ ଦେବ ବୋଲି ଘୋଷଣା କରିଥିଲା। ହେଲେ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ ଭୁଜବଳ ମାଝୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ନର୍ଲାରୁ ଭକ୍ତ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସାଗର ଚରଣ ଦାସ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ନବରଙ୍ଗପୁର ଲୋକସଭା ଆସନ ପାଇଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ଝିଅ ଲିପିକା ମାଝୀ ଡାବୁଗାଁରୁ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି।
ଅପରପକ୍ଷରେ ନିଜର ସହଯୋଗୀ ଦଳଙ୍କୁ ମଧ୍ୟ ଗୁରୁତ୍ବ ଦେଇଛି କଂଗ୍ରେସ। ଜାତୀୟ ଢାଞ୍ଚାରେ ଓଡ଼ିଶାରେ ୧୭ଟି ଦଳକୁ ନେଇ ଗଠନ ହୋଇଥିବା ‘ଇଣ୍ଡିଆ ମେଣ୍ଟ-ଓଡ଼ିଶା’ର ଗୁରୁତ୍ବକୁ ନେଇ ୨ଟି ବିଧାନସଭା ସିଟ୍‌ ଛାଡ଼ିଛି କଂଗ୍ରେସ। ବୀରମିତ୍ରପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ଓ ବଣାଇରୁ ସିପିଆଇ-ଏମ୍‌ ନିଜର ପ୍ରାର୍ଥୀ ଘୋଷଣା କରିବେ। ଓଡ଼ିଶାରେ ଆଉ ୯୮ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ବାକି ରହିଥିବାରୁ ଅନ୍ୟ ସହଯୋଗୀ ଦଳଙ୍କୁ ମଧ୍ୟ ଆଉ କିଛି ଆସନ ଛାଡ଼ିପାରେ ବୋଲି ଆଶା କରାଯାଉଛି। ସେହିପରି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୪ଟି ଏସ୍‌ଟି ଆସନ ରହିଛି। କେବଳ ସପ୍ତଗିରି ଉଲ୍ଲାକାଙ୍କୁ ବାଦ୍ ଦେଲେ ପ୍ରାୟ ସବୁ ନୂଆ ମୁହଁ। ଗତମାସ କଂଗ୍ରେସର ହାତ ଧରିଥିବା ଅଭିନେତା ମନୋଜ ମିଶ୍ର ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button