ରାଜନୀତି

ଜୟଦେବରେ ରାଜନୈତିକ ଉଷ୍ମତା: ବାଇକ ଶୋଭାଯାତ୍ରା, କର୍ମୀ ସମ୍ମିଳନୀ – Kalinga News

[ad_1]

ବାଲିଅନ୍ତା/ ବାଲିପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି ଜୟଦେବ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ସେତିକି ଉଷ୍ଣ ହୋଇପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଜୟଦେବରେ କୌଣସି ରାଜନୈତିକ ଦଳର ବିଧାୟକ ଆଶାୟୀ ପ୍ରାର୍ଥୀଙ୍କର ନାମ ତାଲିକା ଘୋଷଣା ହୋଇନଥିଲେ ହେଁ ଦଳୀୟ କର୍ମୀ ଓ ସମର୍ଥକମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। ଆଶାୟୀଙ୍କ ମଧ୍ୟରୁ କିଏ ଦଳୀୟ ଟିକେଟ ପାଇବ ତାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ନେତୃବୃନ୍ଦ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ଛକ, ହାଟ, ବଜାର ଓ ଗାଁ ଚା’ଖଟିରେ ଏନେଇ ଆଲୋଚନା ଜୋର୍‌ ଧରିଛି। ଆଜି ଅପରାହ୍ନରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ ବିଜେପି ନେତା ସତ୍ୟପ୍ରିୟ ବେହେରାଙ୍କ ନେତୃତ୍ବରେ ଏକ ବଡ଼ ବାଇକ୍‌ ଶୋଭାଯାତ୍ରା ବାହାରିଥିଲା। ସେଥିରେ ୩ ହଜାରରୁ ଅଧିକ ଯୁବକ ବାଳକାଟି ପ୍ରତାପଶାସନ ଖେଳପଡ଼ିଆରୁ ବାହାରି ବାଲିପାଟଣା ସରିପୁର ସାପ୍ତାହିକ ହାଟ ନିକଟସ୍ଥ ଖେଳପଡ଼ିଆରେ ପହଞ୍ଚିଥିଲେ। ଏହା ପରେ ଶ୍ରୀ ବେହେରାଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ରାଘବ ସେଠୀ, ଜିଲ୍ଲା ସଭାପତି ଅଶୋକ ପଟ୍ଟନାୟକ, ଅଭିନେତ୍ରୀ ବିଦୁସ୍ମିତା, ମାଗୁଣି ସେଠୀ, ସାଂସଦଙ୍କ ପ୍ରତିନିଧି ତାପସ ଜେନା ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେପି ସମର୍ଥିତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଆହ୍ବାନ ଦେଇଥିଲେ।

ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଗଡ଼ଶ୍ରୀରାମପୁରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଜୟଦେବ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଗଠକ ଚନ୍ଦନ ପାତ୍ରଙ୍କ ନେତୃତ୍ବରେ ପ୍ରତିଦିନ ସମାନ୍ତରାଳ ଭାବେ ୱାର୍ଡ, ପଞ୍ଚାୟତ ଓ ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଚାଲିଛି। ଗତକାଲି ୧୯ ନମ୍ବର ଜୋନ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ ସକ୍ରିୟ ଗ୍ରାମ୍ୟ କମିଟି ସଦସ୍ୟମାନେ ବୁଥ ସଂଗଠନକୁ ଦୃଢ଼ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଅନୁରୂପ ଭାବେ ଆଜି ଜଗନ୍ନାଥପୁର ଓ ଆଳିଶିଶାସନ ପଞ୍ଚାୟତ ବୈଠକରେ ଉପସ୍ଥିତ କର୍ମୀଙ୍କୁ ଚନ୍ଦନ ସମାନ କଥା ଦୋହରାଇଥିଲେ। ସେହିପରି କଂଗ୍ରେସ ସଂଗଠନ ପକ୍ଷରୁ ତୃଣମୂଳ ସ୍ତରରୁ ପୁରୁଣା କର୍ମୀ ଓ ଯୁବବର୍ଗଙ୍କୁ ଏକତ୍ରିତ କରି କର୍ମୀ ସମାବେଶ କରି ଦଳୀୟ ନେତୃବୃନ୍ଦ ନିର୍ବାଚନ ରଣନୀତି ସମ୍ପର୍କରେ ବୁଝାଉଥିବା ଜଣାପଡ଼ିଛି। ନିକଟରେ ବାଲିପାଟଣା ଶିଶୁମଠ ଠାରେ ବରିଷ୍ଠ କଂଗେସ ନେତା ବେଣୁଧର ଭୋଇ ଓ ବଟକୃଷ୍ଣ ରାଉତରାଉଙ୍କ ନେତୃତ୍ବରେ ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ବହୁ ସଂଖ୍ୟାରେ କର୍ମୀଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ନଳିନୀ ବେହେରା ଓ ଜୟନ୍ତ ଭୋଇ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ଗତ ୧୯ ତାରିଖରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ବିଜ୍ଞାପିତ ଅଞ୍ଜଳ ଘୋଷଣା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ପ୍ରଶାସନ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଅଶୋକ ମଙ୍ଗରାଜଙ୍କ ନେତୃତ୍ବରେ ମା’ ଦୁଲ୍ଲାଦେବୀ ମନ୍ଦିର ପରିସରରେ ଗତ ସପ୍ତାହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ସେହିପରି ଆଜି କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠରେ ବିଜେପିର ଅନ୍ୟତମ ଆଶାୟୀ ଜଗନ୍ନାଥ ବେହେରାଙ୍କ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବେହେରା ରାଜ୍ୟ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ଅଛନ୍ତି। ଏଥିସହିତ ଜୟଦେବ ନିର୍ବାଚନମଣ୍ଡଳୀ ଏକ ସଂରକ୍ଷିତ ଆସନ ହୋଇଥିବାରୁ ସେ ଏଠାରୁ ପ୍ରାର୍ଥୀ ହେବାକୁ ଅନ୍ୟତମ ଆଶାୟୀ ଭାବେ ଜଣାଶୁଣା। ଆଜିର ବୈଠକରେ ବିଜେପିର ଖୋର୍ଦ୍ଧା ଜିଲ୍ଲା ଉପସଭାପତି ପ୍ରଶାନ୍ତ ଆଦିତ୍ୟ, କୃଷକ ମୋର୍ଚ୍ଚାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ସ୍ୱାଇଁ, ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ବେହେରା, ଅନୁସୂଚିତ ଜାତି ମୋର୍ଚ୍ଚା ସମନ୍ୱୟ କମିଟି ସଦସ୍ୟ ପବିତ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅଶୋକ ପ୍ରଧାନ, ଦୁଇ ମଣ୍ଡଳ ସଭାପତି ସଞ୍ଜୟ ତ୍ରିପାଠୀ ଓ ସଞ୍ଜୟ ଦାଶ, ସୌମ୍ୟ ରଞ୍ଜନ ଦାସ, କାଳନ୍ଦୀ ବେହେରା, ଝିଲି ସାମନ୍ତରାୟ, ସସ୍ମିତା ସାମନ୍ତରାୟ, ସୁଲୋଚନା ମହାନ୍ତି, ସୁନିତା ପଟ୍ଟନାୟକ ଓ ଗୀତାଞ୍ଜଳି ଭୋଇ ବକ୍ତବ୍ୟ ରଖିଥିଲେ। ଦଳ ଯାହାକୁ ପ୍ରାର୍ଥୀ କରିବ, ସମସ୍ତେ ଏକାଠି ଲଢ଼ି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ବୋଲି କହିଥିଲେ। ମାତ୍ର ଏହି ବୈଠକରେ ଦଳର କିଛି ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହି ବୈଠକ ଜରିଆରେ ଜଗନ୍ନାଥ ତାଙ୍କ ଶକ୍ତି ପ୍ରଦର୍ଶନ କରିଥିବା କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button