ରମେଶ ବିଜେଡି ଛାଡ଼ିବା ନେଇ ଚର୍ଚ୍ଚା – Kalinga News

[ad_1]
ଅନୁଗୁଳ: ବିଜେଡିରେ କୋଣଠେସା ହୋଇପଡ଼ିଥିବା ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେଡି ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ଦଳ ପକ୍ଷରୁ ଏଠାରେ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରାଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲାବେଳେ ସଂଗଠନରୁ ରମେଶକୁ ଦୂରେଇ ରଖାଯାଇଛି। ଟିକେଟ୍ ମିଳିବା ଆଶା ମଉଳିଯିବା ପରେ ଏବଂ ଦଳରେ ଆଉ ଗୁରୁତ୍ବ ନ ଥିବାରୁ ରମେଶ ବିକଳ୍ପ ସନ୍ଧାନରେ ଅଛନ୍ତି। ତେଣୁ ଖୁବ୍ଶୀଘ୍ର ସେ ବିଜେଡି ଛାଡ଼ି ବିଜେପିରେ ମିଶିବେ ବୋଲି ଆଠମଲ୍ଲିକରେ ଆଲୋଚନା ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାବୁରୁ ରାଜନେତା ବନିଥିବା ରମେଶ ସାଏ ୨୦୧୯ରେ ପ୍ରଥମ ଥର ପାଇଁ ବିଜେଡି ଟିକେଟ୍ ପାଇ ରେକର୍ଡ ଭୋଟ୍ରେ ଜିତିଥିଲେ। ନଳିନୀଙ୍କ ଏକାନ୍ତ ଅନୁଗତ ରମେଶ ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଓହ୍ଲାଇ ସଫଳ ହୋଇଥିଲାବେଳେ ଖୋଦ୍ ନଳିନୀ ହାରି ଯାଇଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଦୁଇ ନେତାଙ୍କ ଭିତରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଏବେ କେହି କାହା ମୁହଁ ଚାହୁଁନାହାନ୍ତି। ଏପଟେ ବିଜେଡି ନଳିନୀକୁ ଗୁରୁତ୍ବ ଦେଇ ତାଙ୍କ ହାତରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ସଂଗଠନର ଦାୟିତ୍ବ ଦେଇଛି। ବିଧାୟକ ଥିଲେ ମଧ୍ୟ ଦଳର କୌଣସି କାମରେ ରମେଶଙ୍କୁ ଗୁରୁତ୍ବ ଦିଆଯାଉନି। ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ବିଧାୟକଙ୍କୁ ଅଧିକାରୀମାନେ ଅଣଦେଖା କରୁଛନ୍ତି।
ବିଜେଡିରେ ଏକଘରକିଆ ହୋଇଯିବା ପରେ ବିଜେପି ଆଡ଼କୁ ରମେଶ ଢଳିବା ଆରମ୍ଭ କରି ଦେଇଛନ୍ତି। ଏପରିକି ନିଜ ଗାଁରେ ନିଜ ଜାତିର ଏକ ଧାର୍ମିକ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଠାରେ ଧର୍ମେନ୍ଦ୍ର ମଧ୍ୟ ରମେଶଙ୍କୁ ପ୍ରଶଂସା କରି ଏକ ଭିନ୍ନ ରାଜନୈତିକ ସମୀକରଣ ଆଡ଼କୁ ଇସାରା ଦେଇଛନ୍ତି। ଏପଟେ ରମେଶ ସାଏ ନିଜ ଦଳର ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିବାକୁ ନ ଆସି ଧର୍ମେନ୍ଦ୍ରଙ୍କ ସହ ସଭାରେ ବସିବା ପରେ ବିଜେଡି ବି ତାଙ୍କ ଉପରେ କ୍ଷୁବ୍ଧ ରହିଛି। କୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା ରହିଥିଲାବେଳେ ଏହା ପୂର୍ବରୁ ସେ ଦଳ ଛାଡ଼ିବେ ବୋଲି ଜଣାପଡ଼ିଛି। ଏଥିନେଇ ଦଳୀୟ ନେତାଙ୍କୁ ମଧ୍ୟ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। ଜଣେ ବରିଷ୍ଠ ବିଜେଡି ନେତାଙ୍କ କହିବାନୁସାରେ, ଦଳରେ ରମେଶଙ୍କୁ ଗୁରୁତ୍ବ ଦିଆଯାଉ ନଥିବାରୁ ସେ ଇସ୍ତଫା ଦେବେ ବୋଲି ଦଳୀୟ ନେତାଙ୍କୁ ସୂଚନା ଦେଇଛନ୍ତି। ତେବେ କେବେ ଇସ୍ତଫା ଦେବେ ତା’ ସ୍ପଷ୍ଟ ହୋଇନି। ଏଥିନେଇ ରମେଶ ସାଏଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।
[ad_2]




