ରାଜନୀତି

ନୂଆମୁହଁକୁ ନେଇ ଲଢ଼ିବ କଂଗ୍ରେସ: ରଶ୍ମିଙ୍କ ପରେ ଚର୍ଚ୍ଚାରେ ପ୍ରଶାନ୍ତ – Kalinga News

[ad_1]

ଭୁବନେଶ୍ବର: ଏକାମ୍ର ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ କିଏ? ବିଜେଡି ଓ ବିଜେପିକୁ କିଏ ମୁକାବିଲା କରିବ ? ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ୨୦୦୯ ମସିହାରେ ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପରଠାରୁ କଂଗ୍ରେସ ଥରୁଟେ ମଧ୍ୟ ବିଜୟୀ ହୋଇନାହିଁ। ଅପରପକ୍ଷେ ଲଗାତାର ଭାବେ ବିଜେଡି ଏକାମ୍ରକୁ ଦଖଲ କରିଆସିଛି। ୨୦୦୯ ମସିହାରେ କଂଗ୍ରେସ ବିଜୟୀ ବିଜେଡିର ନିକଟତମ ପ୍ରତିଦ୍ବନ୍ଦ୍ବୀ ଥିବା ବେଳେ ୨୦୧୪ ଓ ୨୦୧୯ରେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହୋଇଥିଲା ବିଜେପି। ଏଠାରେ କଂଗ୍ରେସ ଭୋଟ୍‌ ହାର ପ୍ରତି ଥର କମିଚାଲିଛି। ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ‘ପ୍ରଗମନ୍‌’ ଆପ୍‌ରେ ଏକାଧିକ ଟିକେଟ୍‌ ଆଶାୟୀ ନିଜର ନାମ ଦାଖଲ କରିଥିଲେ। କିନ୍ତୁ ୩ ଜଣଙ୍କ ନାମକୁ ନେଇ ଏକାମ୍ର କଂଗ୍ରେସ ଶିବିରରେ ଅଧିକ ଚର୍ଚ୍ଚା ହେଉଥିଲା। ୨୦୧୯ରେ ପ୍ରାର୍ଥୀ ହୋଇଥିବା ରଶ୍ମି ମହାପାତ୍ର ହାରିବା ପରେ ବି ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଥିଲେ। ଏଥର ନିଶ୍ଚୟ ଦଳ ତାଙ୍କୁ ହିଁ ଟିକେଟ୍‌ ଦେବ ବୋଲି ସମର୍ଥକମାନେ କହି ବୁଲୁଥିଲେ। ହେଲେ ହଠାତ୍‌ ୨ ଦିନ ତଳେ ସେ ହାତ ଛାଡ଼ି ପଦ୍ମ ଶିବିରରେ ଯୋଗଦେଇଛନ୍ତି। ଶ୍ରୀମତୀ ମହାପାତ୍ର ଯିବା ପରେ ଶିଶୁପାଳଗଡ଼ର କଂଗ୍ରେସ ନେତା ପ୍ରଶାନ୍ତ କୁମାର ଚମ୍ପତିଙ୍କ ନାମ ଚର୍ଚ୍ଚା ସର୍ବାଗ୍ରେ ରହିଛି।

ଶ୍ରୀ ଚମ୍ପତି ୨୦୧୨ ମସିହାରେ ଶିଶୁପାଳଗଡ଼ର ସମିତି ସଭ୍ୟ ଓ ବର୍ତ୍ତମାନ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା କଂଗ୍ରେସର ଉପ ସଭାପତି ଦାୟିତ୍ବରେ ଅଛନ୍ତି। ଓଡ଼ିଶା ବଞ୍ଚାଅ ଅଭିଯାନ, ଜନସମ୍ପର୍କ ଯାତ୍ରା ଆଦି କଂଗ୍ରେସର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ତତ୍ପରତା ତାଙ୍କ ନାମକୁ ଅଧିକ ଚର୍ଚ୍ଚାକୁ ଟାଣିଛି। ମୁଖ୍ୟତଃ ପଞ୍ଚାୟତ ଅଞ୍ଚଳରେ ନିଜର ଦବ୍‌ଦବା ଜାହିର କରୁଛନ୍ତି ଶ୍ରୀ ଚମ୍ପତି। ସେହିପରି ଯୁବ ନେତା କୃଷ୍ଣଚନ୍ଦ୍ର ମହାନ୍ତି ମଧ୍ୟ ଟିକେଟ୍‌ ଦୌଡ଼ରେ ଅଛନ୍ତି। ରାଜ୍ୟ ଯୁବ କଂଗ୍ରେସ ସଭାପତି ପାଇଁ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ତାଙ୍କର ନିର୍ବାଚନମଣ୍ଡଳୀରେ ସେଭଳି ସାଂଙ୍ଗଠନିକ କାର୍ଯ୍ୟ ଦେଖିବାକୁ ମିଳିନାହିଁ। ଏ ସମ୍ପର୍କରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସାଂଗଠନିକ ସଭାପତି ବିଶ୍ବଜିତ ଦାସ କହିଛନ୍ତି, ଚଳିତ ଥର ପ୍ରଗମନ୍‌ ଆପ୍‌ରେ ଅନେକ ନେତା ଟିକେଟ୍‌ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ନଥିଲେ। ପ୍ରାର୍ଥୀ ହେବା ପାଇଁ ୩ ଜଣ ପ୍ରଥମ ପର୍ଯ୍ୟାୟରେ ନଜରକୁ ଆସିଥିଲେ। ତେବେ ଜଣେ ଯୋଗ୍ୟ ପ୍ରାର୍ଥୀ ଭାବରେ ସମସ୍ତ ଦିଗକୁ ବିଚାର କରାଯାଇ ପ୍ରଶାନ୍ତ ଚମ୍ପତିଙ୍କ ନାମକୁ ସୁପାରିସ କରାଯାଇଛି।

ମଧ୍ୟରେ ଜଣେ ଆଶାୟୀ

ଭୁବନେଶ୍ବର: ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀରେ କେ‌ଉଁମାନେ ହେବେ ବିଧାୟକ ପ୍ରାର୍ଥୀ? ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିଛି। ଦୀର୍ଘକାଳରୁ କଂଗ୍ରେସ ଜିତିବା ଭଳି ଅବସ୍ଥାକୁ ମଧ୍ୟ ଆସିନାହିଁ। ଲଗାତାର ୩ଟି ନିର୍ବାଚନରେ କଂଗ୍ରେସ ତୃତୀୟ/ଚତୁର୍ଥ ସ୍ଥାନରେ ରହିଆସିଛି। ପ୍ରତ୍ୟେକ ଥର ବିଜେଡି ଓ ବିଜେପି ସହ ଲଢ଼େଇ ହୋଇଛି। ଏଥର ବି କଂଗ୍ରେସରେ ଏକାଧିକ ଆଶାୟୀ ନାହାନ୍ତି। ପୂର୍ବରୁ ବିଜେଡି-ବିଜେପି ‌ମେଣ୍ଟ ନେଇ ଚର୍ଚ୍ଚା ହେଉଥିବାରୁ କଂଗ୍ରେସ ଉତ୍ସାହିତ ହୋଇଥିଲା। କିନ୍ତୁ ମେଣ୍ଟ ଆଶା ମଉଳିବା ପରେ ଉଭୟ ପ୍ରମୁଖ ଦଳ ପ୍ରାର୍ଥୀ ଦେବା ଆରମ୍ଭ କରିଛନ୍ତି। ଯାହା ଫଳରେ କଂଗ୍ରେସ ନିରୁତ୍ସାହିତ ହୋଇଥିବା କୁହାଯାଉଛି।

ରାଜ୍ୟ ରାଜଧାନୀରେ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ରହିଛି। ୨୦୨୨ ପୌର ନିର୍ବାଚନରେ ‌ଦଳ ଆଶାନୁରୂପ ସଫଳତା ପାଇନଥିଲା। ବଡ଼ କଥା ଥିଲା, ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ସମସ୍ତ ୬୭ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇପାରିନ ଥିବା ଭଳି ଅଲୋଡ଼ା ରେକର୍ଡ ସୃଷ୍ଟି କରିଥିଲା। ଦଳର ଜଣେ ବି କର୍ପୋରେଟର୍‌ ବିଏମ୍‌ସିକୁ ନିର୍ବାଚିତ ‌ହୋଇପାରି ନଥିଲେ। ମେୟର ପଦବିରେ କଂଗ୍ରେସ ପ୍ରାର୍ଥୀ ଅନ୍ୟ ଦୁଇ ପ୍ରମୁଖ ପ୍ରାର୍ଥୀଙ୍କ ଠାରୁ ଢେର୍‌ ଭୋଟ୍‌ ବ୍ୟବଧାନରେ ପଛରେ ରହିଥିଲେ। ମୋଟ ଉପରେ କହିବାକୁ ଗଲେ ରାଜଧାନୀରେ କଂଗ୍ରେସ ନିଜର ସ୍ଥିତି ସୁଦୃଢ଼ କରିବାକୁ ଉଦ୍ୟମ କରି ନଥିବା ପରିଲକ୍ଷିତ ହୋଇଥିଲା। ଏପରିକି ସହରର ମୌଳିକ ସମସ୍ୟାକୁ ନେଇ ନେତାମାନେ କେବେ ବି ସାଧାରଣ ଜନତାଙ୍କ ପାଇଁ ଛିଡ଼ା ହୋଇନାହାନ୍ତି। ଫଳରେ ଏବେ ବି ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ସ୍ଥିତି ଦୟନୀୟ ଅଛି।

୨୦୧୯ରେ ମଧ୍ୟ ଭୁବନେଶ୍ବରରେ କଂଗ୍ରେସ ଯାହାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା, ତାଙ୍କର ସ୍ଥିତି ଏବେ ଆଉ ନାହିଁ। ରାଜୀବ କୁମାର ପଟ୍ଟନାୟକ ମାତ୍ର ୨୭୪୬ ଖଣ୍ଡ ଭୋଟ୍‌ ପାଇଥିଲେ। ନିର୍ବାଚନ ପରେ ସେ ଆଉ ଦିଶିନଥିଲେ। ୨୦୧୪ରେ ଲଢ଼ିଥିବା ଶୁଭେନ୍ଦୁ ମହାନ୍ତି ୧୦ ବର୍ଷ ହେବ ଭୁବନେଶ୍ବର ମଇଦାନରେ ନାହାନ୍ତି। ୨୦୦୯ରେ ଥିବା ଆଲୋକ ଜେନା ମଧ୍ୟ ସଂଗଠନରେ ନାହାନ୍ତି। ଏବେ ଏଠାରେ କଂଗ୍ରେସର ଏକମାତ୍ର ଆଶାୟୀ ଭାବେ ମୁଖପାତ୍ର ରଜନୀ ମହାନ୍ତିଙ୍କ ନାମ ଶୁଣାଯାଉଛି। ତେବେ ଦୁର୍ବଳ ସଂଗଠନକୁ ସଜାଡ଼ି କଂଗ୍ରେସ ପ୍ରାର୍ଥୀ କିପରି ବିଜେଡି ଓ ବିଜେପିର ମୁକାବିଲା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରଚାରକୁ ଓହ୍ଲାଇଲେଣି ଏକାଧିକ, ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବରରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ? କାହା ଉପରେ ଭରସା କରିବ ଦଳ? ୨୦୦୯ରୁ ୨୦୧୯ ମଧ୍ୟରେ ଲଗାତାର ୩ଟି ସାଧାରଣ ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ମାଟିକାମୁଡ଼ି ପଡ଼ିଛନ୍ତି। ତେବେ ପ୍ରତିଟି ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରୁଥିବା କଂଗ୍ରେସ ଏଥର ମଧ୍ୟ ଏଠାରେ ନୂଆ ମୁହଁକୁ ସାମ୍ନାକୁ ଆଣିବା ଏକପ୍ରକାର ଥୟ। କିଏ ହେବେ ସେହି ନୂଆ ଚେହେରା ତାହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବଢ଼ିଚାଲିଛି। ଟିକେଟ୍‌ ମିଳି ନ ଥିଲେ ମଧ୍ୟ ଆଶାୟୀମାନେ ନିଜ ନିଜ ସ୍ତରରେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି।
କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଇତିମଧ୍ୟରେ ନିର୍ବାଚନମଣ୍ଡଳୀର ସମସ୍ତ ୱାର୍ଡ ଓ ୫ ପଞ୍ଚାୟତର ପୁରୁଣା କଂଗ୍ରେସ କର୍ମୀଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି। ଉତ୍ସବ, ମହୋତ୍ସବ, କ୍ରୀଡ଼ା ପ୍ରତିଯୋଗିତା ପରି କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। କଂଗ୍ରେସ ଏଥର ଶ୍ରୀ ପତିଙ୍କୁ ପ୍ରାର୍ଥୀ କରୁଥିବା ନେଇ ତାଙ୍କ ସମର୍ଥକମାନେ ଦୃଢ଼ ଦାବି କରୁଛନ୍ତି। କୃଷ୍ଣଙ୍କ କହିବା କଥା ହେଉଛି, ‘‘ଦଳର ଉନ୍ନତି ପାଇଁ କାମ କରୁଛି। ଉତ୍ତର ଭୁବନେଶ୍ବର ସମେତ ସାରା ରାଜ୍ୟରେ କଂଗ୍ରେସ ପୁଣିଥରେ କିଭଳି କ୍ଷମତାକୁ ଫେରିବ ସେଦିଗରେ କାର୍ଯ୍ୟକ୍ରମ ହାତକୁ ନେଇଛି। ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ନେଇ ସ୍ବର ଉଠାଇଛି। କଂଗ୍ରେସ ପୁଣିଥରେ କ୍ଷମତାକୁ ଆସୁଛି। ଦଳ ମୋତେ ଟିକେଟ୍‌ ଦେବା ନେଇ ଆଶାବାଦୀ ରହିଛି।’’
ଗତ ତିନିଟି ନିର୍ବାଚନରେ କଂଗ୍ରେସର ଭୋଟ ହାର ଯଥାକ୍ରମେ ୧୨%, ୭% ଓ ୪% ରହିଛି। ୧୫ ବର୍ଷରେ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଭୋଟ ହାର ୧୨ରୁ ୪ ପ୍ରତିଶତକୁ ଖସିବା ଦର୍ଶାଉଛନ୍ତି ଯେ କଂଗ୍ରେସଠାରୁ ଭୋଟର ଧୀରେ ଧୀରେ ଦୂରେଇ ଯାଉଛନ୍ତି। ପୂର୍ବରୁ ଯେଉଁ ତିନିଜଣ ପ୍ରାର୍ଥୀ ହୋଇ ପରାସ୍ତ ହୋଇଛନ୍ତି ସେମାନଙ୍କର ବର୍ତ୍ତମାନ ନିର୍ବାଚନମଣ୍ଡଳୀରେ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକଳାପ ନାହିଁ।
ଅନ୍ୟ ଆଶାୟୀ ଅଶୋକ ଦାସ, ଆଶିଷ ମଲ୍ଲିକ ଓ ବିଜୟ କୁମାର ସାହୁ ମଧ୍ୟ ନିଜ ସ୍ତରରେ ପ୍ରଚାର ଜାରି ରଖିଛନ୍ତି। ନିର୍ବାଚନମଣ୍ଡଳୀର ବିଭିନ୍ନ ୱାର୍ଡ ଓ ଗାଁରେ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି। ଅଶୋକ ଦାସ କହିଛନ୍ତି, ‘‘ଦଳର ଉନ୍ନତି ପାଇଁ କାମ କରୁଛି। ତେଣୁ ଏଥର ଶୀର୍ଷ ନେତୃବୃନ୍ଦ ମୋତେ ଟିକେଟ୍‌ ଦେବେ।’’ କେବଳ କୃଷ୍ଣଚନ୍ଦ୍ର କିମ୍ବା ଅଶୋକ ନୁହନ୍ତି, କଂଗ୍ରେସ ଟିକେଟ୍‌ ପାଇବାକୁ ନିର୍ବାଚନମଣ୍ଡଳୀରୁ ପ୍ରାୟ ୩୨ଜଣ ପ୍ରୋଗୋମନ୍‌ ମାଧ୍ୟମରେ ଆବେଦନ କରିଥିବା ଜଣାପଡ଼ିଛି। ତେବେ ଦଳ କାହା ଉପରେ ଭରସା କରିବ ତାହା ଉପରେ ଆଶାୟୀ ଓ କର୍ମୀଙ୍କ ନଜର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button