ଓଡ଼ିଶାରେ ରାହୁଲ: କେନ୍ଦ୍ରକୁ ସମାଲୋଚନା, ଭାରତଯୋଡ଼ୋ ନ୍ୟାୟ ଯାତ୍ରାରେ ପହଞ୍ଚିଲେ – Kalinga News
[ad_1]
୩ଦିନ ରହିବେ, ରାଜ୍ୟ ନେତୃବୃନ୍ଦ ସ୍ବାଗତ କଲେ
ବୀରମିତ୍ରପୁର/ କୁଆରମୁଣ୍ଡା/ରାଉରକେଲା: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଯାତ୍ରାର ପ୍ରଥମଦିନ ଅବସରରେ ରାହୁଲ ସିଧାସଳଖ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଝାଡ଼ଖଣ୍ଡରେ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଶେଷକରି ରାହୁଲ ସଂଧ୍ୟା ୫ଟା ୧୦ ମିନିଟ୍ରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସୀମାନ୍ତ ବାଂଶଯୋରଠାରେ ପହଞ୍ଚିଥିଲେ। ରାଜ୍ୟର ଦଳୀୟ ନେତୃବୃନ୍ଦ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ରାହୁଲ କହିଥିଲେ, ଓଡ଼ିଶାକୁ ଆସି ତାଙ୍କୁ ବହୁତ ଭଲ ଲାଗୁଛି। ସେ ୩ ଦିନ ଓଡ଼ିଶାରେ ରହିବେ ଏବଂ ଲୋକଙ୍କ କଥା ଶୁଣିବେ। ଏଥିସହିତ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ, ଦେଶରେ ଆଦିବାସୀ, ଦଳିତ, କୃଷକ ଓ ମହିଳାଙ୍କ ପ୍ରତି ଅନ୍ୟାୟ ଦିନକୁ ଦିନ ବଢ଼ି ଚାଲିଛି। ବେକାରୀ, ଦରଦାମ ବୃଦ୍ଧି, ସରକାରୀ କମ୍ପାନିଗୁଡ଼ିକର ଘରୋଇକରଣ କରାଯାଉଛି। ସେପଟେ କେନ୍ଦ୍ର ସରକାର ଆଦାନୀକୁ ମୂଲ୍ୟବାନ ଜମି ଟେକି ଦେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାହୁଲଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆପାଟ ଦେଇ ସ୍ବାଗତ କରିବା ସହିତକେନ୍ଦ୍ର ସରକାର ଇଡି ଓ ସିବିଆଇକୁ ନିଜ କାମରେ ବ୍ୟବହାର କରୁଥିବା କହିଥିଲେ। ଓଡ଼ିଶାରେ ବିଜେଡି ଓ ବିଜେପି ଭାଇଭାଇ ଏବଂ ଚଳିତବର୍ଷ ନିର୍ବାଚନରେ ଦଳ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ। କହ୍ନେୟା କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଏଆଇସିସି ସମ୍ପାଦକ ସେହନୱାଜ ଚୌଧୁରୀ, ବିଏମ୍ ସନ୍ଦୀପ, ବବିତା ଶର୍ମା ଦେବୀ, ମିଡିଆ ସେଲ୍ର ବିଶ୍ବରଞ୍ଜନ ମହାନ୍ତିଙ୍କ ସମେତ ରାଜ୍ୟ କଂଗ୍ରେସର ସମସ୍ତ ବିଧାୟକ ମଞ୍ଚରେ ଉପସ୍ଥିତ ଥିଲେ। ସେହିପରି, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାନ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତୀ ଭକ୍ତ ଦାସ, ସାଂସଦ ସପ୍ତଗିରି ଓଲାକା, ବିଧାୟକ ତାରା ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ବହୁ ପ୍ରମୁଖ ନେତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଦଳର ରାଜ୍ୟପ୍ରଭାରୀ ଡକ୍ଟର ଅଜୟ କୁମାର ମଞ୍ଚ ପରିଚାଳନା କରିଥିଲା ବେଳେ ଭାରତଯୋଡ଼ ନ୍ୟାୟଯାତ୍ରାର ଓଡ଼ିଶା ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଧନ୍ୟବାଦ ଦେଇଥିଲେ।
ପରେ ରାହୁଲଙ୍କ ବିରାଟ ଶୋଭାଯାତ୍ରା ବୀରମିତ୍ରପୁର ବସଷ୍ଟାଣ୍ଡରେ ପହଞ୍ଚିଥିଲା। ସେଠାରେ ସେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ବିଜାବାହାଲ ରାମପାଲ ଛକସ୍ଥ ପଡ଼ିଆରେ ରାତ୍ରିଯାପନ ପାଇଁ ପହଞ୍ଚିଥିଲେ। ରାମପାଲ ଛକରେ ପୂର୍ବତନ ବିଧାୟକ ରେମିସ୍ କେରକେଟା, ପ୍ରଭାତ ମହାପାତ୍ର, ସ୍ଥାନୀୟ କଂଗ୍ରେସ ନେତା ଗୁଲାମ୍ ଅହମ୍ମଦ, ଏମ୍ଡି କମାଲୁଦ୍ଦିନ୍ ପ୍ରମୁଖ ସ୍ବାଗତ କରିଥିଲେ। ଆସନ୍ତାକାଲି (ବୁଧବାର) ସକାଳ ସାଢ଼େ ୯ଟାରେ ରାଉରକେଲା ଉଦିତନଗର (ଏସପି ଅଫିସ)ଠାରୁ ଯାତ୍ରା ଆରମ୍ଭ କରିବେ। ସେଠାରୁ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଏଥିସହିତ, ତାଙ୍କର ଆଉ କେତେକେ ସ୍ଥାନରେ ପଦଯାତ୍ରା ଏବଂ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
[ad_2]