କର୍କଟ ଯୋଦ୍ଧା – Kalinga News
[ad_1]
ପ୍ରଗତି ସାହୁ
‘କ୍ୟାନ୍ସର ନୋ ଆନ୍ସର’, ଅର୍ଥାତ୍ କର୍କଟ ରୋଗକୁ ଉତ୍ତର ନାହିଁ। ଏହି ପ୍ରଚଳିତ ଆପ୍ତବାକ୍ୟଟି ଦୂରାରୋଗ୍ୟ କର୍କଟ ବ୍ୟାଧିର ଭୟାବହତାକୁ ପ୍ରତିପାଦିତ କରେ। କିନ୍ତୁ ଆମ ଗହଣରେ ଏମିତି କେତେ ଜଣ ଦୃଢ଼ମନା ଓ ସାହସୀ ପୁରୁଷ ମହିଳା ଅଛନ୍ତି, ଯେଉଁମାନେ କର୍କଟକୁ ଉତ୍ତର ଦେବାରେ ସମର୍ଥ ହୋଇଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ଡରି ନ ଯାଇ ତା’ର ମୁକାବିଲା କରିଛନ୍ତି ଓ ଜୀବନକୁ ଦେଇପାରିଛନ୍ତି ଏକ ନୂଆ ଦିଶା। ଏମିତି କେତେ ଜଣ ଯୋଦ୍ଧାଙ୍କ କାହାଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ନାଁତାଙ୍କର ବିଜୟଲକ୍ଷ୍ମୀ। ୨୦୦୮ ଜୁଲାଇ ମାସରୁ କର୍କଟ ରୋଗରେ ପୀଡ଼ିତା । ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି, ତା’ ସହ ଲଢ଼ିଛନ୍ତି ଓ ନୂଆ ଜୀବନ ଆରମ୍ଭ କରିଛନ୍ତି। ତାଙ୍କ ସଂଗ୍ରାମର କାହାଣୀ ଶୁଣିଲେ ଏହା ସ୍ବତଃ ପ୍ରତିପାଦିତ ହୁଏ କି, ଯେଉଁଠି ଆତ୍ମବିଶ୍ବାସ ଥାଏ ସେଠି ରୋଗ ସହଜରେ ପାଖ ପଶିପାରେ ନାହିଁ। କର୍କଟ ଯୋଦ୍ଧା ବିଜୟଲକ୍ଷ୍ମୀ କର ଏହାର ନିଚ୍ଛକ ଉଦାହରଣ। ସେ ଏବେ ଅସହାୟ ଓ ଅନାଥଙ୍କୁ ସାହାୟତା କରିବା ସହ କର୍କଟ ରୋଗୀଙ୍କ ପାଇଁ କାମ କରି ଆସୁଛନ୍ତି।
ନିଜ ସଂଘର୍ଷର କାହାଣୀ ବଖାଣିବାକୁ ଯାଇ ସେ କହନ୍ତି, ମତେ ସେତେବେଳେ ୩୭ ବର୍ଷ। ମୁଁ ହଠାତ୍ ଅସୁସ୍ଥ ହୋଇପଡ଼ିଲି । ଦେହ ଦୁର୍ବଳ ହେବା ଆରମ୍ଭ ହେଲା। ଧୀରେ ଧୀରେ ଓଜନ କମିଲା। ତ୍ବଚାରେ ନୀଳ ରଙ୍ଗର ଚିହ୍ନ ସୃଷ୍ଟିହେଲା। ବାମ ପଟ ପେଟରେ ଯନ୍ତ୍ରଣା ଆରମ୍ଭ ହେଲା। ଚିକିତ୍ସା କରିବା ପରେ ଜଣାପଡ଼ିଲା କି ରକ୍ତ କର୍କଟ ହୋଇଛି। ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଡାକ୍ତର ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ୍ ଲାଗି ପରାମର୍ଶ ଦେଇଥିଲେ। ମନକୁ ଦୃଢ଼ କରି ଚିକିତ୍ସା ଆରମ୍ଭ କରିଦେଲି। ତା’ପରେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରି ରୋଗ ସହ ଲଢ଼ିବା ଆରମ୍ଭ କରିଥିଲି। କ୍ୟାନ୍ସର ଚିକିତ୍ସା ପ୍ରଣାଳୀ ବହୁତ କଷ୍ଟଦାୟକ ଥିଲା। ତାହାକୁ ନ ଡରି ନିଜ ଭିତରେ ଆତ୍ମବିଶ୍ବାସ ଜାଗ୍ରତ କଲି । ଏବେ ପ୍ରତ୍ୟେକ ଦିନ ଓରାଲ୍ କେମୋ ବଟିକା ଖାଉଛି। ଧୀରେ ଧୀରେ ଶରୀର ଦୁର୍ବଳ ହେବାକୁ ବସିଲାଣି। ତଥାପି ମଁୁ ବଞ୍ଚିବାର ଆଶା ଛାଡ଼ିନାହିଁ। ଦୃଢ଼ ମନୋବଳ ସହିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚଳି ଯୋଗ, ପ୍ରାଣାୟମ ଅଭ୍ୟାସ କଲେ ନିଶ୍ଚିତ କ୍ୟାନ୍ସର ସହ ଲଢ଼ିପାରିବା। ୧୬ ବର୍ଷର ସଂର୍ଘଷ କେତେ ଯେ କଷ୍ଟଦାୟକ ତାହା ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝିପାରିବ ବୋଲି କହନ୍ତି ବିଜୟଲକ୍ଷ୍ମୀ।
ସମାଜସେବୀ ପ୍ରଜ୍ଞାଙ୍କ କାହାଣୀ ବି କିଛି ଭିନ୍ନ ନୁହେଁ। କର୍କଟକୁ ଦୂରାରୋଗ୍ୟ ଭାବି ଭାଙ୍ଗି ନ ପଡ଼ି ୩୯ ବର୍ଷୀୟା ପ୍ରଜ୍ଞା ଜୀବନ ଯୁଦ୍ଧରେ ଜିତିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ କରି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତେବେ ୨୦୧୬ ମସିହାରେ କର୍କଟ ତାଙ୍କ ଜୀବନ ବଦଳାଇ ଦେଇଛି। ସେ କହନ୍ତି, ‘ହଠାତ୍ ଶରୀର ଦୁର୍ବଳ ହେବା ସହିତ ହିମୋଗ୍ଲୋବିନ୍ କମିବାକୁ ଲାଗିଲା। ଧୀରେ ଧୀରେ ସ୍ତନରେ ଯନ୍ତ୍ରଣା ଆରମ୍ଭ କଲା। ବିଭିନ୍ନ ପ୍ରକାରର ଚିକିତ୍ସା ପରେ ଜଣାପଡ଼ିଲା ଯେ, ମତେ ସ୍ତନ କର୍କଟ ହୋଇଛି। କିଛି କ୍ଷଣ ପାଇଁ ସବୁ ଅନ୍ଧାର ଦେଖାଗଲା। କିନ୍ତୁ ମନରେ ଦମ୍ଭ ଓ ସାହସ ବାନ୍ଧି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିଥିଲି।’
ମତେ କର୍କଟ ହୋଇଛି ବୋଲି ପରିବାର ଲୋକ ଜାଣିଲେ କାଳେ ଭାଙ୍ଗିପଡ଼ିବେ ବୋଲି କାହାକୁ ଜଣାଇ ନ ଥିଲି। ମୋର ଜଣେ ସାଙ୍ଗର ଦସ୍ତଖତରେ ଅସ୍ତ୍ରୋପଚାର କରାଯାଇଥିଲା। ମୁଁ ଏହି ରୋଗକୁ କେବଳ ଏକ ଘା’ ବୋଲି ଭାବିଲି। ନିଶ୍ଚିତ ଭଲ ହେବି ଆଉ ଘରକୁ ଫେରି ପୁଣି ସମାଜସେବାରେ ନିଜକୁ ନିୟୋଜିତ କରିବି ବୋଲି ପଣ କରିଥିଲି। ମୋର ସକାରାତ୍ମକ ଚିନ୍ତା ପାଇଁ ଆଜି ଭଲ ଅଛି। ସେଥିପାଇଁ କର୍କଟକୁ ଏକ ବିରାଟ ରୋଗ ଭାବି ଡରି ନ ଯାଇ ମନରେ ସାହସ ରଖିବା ଦରକାର। କର୍କଟ ହୋଇଛି ବୋଲି ଭାବି ଭାଙ୍ଗି ପଡ଼ିବାନାହିଁ। ମନରେ ଆତ୍ମବିଶ୍ବାସ ଓ ଦୃଢ଼ମନୋବଳ ନିଶ୍ଚିତ ଏଥିରୁ ରକ୍ଷା କରିପାରିବ। ଏହାସହ ମୁଁ ନିୟମିତ କଞ୍ଚା ହଳଦୀ କ୍ଷୀର ସହିତ ଗୋମୂତ୍ର, ଗାଜର ରସ, ଡାଳିମ୍ବ ରସ ଖାଇଥାଏ। ଡାକ୍ତରଙ୍କ ଔଷଧ ସହିତ ଆୟୁର୍ବେଦ ଚିକିତ୍ସା ନିହାତି ନେବା ଆବଶ୍ୟକ ବୋଲି କହନ୍ତି ସମାଜସେବୀ ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ।
କର୍କଟ ବିରୋଧୀ ଯୁଦ୍ଧରେ ଡାକ୍ତର ରିତୁଙ୍କ ସଂଘର୍ଷ ଓ ସଫଳତା ଅବଶ୍ୟ ରୋମାଞ୍ଚକ। ୧୯୮୧ ମସିହାରେ କ୍ୟାପଟେନ୍ ଡାକ୍ତର ରିତୁ ଆର୍ମିରେ ଜଣେ ଦନ୍ତ ଚିକିତ୍ସକ ଭାବେ ନିଯୁକ୍ତି ପାଇଥିଲେ। ଆର୍ମିରେ ନିଯୁକ୍ତି ପାଇବାରେ ଡାକ୍ତର ରିତୁ ଥିଲେ ଗୁଜରାଟୀ ମାହେଶ୍ବରୀ ସମ୍ପ୍ରଦାୟର ପ୍ରଥମ ମହିଳା ଡେଣ୍ଟାଲ୍ ସର୍ଜନ୍। ୧୯୮୪ ମସିହାରେ ପ୍ରଥମ ମହିଳା ଭାବେ ସେ ଆକାଶମାର୍ଗରୁ ପାରାସୁଟ୍ ଯୋଗେ ଘଞ୍ଚ ଜଙ୍ଗଲର ବିପଦପୂର୍ଣ୍ଣ ପର୍ବତମାଳାରେ ଅବତରଣ ଥିଲେ ଏବଂ ବିପଜ୍ଜନକ କୌଶଳ ପ୍ରଦର୍ଶନ କରିବା ସହିତ ସମସ୍ତଙ୍କୁ ଚକିତ କରି ବିରଳ ରେକର୍ଡ କରିଥିଲେ।
[ad_2]