ଦେଖିଲା ପରେ… ଫାଇଟର – Kalinga News

[ad_1]
ବସନ୍ତରାଜ ସାହୁ
ହଲିଉଡ୍ ଚଳଚ୍ଚିତ୍ର ‘ଟପ୍ ଗନ୍’କୁ ବଲିଉଡ୍ର ପ୍ରତ୍ୟୁତ୍ତର ହେଉଛି ‘ଫାଇଟର’। ଏହା ଆକ୍ସନ ପ୍ରେମୀଙ୍କୁ କେବଳ ସନ୍ତୁଷ୍ଟ କରୁ ନାହିଁ, ଏଥିରେ ଥିବା ଦେଶପ୍ରେମର ରୋମାଞ୍ଚକର ଆବେଦନ ଓ ନାରୀବାଦୀ ଉପାଦାନ ଏହାକୁ ଏକ ଶିକ୍ଷଣୀୟ ମନୋରଂଜନକାରୀ ସିନେମାର ରୂପ ମଧ୍ୟ ଦେଇଛି। ଏହି ସିନେମାଟିକୁ ଦେଖିବା ବେଳେ ଦର୍ଶକ ମନେ ରଖିବା ଗୁରୁତ୍ବପୂର୍ଣ୍ଣ ଯେ ୨୦୧୯ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷମୟ ପରିସ୍ଥିତିର ଏହା ଏକ ଐତିହାସିକ ଦଲିଲ ନୁହେଁ। ଅର୍ଥାତ୍ ଏଥିରେ ପୁଲଵାମା ଆକ୍ରମଣ ଓ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍ର ଅବିକଳ କାହାଣୀ ପ୍ରଦର୍ଶିତ ହୋଇନାହିଁ; କାହାଣୀକୁ ଅଧିକ ରୋଚକ ଓ ପ୍ରଭାବଶାଳୀ କରିବା ପାଇଁ କାଳ୍ପନିକ ଅତିରଂଜନର ପ୍ରୟୋଗ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ନିର୍ଦେଶକ: ସିଦ୍ଧାର୍ଥ ଆନନ୍ଦ
ମୁଖ୍ୟ ଅଭିନେତା: ଋତିକ ରୋଶନ, ଦୀପିକା ପାଦୁକୋଣ
ଏହି ସିନେମା ଦେଖିବା ବେଳେ ଫରହାନ ଅଖତରଙ୍କ ନିର୍ଦେଶିତ ‘ଲକ୍ଷ୍ୟ’ ଚଳଚ୍ଚିତ୍ରରେ ଋତିକଙ୍କ ଚରିତ୍ର ଓ ଅଭିନୟ ଅଭିଜ୍ଞ ଦର୍ଶକଙ୍କ ଆଖି ଆଗରେ ଝଲସି ଉଠିବ। ୨୦୦୪ର ସେହି ସ୍ମରଣୀୟ ଯୁଦ୍ଧ ଚଳଚ୍ଚିତ୍ରରେ ଋତିକ ଅଭିନୀତ ‘କରଣ’ ଥିଲା ଜଣେ ଲକ୍ଷ୍ୟହୀନ ଯୁବକ ଯିଏ ସେନାରେ ଯୋଗ ଦେଇ ନିଜ ଜୀବନର ଉଦ୍ଦେଶ୍ୟ ଖୋଜି ପାଇଛି। ହେଲେ ‘ଫାଇଟର’ରେ ‘ପ୍ୟାଟି’ (ଋତିକ) ଆରମ୍ଭରୁ ନିଜ ଜୀବନର ଉଦ୍ଦେଶ୍ୟ ନେଇ ସୁନିଶ୍ଚିତ ଏବଂ ଖୁବ୍ ଆତ୍ମବିଶ୍ବାସୀ। ପୁଣି ‘ଲକ୍ଷ୍ୟ’ ଏକ ଆଣ୍ଟି-ଵାର୍ (ଯୁଦ୍ଧ ବିରୋଧୀ) ଆଭିମୁଖ୍ୟ ସହିତ ନିର୍ମିତ ହୋଇଥିବା ବେଳେ ‘ଫାଇଟର’ ପ୍ରାୟ ପ୍ରତିଟି ଦୃଶ୍ୟରେ ଯୁଦ୍ଧର ଜୟଗାନ କରିଥାଏ। ପାଦେ ଆଗକୁ ଯାଇ ଷ୍ଟିଭେନ୍ ସ୍ପିଲ୍ବର୍ଗଙ୍କ କିଂବଦନ୍ତୀୟ ଯୁଦ୍ଧ ସିନେମା ‘ସେଭିଙ୍ଗ ପ୍ରାଇଭେଟ୍ ରାୟନ’ ସହିତ ‘ଫାଇଟର’କୁ ତୁଳନା କଲେ ଏହାର ଦୁର୍ବଳତାଗୁଡ଼ିକ ଅଧିକ ପ୍ରାଞ୍ଜଳ ହୋଇଉଠେ। ଯୁଦ୍ଧର ବିଭୀଷିକା ମଧ୍ୟରେ ମଣିଷର ଦୋଦୁଲ୍ୟମାନ ମାନସିକ ସ୍ଥିତିକୁ ଫୁଟାଇ ନ ପାରିବା ‘ଫାଇଟର’ର ସବୁଠାରୁ ବଡ଼ ବିଫଳତା ବୋଲି କୁହାଯାଇପାରେ। ମହିଳାଙ୍କୁ ନେଇ ଆମ ସମାଜରେ ଥିବା ରକ୍ଷଣଶୀଳ ମାନସିକତାକୁ ଶକ୍ତିଶାଳୀ ଢଙ୍ଗରେ ଚ୍ୟାଲେଞ୍ଜ କରିଛନ୍ତି ସ୍କ୍ବାଡ୍ରନ ଲିଡର୍ ମୀନାଲ ‘ମିନି’ ରାଠୋର (ଦୀପିକା)। ସେନାବାହିନୀ ଭଳି ପୁରୁଷପ୍ରଧାନ ସ୍ଥାନରେ ଯେ ଆଗକୁ ମହିଳାମାନଙ୍କ ପରାକାଷ୍ଠା ଅଧିକ ଦେଖିବାକୁ ମିଳିବ ‘ମିନିି’ ଚରିତ୍ର ହେଉଛି ତାହାର ଏକ ବଳିଷ୍ଠ ପୂର୍ବାଭାଷ। ସେହିପରି ଗ୍ରୁପ୍ କ୍ୟାପଟେନ୍ ଭୂମିକାରେ ଅନୀଲ କପୁରଙ୍କ ଅଭିନୟ ପ୍ରଭାବଶାଳୀ ହୋଇଛି। ମୋଟ ଉପରେ ଏକ ନୂଆ ଧରଣର ଭାରତୀୟ ଚଳଚ୍ଚିତ୍ର ଭାବରେ ‘ଫାଇଟର’ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି କହିବା ଭୁଲ୍ ହେବ ନାହିଁ।
ସିଦ୍ଧାର୍ଥ ଆନନ୍ଦ ଓ ଋତିକ ରୋଶନଙ୍କ ଯୋଡ଼ି ଶେଷ ଥର ୨୦୧୯ର ‘ଵାର୍’ ଜରିଆରେ ଘରୋଇ ବକ୍ସ ଅଫିସରେ ୩୧୮ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା। ‘ଫାଇଟର’ ଏହି ସଫଳତାକୁ ଦୋହରାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଠ ଦିନ କାଳ ପ୍ରେକ୍ଷାଳୟରେ ଚାଲିବା ପରେ ଏହା ଘରୋଇ ବକ୍ସ ଅଫିସରେ ମାତ୍ର ୧୪୬ କୋଟି ଟଙ୍କା ଆୟ କରିପାରିଛି, ଯେଉଁଥିରୁ ଏହା ଏକ ମଧ୍ୟମ ଧରଣର ସଫଳ ଚଳଚ୍ଚିତ୍ର ହୋଇ ରହିଯିବା ବୋଲି ଅନୁମାନ କରାଯାଉଛି।
[ad_2]