ଅପରାଧ

ଲୁଟ ଉଦ୍ୟମ: କନେଷ୍ଟବଳ ସଂଘ ସମ୍ପାଦକ ଗିରଫ – Kalinga News

[ad_1]

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା କେରାଣ୍ଡି ଗାଁ ଜଙ୍ଗଲ ନିକଟରେ ନୋଟ୍ ଅଦଳବଦଳ ଆଳରେ ୩୦ ଲକ୍ଷ ଟଙ୍କା ଲୁଟ୍ ଉଦ୍ୟମ କରି ଦୁଇଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା କନେଷ୍ଟବଳ ସଂଘ ସଂପାଦକ ତନୁଜ ସାବତ ଓ ଆନ୍ଧ୍ରପ୍ରଦେଶର ବିନୋଦ ରାୟପିଲ୍ଲି। ତନୁଜଙ୍କ ଘର ରା.ଉଦୟଗିରି ସରଳା ସାହିରେ ଓ ସେ ଗଜପତି ପୁଲିସ ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ। ପାରଳାଖେମୁଣ୍ଡି ଥାନାରେ କେସ୍ ନମ୍ବର ୨୫/୨୪‌ରେ ଏକ ମାମଲା ରୁଜୁ ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଏସ୍‌ଡିପିଓ ମାଧବାନନ୍ଦ ନାୟକ ଓ ପାରଳାଖେମୁଣ୍ଡି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ସେମାନଙ୍କଠୁ ୫ଟି ମୋବାଇଲ୍ ଜବତ ହୋଇଛି। ଆଉ ୫ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଆନ୍ଧ୍ରପ୍ରଦେଶ ବିଶାଖ‌ାପାଟଣାର ଅଭିଯୋଗକାରୀ ଟି.ନାଗ ରବୀନ୍ଦ୍ରନାଥଙ୍କ ଅଭିଯୋଗ ଅନୁସା‌ରେ, ୩୦ ଲକ୍ଷ ଟଙ୍କା ୫୦୦ ଟଙ୍କିଆ ନୋଟ୍ ବିଡ଼ା ଦେ‌ଲେ ଏହା ବଦଳରେ ୬୦ ଲକ୍ଷ ଟଙ୍କାର ଦୁଇହଜାର ଟଙ୍କା ନୋଟ୍ ବିଡ଼ା ଦେବାକୁ ଗୋଟିଏ ଗୋଷ୍ଠୀ ତାଙ୍କ ସହ ଭିତିରି ବୁଝାମଣା କରିଥିଲେ। ରାଜେଶ ଓ ପାରଳାଖେମୁଣ୍ଡିର ‘ବସ୍’ ନାମକ ଜଣେ ଯୁବକ ରବୀନ୍ଦ୍ରନାଥଙ୍କ ସହ ଏଥିପାଇଁ ଯୋଗାଯୋଗ କରିଥିଲେ। ଗତ ୨୫ ତାରିଖରେ ରବୀନ୍ଦ୍ରନାଥଙ୍କୁ ସେମାନେ ପାରଳାଖେମୁଣ୍ଡିକୁ ଡାକିଥିଲେ। ଏକ କାର୍‌ରେ ସେମାନେ ରବୀନ୍ଦ୍ରନାଥଙ୍କୁ କେରାଣ୍ଡି ଗ୍ରାମ ନିକଟ ଏକ ନିଛାଟିଆ ସ୍ଥାନକୁ ଡାକିନେଇଥିଲେ। ତିନିଜଣ କାର୍‌ରେ ବସିଥିବା ବେଳେ ଜଣେ ଯୁବକ ଓ ରବୀନ୍ଦ୍ରନାଥ କାର୍‌ରୁ ଓହ୍ଲାଇଥିଲେ। ରବୀନ୍ଦ୍ରନାଥଙ୍କୁ ସେ କିଛି ଦୂରକୁ ଡାକି ନେଇ ତାଙ୍କଠୁ ଟଙ୍କା ବ୍ୟାଗ୍ ଛଡ଼ାଇନେବାକୁ ଉଦ୍ୟମ କରିଥିଲା। ରବୀନ୍ଦ୍ରନାଥଙ୍କ ପାଟି ଶୁଣି ନିକଟରେ ଭଲିବଲ୍ ଖେଳୁଥିବା ସ୍ଥାନୀୟ ଯୁବକମାନେ ପହଞ୍ଚିଥିଲେ। କାର୍‌ରେ ସମସ୍ତେ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତ ବିନୋଦକୁ‌ ସେମାନେ କାବୁ କରିନେଇଥିଲେ। ପଚରାଉଚରା ବେଳେ ଏହି ଯୋଜନାରେ କନଷ୍ଟେବଳ ତନୁଜ ସଂପୃକ୍ତ ଥିବା ଜଣାପଡ଼ିଥିଲା। ତନୁଜ ଓ ତାଙ୍କ ସହଯୋଗୀ ବିନୋଦଙ୍କୁ ଗିରଫ କରାଯାଇଛି। ତନୁଜଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି। କଳା ଟଙ୍କା ଅଦଳବଦଳ ପାଇଁ ଏହି ରୢାକେଟ୍ ସକ୍ରିୟ ଥିବା ଅନୁମାନ କରାଯାଉଛି। ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button