ଦୀପଗ୍ରେସଙ୍କ ଅପ୍ରତ୍ୟାଶିତ ଅବସର: ଫେବ୍ରୁଆରି ୬ରେ ବିବାହ – Kalinga News

[ad_1]
ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳର ଭେଟେରାନ ଡିଫେଣ୍ଡର ଏବଂ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା ଶନିବାର ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭାବବିହ୍ବଳ ପୋଷ୍ଟ କରି ନିଜର ଅନ୍ତର୍ଜାତୀୟ ଖେଳ ଜୀବନର ଅବସାନ ବିଷୟରେ ଜଣାଇଥିଲେ। ଏହି ପୋଷ୍ଟ୍ରେ ସେ ଲେଖିଥିଲେ, ‘‘୨୦୧୧ରୁ ୨୦୨୩ ମୋ ଜୀବନର ଗୁରୁତ୍ବପୂର୍ଣ୍ଣ ଥିଲା ଏବଂ ଭାରତ ପାଇଁ ପ୍ରତିନିଧିତ୍ବ କରିବା ବଡ଼ ସମ୍ମାନ ଥିଲା। ମୋତେ ସୁଯୋଗ ଦେଇଥିବାରୁ ହକି ଇଣ୍ଡିଆ, ଓଡ଼ିଶା ହକି ସଂଘ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି। ଏଥିସହ ଭାରତ ସରକାର ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହଯୋଗ କରିଥିବାରୁ ଧନ୍ୟବାଦ। ସମସ୍ତ ସାଥୀ ଖେଳାଳି, ପ୍ରଶିକ୍ଷକ, ମେଣ୍ଟର ଏବଂ ସମସ୍ତ ସପୋର୍ଟ ଷ୍ଟାଫ୍ଙ୍କୁ ମଧ୍ୟ ଧନ୍ୟବାଦ। ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ବିନା ସମ୍ଭବ ହୋଇ ନଥାନ୍ତା। ସେମାନେ ମଧ୍ୟ ଧନ୍ୟବାଦର ହକ୍ଦାର’’।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୧ ଆରମ୍ଭରୁ ଆର୍ଜେଣ୍ଟିନାରେ ଖେଳାଯାଇଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ୧୭ ବର୍ଷ ବୟସରେ ଖେଳି ଦୀପଗ୍ରେସ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାପରେ ସେ ୧୮ ବର୍ଷରୁ କମ୍ ବାଳିକା ଏସିଆ କପ୍ରେ ଚମତ୍କାର ପ୍ରଦର୍ଶନ କରି ଲଗାତାର ଭାବେ ଜାତୀୟ ଶିବିରରେ ନିଜ ସ୍ଥାନ ପକ୍କା କରିବା ସହ ଖେଳାଳି ଭାବେ ପଛକୁ ନ ଚାହିଁ ୧୩ ବର୍ଷ ଧରି ଦେଶ ମାତୃକାର ସେବା କରିଥିଲେ। ସୁନ୍ଦରଗଡ଼ର ଲୁଲକିଡିହି ଗାଁରେ ଜନ୍ମିତ ଦୀପ ୨୦୧୩ କନିଷ୍ଠ ହକି ବିଶ୍ବକପ୍ କାଂସ୍ୟ ବିଜୟୀ ଭାରତୀୟ ଦଳର ସଦସ୍ୟ ରହି ଇତିହାସ ରଚିଥିଲେ। ସେହି ବର୍ଷ ସେ ଉଭୟ କନିଷ୍ଠ ଓ ବରିଷ୍ଠ ଦଳରେ ସଦସ୍ୟ ରହିଥିଲେ। ବରିଷ୍ଠ ଦଳରୁ ଏସିଆ କପ୍ରେ କାଂସ୍ୟ ଏବଂ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପାଇଥିଲେ। ସେ ରିଓ ଅଲିମ୍ପିକ୍ସରେ ଖେଳିବା ସହ ଟୋକିଓ ଅଲିମ୍ପିକ୍ସ ଐତିହାସିକ ଚତୁର୍ଥ ସ୍ଥାନ ପାଇଥିବା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ରହିଥିଲେ। ୨୦୨୨ରେ ସେ ଅର୍ଜୁନ ପୁରସ୍କାର ପାଇଥିଲେ। ୨୯ ବର୍ଷୀୟା ଦୀପ୍ ଭାରତ ପାଇଁ ୨୬୮ ମ୍ୟାଚ୍ ଖେଳି ୨୪ ଗୋଲ୍ କରିଛନ୍ତି। ଭାରତୀୟ ମହିଳା ହକିର ଉନ୍ନତି ଏବଂ ଦେଶ ପାଇଁ ତାଙ୍କର ଚମତ୍କାର ପ୍ରଦର୍ଶନ ଲାଗି ଏହି ୨ ଥରର ଅଲିମ୍ପିଆନ୍ଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଲାଗି ଶୁଭକାମନା ଜଣାଇଛି। ଦୀପ୍ଙ୍କ ଅନ୍ତର୍ଜାତୀୟ ଅବସର ପରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି, ‘‘ଏକ ଦଶନ୍ଧି ଧରି ଦୀପ୍ଗ୍ରେସ ଏକ୍କା ମହିଳା ହକି ପାଇଁ ଘରେ ଘରେ ପରିଚିତ। ହକିରେ ତାଙ୍କ ସଫଳତା ବଡ଼ ପ୍ରେରଣା। କେବଳ ଓଡ଼ିଶା ନୁହେଁ ସାରା ଦେଶର ଯୁବପିଢ଼ିଙ୍କର ସେ ପ୍ରେରଣା ଥିଲେ। ଜଣେ ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ଦଶନ୍ଧି ଧରି ଦଳର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ସହଯୋଗ ଥିଲା। ହକି ଇଣ୍ଡିଆ ପକ୍ଷରୁ ତାଙ୍କ ଭବିଷ୍ୟତ କାମନା କରୁଛି ଏବଂ ତାଙ୍କର ସଫଳତା ପାଇଁ ଧନ୍ୟବାଦ ଜଣାଉଛି’’।
ଫେବ୍ରୁଆରି ୬ରେ ବିବାହ
ରାଉରକେଲା: ହକି ଅଲିମ୍ପିଆନ ଦୀପଗ୍ରେସ୍ କ୍ରୀଡ଼ା ଜୀବନରୁ ସନ୍ୟାସ ନେଇଛନ୍ତି। ତେବେ ସେ ଏବେ ନୂଆ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ସେ ଖୁବଶୀଘ୍ର ବୈବାହିକ ଜୀବନ ଆରମ୍ଭ କରିବେ। ୨୬ ତାରିଖରେ ଦୀପଗ୍ରେସ୍ ଓ ସବଡ଼େଗା ବ୍ଲକ ଦେଓଗାଁର ଅନୂପ ଲାକ୍ରାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ରୀତିନୀତି ଅନୁଯାୟୀ ଦୀପଗ୍ରେସଙ୍କ ଜନ୍ମମାଟି ଲୁଲକିଡ଼ିହିରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଫେବ୍ରୁଆରି ୬ ତାରିଖରେ ଉଭୟେ ବିବାହ ବନ୍ଧନରେ ବାନ୍ଧିହେବେ। ଉଲ୍ଲେଖଯୋଗ୍ୟ, ସଂପ୍ରତି ପୂର୍ବତଟ ରେଳବାଇରେ ଦୀପଗ୍ରେସ କାର୍ଯ୍ୟରତ ଥିବା ବେଳେ ତାଙ୍କ ଭାବି ସ୍ବାମୀ ଅନୂପ ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟରତ। ଅନୂପ ସୁନ୍ଦରଗଡ଼ ସାଇ ଛାତ୍ରାବାସରେ ହକି ପ୍ରଶିକ୍ଷଣ ନେଇଥିଲେ। ସେ ମଧ୍ୟ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ।
‘ଜଣେ ଚମତ୍କାର କ୍ରୀଡ଼ାବିତ୍ଙ୍କ କ୍ରୀଡ଼ାଜୀବନ ଆଜି ଶେଷ ହୋଇଛି। ନିଷ୍ଠାପର ତଥା ଶୃଙ୍ଖଳିତ ପରିଶ୍ରମ ଯୋଗୁଁ ସେ ଦୀର୍ଘବର୍ଷ ଧରି ଭାରତୀୟ ଦଳର ପ୍ରତିନିଧତ୍ବ କରିବା ସହ ଏକାଧିକ ଗୌରବ ମୂହୁର୍ତ୍ତ ଭାରତବାସୀଙ୍କୁ ଭେଟିଦେଇଛନ୍ତି। ପ୍ରଥମେ ଫରୱାର୍ଡ ଖେଳୁଥିଲେ; ତେବେ ପରବର୍ତ୍ତୀ ସମୟରେ ଡିଫେଣ୍ଡରଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଭାରତ ପାଇଁ ତାଙ୍କର ସେବା ଅବିସ୍ମରଣୀୟ ହୋଇରହିବ।’
-ପ୍ରଦୀପ କୁମାର ଷଡ଼ଙ୍ଗୀ, ଦୀପଗ୍ରେସ୍ଙ୍କ ପ୍ରଶିକ୍ଷକ
‘ତାଙ୍କର ଟ୍ୟାକ୍ଲିଂ, କ୍ଲିୟରାନ୍ସ ଓ ଡିଫେନ୍ସ ସର୍ବୋତ୍କୃଷ୍ଟ। ତାଙ୍କଠାରୁ ଆଉ କିଛି ଖେଳ ବାକିଥିଲା। ସେ ଭାରତୀୟ ଦଳ ପାଇଁ ଆଉ କିଛି ମ୍ୟାଚ୍ ଖେଳିପାରିଥାନ୍ତେ। ଭବିଷ୍ୟତରେ ଦୀପଗ୍ରେସ୍ଙ୍କ ଭଳି ଖେଳାଳି ଓଡ଼ିଶା ସୃଷ୍ଟି କରିବାର ସମ୍ଭାବନା କ୍ଷୀଣ। ବାସ୍ତବରେ ତାଙ୍କର ବିକଳ୍ପ ନାହିଁ। ଏବେ ଦୀପଗ୍ରେସ୍ଙ୍କ ଅନୁପସ୍ଥିତି ସବୁବେଳେ ଭାରତୀୟ ଦଳ ଅନୁଭବ କରିବ।’
-ଅମୂଲ୍ୟାନନ୍ଦ ବିହାରୀ, ବରିଷ୍ଠ ପ୍ରଶିକ୍ଷକ
[ad_2]




