ମନୋରଞ୍ଜନ

ଜୀବନ ଜୀବିକା: ହସେଇ ହସେଇ ବେଦମ୍‌ କରୁଛି, ଷ୍ଟାଣ୍ଡ୍‌ ଅପ୍‌ କମେଡି – Kalinga News

[ad_1]

ପ୍ରିୟଙ୍କା ରାୟ

ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ଔଷଧ ଭଳି କାମ କରେ ହସ। ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ହସ ଆହୁରି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ତେବେ ଅନ୍ୟକୁ ହସାଇବା ପାଇଁ ନୁହେଁ, ବରଂ ଏହି ହସ ଏବେ ରୋଜଗାର ଦେଇଛି। ଦିନ ଥିଲା ‘ଷ୍ଟାଣ୍ଡ ଅପ୍‌ କମେଡି’ କହିଲେ ଲୋକେ ସ୍ବର୍ଗତ ରାଜୁ ଶ୍ରୀବାସ୍ତବଙ୍କ ଭଳି ଲୋକପ୍ରିୟ କମେଡିଆନ୍‌ଙ୍କୁ ମନେ ପକାଉଥିଲେ। ହେଲେ ଏବେ ଜଣଙ୍କ ପରେ ଜଣେ ଓଡ଼ିଆ ଏହି କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେଣି। ଏଭଳି ଜଣେ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ହେଉଛନ୍ତି ଯାଜପୁରର ବିଶାଲ୍‌ ପଟ୍ଟନାୟକ। ପେସାରେ ଓକିଲ ହୋଇଥିଲେ ବି କମେଡି କରିବା ତାଙ୍କର ନିଶା। ଘର ଯାଜପୁର, କର୍ମକ୍ଷେତ୍ର ଭୁବନେଶ୍ୱର। ଓକିଲାତି ସହ ଷ୍ଟାଣ୍ଡ ଅପ୍‌ କମେଡିରେ ସେ ବେଶ୍‌ ପରିଚିତ। ଗାଈ, ବାଇକ ଓ ପାଇଲସ୍‌କୁ ନେଇ ତାଙ୍କର କମେଡି ଭିଡିଓକୁ ୟୁ ଟ୍ୟୁବ୍‌ରେ ୧ ଲକ୍ଷ ୨୮ ହଜାର ଲୋକ ଦେଖିସାରିଲେଣି। ସ୍କୁଲ୍‌, କଲେଜରେ ପଢ଼ୁଥିବା ବେଳେ କମେଡି କରି ସମସ୍ତଙ୍କର ପ୍ରିୟ ହୋଇଥିଲେ। କଲେଜ୍‌ ବେଳର ସେହି ଗୁଣକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ଚିନ୍ତା କଲେ। ନିଜର ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ବିଭିନ୍ନ ପରିସ୍ଥିତିରୁ ସେ କମେଡିର ଖୋରାକ୍‌ ଯୋଗାଡ଼ କରି ବିଦ୍ରୁପ ଢଙ୍ଗରେ ଉପସ୍ଥାପନ କଲେ। ଯାହାକୁ ଲକ୍ଷଲକ୍ଷ ଲୋକ ପସନ୍ଦ କଲେ। ଲୋକଙ୍କ ଭଲପାଇବା, ତାଙ୍କୁ ନୂଆ ନୂଆ ଖୋରାକ୍‌ ଯୋଗାଇବାରେ ଉତ୍ସାହିତ କଲା। ମାସକରେ ଦୁଇ ତିନୋଟି ସୋ’ ସହ ୟୁ ଟ୍ୟୁବ୍‌ ରୋଜଗାର ଦେଲା। ଏବେ ଆଉ ପଛକୁ ‌ଫେରି ଚାହିବାକୁ ସମୟ ନାହିଁ ବୋଲି କହିଛନ୍ତି ବିଶାଲ।

ରୋଜଗାର ସହ ଏଥିରେ ନିଜ ମାତୃଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରୁଛି। ଏଥିରେ କ୍ୟାରିୟରକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଏଥିପାଇଁ ବେଶୀ ଭଲ ପ୍ଲାଟଫର୍ମ ନାହିଁ କିନ୍ତୁ ସାମୟିକ ରୋଜଗାର ଭାବରେ ଏହା କରିହେବ। କ୍ୟାରିୟର ଆରମ୍ଭରୁ ଲୋକ ଜୋକର ବୋଲି କହୁଥିଲେ। କିନ୍ତୁ ଯେତେବେଳେ ସୋ’ ଲୋକପ୍ରିୟ ହେଲା ସେତେବେଳେ ଧାରଣା ବଦଳିଗଲା। ଯୁବପିଢ଼ି ଫଲୋ କରିବାକୁ ଲାଗିଲେ। ଅଧିକ ଦର୍ଶକ/ଶ୍ରୋତା ଆଶାରେ ସେ ହିନ୍ଦୀ ଭାଷାରେ କମେଡି କରୁଥିଲେ। କିନ୍ତୁ ନିଜ ମାତୃଭାଷାରେ ଯେଉଁ ଅନୁଭବ ଆସେ, ଯେଭଳି ବ୍ୟକ୍ତ କରିହୁଏ ତାହା ଅନ୍ୟ ଭାଷାରେ ଆସେ ନାହିଁ ବୋଲି ସେ କହିଛନ୍ତି। ଅନେକ ସମୟରେ ଷ୍ଟାଣ୍ଡ ଅପ୍‌ କମେଡିରେ ମହିଳାମାନଙ୍କୁ ଅପମାନ କରାଯାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସବୁ ପ୍ରସଙ୍ଗରେ ଲୋକଙ୍କର ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ରହିଛି। କିଛି ଜିନିଷକୁ କେବଳ ମଜା ବୋଲି ଭାବିବା ଦରକାର। କିନ୍ତୁ କୌଣସି କମେଡିରେ ପରିହାସ ମାତ୍ରାଧିକ ହେବା ଉଚିତ ମଧ୍ୟ ନୁହେଁ ବୋଲି ସେ ଅନ୍ୟମାନଙ୍କୁ ଆହ୍ବାନ କରିଛନ୍ତି। ବିଭିନ୍ନ ସ୍ଥାନରେ କମେଡି ଫେଷ୍ଟ ଆୟୋଜନ ହେଉଛି। ଗତ ଡିସେମ୍ୱର ୮ ତାରିଖରେ ଭଞ୍ଜକଳାମଣ୍ଡପରେ ଏଭଳି ଏକ ଫେଷ୍ଟ ଆୟୋଜନ ହୋଇଥିଲା। ଏଥିରେ ରାଜଧାନୀର ବହୁ ଯୁବପିଢ଼ି ଯୋଗ ଦେଇଥିଲେ। ଯେଉଁମାନେ ଏଥିରେ ଯୋଗ ଦେବାକୁ ଚାହୁଛନ୍ତି ସେମାନେ ଫେଷ୍ଟରେ ଯୋଗ ଦେଇପାରିବେ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button