ବନ୍ଧୁକ ମୁନରେ ୫୦ ଗ୍ରାମ୍ ଚେନ୍ ଲୁଟ୍ ମାମଲା: ପୁନିଆ-ପିଣ୍ଟୁ ଗିରଫ – Kalinga News

[ad_1]
ଦୁର୍ଦାନ୍ତ ରଘୁ ବିଶ୍ବାଳର ୨ ସହଯୋଗୀ
ପୁରୁଣା ଭୁବନେଶ୍ବର: ବନ୍ଧୁକ ଦେଖାଇ ୨ ଭାଇଙ୍କଠାରୁ ପ୍ରାୟ ୫୦ ଗ୍ରାମ୍ ଓଜନର ସୁନାଚେନ୍ ଲୁଟ୍ ହୋଇଥିବା ମାମଲାରେ ସମ୍ପୃକ୍ତ ୨ କୁଖ୍ୟାତ ଲୁଟେରାଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ୩ ମାସ ପରେ ଗିରଫ କରିଛି। ସେମାନେ ହେଲେ ଏୟାର୍ପୋର୍ଟ ଥାନା କାର୍ଗିଲ୍ ରୋଡ୍ କେଳାବସ୍ତିରେ ରହୁଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ହରିଜନସାହି ନୂଆଗାଁର ପୁନିଆ ନାଏକ(୨୩) ଓ ନରହରି ନାଏକ ଓରଫ୍ ପିଣ୍ଟୁ(୨୪)। ଗତ ମାସରେ ମଞ୍ଚେଶ୍ବର ଥାନା ପୁଲିସ ଏନ୍କାଉଣ୍ଟରର ଶିକାର ହୋଇଥିବା ଦୁର୍ଦ୍ଦାନ୍ତ ରଘୁ ବିଶ୍ବାଳର ଏମାନେ ଅନ୍ୟତମ ସହଯୋଗୀ ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କଠାରୁ ଗୋଟିଏ ଖେଳଣା ବନ୍ଧୁକ ଓ ଛୁରି ଜବତ କରାଯାଇଛି। ସେମାନେ ଗୋଟିଏ ଚେନ୍କୁ ଭୀମଟାଙ୍ଗିସ୍ଥିତ ଏକ ବ୍ୟାଙ୍କ୍ରେ ବନ୍ଧକ ରଖି ୭୫ ହଜାର ଟଙ୍କା ଋଣ ଉଠାଇଥିବା ବେଳେ ଅନ୍ୟ ଚେନ୍ଟି ନକଲି ବୋଲି ଫୋପାଡ଼ି ଦେଇଥିବା ପୁଲିସକୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୩ ଅକ୍ଟୋବର ୮ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ରାମକୃଷ୍ଣ ମିସନ ଲାଇବ୍ରେରି ନିକଟସ୍ଥ ମା’ ଗୌରୀ ଭେରାଇଟି ଷ୍ଟୋର୍ରେ ମୁଖା ପିନ୍ଧଥିବା ଦୁଇ ଦୁର୍ବୃତ୍ତ ପଶି ସତ୍ୟାନନ୍ଦ ସୁବୁଦ୍ଧିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ଗୁଳିମାଡ଼ ଭୟରେ ସତ୍ୟାନନ୍ଦ ତାଙ୍କ ବେକରୁ ସୁନାଚେନ୍ ଓ ଲକେଟ୍ ବାହାର କରି ଦୁର୍ବୃତ୍ତଙ୍କ ହାତକୁ ବଢ଼ାଇଦେଇଥିଲେ। ପରେ ପରେ ଦୁର୍ବୃତ୍ତମାନେ ସତ୍ୟାନନ୍ଦଙ୍କ ଭାଇ ଶତୃଘ୍ନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ ଏବଂ ତାଙ୍କ ବେକରୁ ଚେନ୍ ଛିଣ୍ଡାଇ ଦୌଡ଼ିଥିଲେ। ସେମାନେ ରାମକୃଷ୍ଣ ମିସନ ଗେଟ୍ ଡେଇଁ ଭିତରକୁ ପଳାଇଥିଲେ। ଶତୃଘ୍ନ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅନୁସନ୍ଧାନ ଚଳାଇଥିଲା। ସେତେବେଳେ ପୁଲିସ ପୁନିଆ ଓ ପିଣ୍ଟୁକୁ ଚିହ୍ନଟ କରିଥିଲା। କିନ୍ତୁ ସେମାନେ ଭୁବନେଶ୍ବର ଛାଡ଼ି ବାହାରକୁ ପଳାଇଥିବାରୁ ସେମାନଙ୍କୁ ଗିରଫ କରିବା ସମ୍ଭବ ହୋଇନଥିଲା। ପୁନିଆ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୨ରୁ ଅଧିକ ଆପରାଧିକ ମାମଲା ରହିଛି।
[ad_2]




