୪ ବର୍ଷର ପୁଅକୁ ମାରିଦେଲା ମା’: ଗୋଆରେ ହତ୍ୟା, କର୍ଣ୍ଣାଟକରେ ଗିରଫ – Kalinga News

[ad_1]
ଗୋଆ: ଏକ ଏଆଇ ଷ୍ଟାର୍ଟଅପ୍ର ସିଇଓ ଥିବା ବେଙ୍ଗାଲୁରୁର ଜଣେ ମହିଳା ନିଜର ୪ ବର୍ଷର ପୁଅକୁ ଗୋଆର ଏକ ହୋଟେଲରେ ହତ୍ୟା କରିଛନ୍ତି। ସେ ଏଭଳି ନାରକୀୟ କାଣ୍ଡ କାହିଁକି ଘଟାଇଲେ, ତାହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ମଧ୍ୟ ସ୍ବାମୀଙ୍କ ସହିତ ବିବାଦକୁ ନେଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ପୁଅକୁ ହତ୍ୟା କରିବା ପରେ ସେ ନିଜେ ମଧ୍ୟ କୁଆଡ଼େ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ ୩୯ ବର୍ଷୀୟା ସୂଚନା ସେଠ୍ ହେଉଛନ୍ତି ବେଙ୍ଗାଲୁରୁର ଷ୍ଟାର୍ଟଅପ୍ ଏଆଇ ଲ୍ୟାବ୍ର ସିଇଓ। ସେଠ୍ ଓ ତାଙ୍କ ସ୍ୱାମୀ ବିବାହର ୧୦ ବର୍ଷ ପରେ ୨୦୨୦ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ରବିବାର ପୁଅକୁ ଭେଟିବା ପାଇଁ କୋର୍ଟ ବାପାଙ୍କୁ ଅନୁମତି ଦେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶରେ ବ୍ୟଥିତ ହୋଇ ମହିଳା ଜଣକ ତାଙ୍କ ପୁଅ ସହ ଗୋଆ ଯିବାକୁ ଯୋଜନା କରିଥିଲେ। ବାପାଙ୍କ ସହ ସାକ୍ଷାତ୍ ପୂର୍ବରୁ ଉତ୍ତର ଗୋଆର କାଣ୍ଡୋଲିମରେ ଥିବା ହୋଟେଲକୁ ଗତ ୬ ତାରିଖରେ ଆସିଥିଲେ। ରବିବାର-ସୋମବାର ରାତିରେ ସେ ତାଙ୍କ ପୁଅକୁ ଗଳାଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୋମବାର ସକାଳେ ସେ ଏକ କାର ଯୋଗେ ବେଙ୍ଗାଲୁରୁ ବାହାରିଥିଲେ। ସାଙ୍ଗରେ ପୁଅର ମୃତଦେହକୁ ଏକ ବ୍ୟାଗ୍ରେ ପ୍ୟାକିଂ କରି ନେଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଚେକ୍ ଆଉଟ୍ ବେଳେ ତାଙ୍କ ସାଙ୍ଗରେ ପିଲା ନଥିବାରୁ ହୋଟେଲ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ଚେକ୍ ଆଉଟ୍ ପରେ ସେ ରହିଥିବା ରୁମ୍କୁ ସଫା କରିବା ଲାଗି କର୍ମଚାରୀ ଯାଇଥିବା ବେଳେ ବେଡ୍ରେ ରକ୍ତ ପଡ଼ିଥିବା ଦେଖିଥିଲେ। ସେମାନେ ତତ୍କ୍ଷଣାତ୍ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ କର୍ମଚାରୀମାନେ ସବୁ କଥା କହିଥିଲେ। ପୁଲିସ ଉକ୍ତ ମହିଳା ସୂଚନାଙ୍କୁ ଫୋନ୍ କରି ତାଙ୍କର ପୁଅ ବିଷୟରେ ପଚାରିବା ସହିତ ବେଡ୍ରେ ରକ୍ତ ପଡ଼ିଥିବା ନେଇ ପ୍ରଶ୍ନ କରିଥିଲେ।
ଗୋଆରେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ପୁଅ ଅଛି ବୋଲି କହି ସେ ଏକ ଠିକଣା ଦେଇଥିଲେ। କିନ୍ତୁ ଏହି ଠିକଣା ଭୁଲ ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେଣୁ ହତ୍ୟା ନେଇ ସନ୍ଦେହ ଘନୀଭୂତ ହେବାରୁ ପୁଲିସ ସେହି କାର ଡ୍ରାଇଭରକୁ ଫୋନ୍ କରି କାରକୁ ନିକଟବର୍ତ୍ତୀ ଥାନାକୁ ନେବାଲାଗି କହିଥିଲେ। କାର ସେତେବେଳେ କର୍ଣ୍ଣାଟକ ପହଞ୍ଚି ସାରିଥିଲା। ପୁଲିସ ନିର୍ଦ୍ଦେଶ ଅନୁଯାୟୀ ଡ୍ରାଇଭର କାରକୁ ଥାନାକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ କାର ଭିତରୁ ପିଲାର ମୃତଦେହ ମିଳିଥିଲା। ପୁଲିସ ସୂଚନାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅନୁମତି କ୍ରମେ ତାଙ୍କୁ ଗୋଆ ନିଆଯାଇଛି। ଆଜି ରାତିରେ ସେ ଗୋଆରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ହତ୍ୟାକାଣ୍ଡର କାରଣ ସଂପର୍କରେ ପଚରାଉଚରା କରିବ।
[ad_2]