ବିଧାୟକ ଓ ସାଂସଦଙ୍କ ନଁାରେ ୪୨୩ ବିଚାରାଧୀନ ମାମଲା – Kalinga News
[ad_1]
କଟକ: ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ୪୨୩ଟି ବିଚାରାଧୀନ ମାମଲା। ୨୦୨୩, ଡିସେମ୍ବର ୩୧ ସୁଦ୍ଧା ୩୦ଟି ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲା ସଂପର୍କରେ ହାଇକୋର୍ଟ ୱେବସାଇଟରେ ସୂଚନା ଜାରି କରାଯାଇଛି। ସାଂସଦ/ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬ଟି ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଥିବା ସମ୍ବଲପୁର ଜିଲ୍ଲାରେ ୫୩ଟି ଓ ତୃତୀୟ ସ୍ଥାନରେ ରହିଥିବା ଗଞ୍ଜାମ ଜିଲ୍ଲାରେ ୫୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନୁଗୁଳରେ ୨୭ଟି, ବାଲେଶ୍ବରରେ ୨୮ଟି, ବରଗଡ଼ରେ ଗୋଟିଏ, ବଲାଙ୍ଗୀରରେ ୨୬ଟି, କଟକରେ ୩୬ଟି, କଳାହାଣ୍ଡିରେ ଗୋଟିଏ, କୋରାପୁଟରେ ୪୮ଟି, ମୟୂରଭଞ୍ଜରେ ୨୪ଟି, ସୋନପୁରରେ ଗୋଟିଏ, ସୁନ୍ଦରଗଡ଼ରେ ୪୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ଫୁଲବାଣୀ, ପୁରୀ, ରାୟଗଡ଼ା ଜିଲ୍ଲାରେ ଥିବା ଅଦାଲତରେ ସାଂସଦ/ବିଧାୟକଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନାହିଁ ବୋଲି ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସାଂସଦ/ବିଧାୟକଙ୍କ ମାମଲାର ତ୍ବରିତ ଶୁଣାଣି ପାଇଁ ରାଜ୍ୟର କେତେକ ସ୍ଥାନରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ସୁପ୍ରିମକୋର୍ଟ ୨୦୨୦, ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ଅଦାଲତରେ ତ୍ବରିତ ଶୁଣାଣି ଓ ଫଏସଲା ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହାପରେ ହାଇକୋର୍ଟ ଏହି ପ୍ରସଂଗକୁ ନେଇ ନିଜ ଆଡ଼ୁ ୨୦୨୦ରେ ମାମଲା ରୁଜୁ କରିଥିଲେ। ବିଧାୟକ/ସାଂସଦଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଗୁଡ଼ିକର ତ୍ବରିତ ଶୁଣାଣି ପାଇଁ କେତେକ ସ୍ଥାନରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଥିଲେ। ସାଂସଦ, ପୂର୍ବତନ ସାଂସଦ, ବିଧାୟକ, ପୂର୍ବତନ ବିଧାୟକଙ୍କ ବିରୋଧରେ ଥିବା ମାଜିଷ୍ଟ୍ରେଟଙ୍କ ଦ୍ବାରା ଟ୍ରାଏଲ ଯୋଗ୍ୟ ମାମଲା ଶୁଣାଣି ପାଇଁ ୧୧ଟି ସିଭିଲ ଜଜ୍ ଅଦାଲତଙ୍କୁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଛି। ସେହିଭଳି ଭାବେ ୨୦୨୧, ମାର୍ଚ୍ଚ ୧୭ର ବିଜ୍ଞପ୍ତି ଅନୁସାରେ ତିନୋଟି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତଙ୍କୁ ଏଭଳି ମାମଲା ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ପ୍ରଦାନ କରାଯାଇଥିବା ନେଇ ୨୦୨୧, ଏପ୍ରିଲ ୫ରେ ରାଜ୍ୟ ସରକାର ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ଅବଗତ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଦାଲତରେ ସାଂସଦ /ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡ଼ିକ ସ୍ବତନ୍ତ୍ର ଅଦାଲତକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇ ଆସିଥିଲା। ଏଥି ସହିତ ନୂଆକରି ରୁଜୁ ଏଭଳି ମାମଲା ଗୁଡ଼ିକୁ ସ୍ବତନ୍ତ୍ର ଅଦାଲତକୁ ବିଚାର ପାଇଁ ପଠାଯାଇଥିଲା।
[ad_2]