କିଞ୍ଜିରକେଲା ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ପାରାସୁଟରେ ଉଡି ଆସିଲା ଅଜଣା ବକ୍ସ, ଲୋକେ ଛାନିଆ

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲାରେ ଦେଖିବାକୁ ମିଳିଛି ଏକ ରହସ୍ୟମୟ ଘଟଣା । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାରାସୁଟ୍ ସହ ଏକ ଅଜଣା ବକ୍ସ ପଡ଼ିଥିବା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଯାଇଛି ଭୟ ଓ କୌତୁହଳ । ବକ୍ସ ଉପରେ ଚାଇନିଜ୍ ଭାଷାରେ ଲେଖା ଥିବାରୁ ଘଟଣାକୁ ନେଇ ବଢ଼ିଛି ଆଶଙ୍କା । ତେବେ ବକ୍ସରେ କ’ଣ ଅଛି ଏବଂ ଏହା କେଉଁଠାରୁ ଆସିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
କିଞ୍ଜିରକେଲା ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ସକାଳୁ ସକାଳୁ ହଠାତ୍ ନଜରକୁ ଆସିଲା ପାରାସୁଟ୍ରେ ବନ୍ଧା ଏକ ଅଜଣା ବକ୍ସ । ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ବକ୍ସ ଉପରେ ଚାଇନିଜ୍ ଭାଷାରେ ଲେଖା ଥିବାରୁ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୋଭିଡ୍ ମହାମାରୀ ପରେ ଚୀନ୍କୁ ନେଇ ଲୋକଙ୍କ ମନରେ ଥିବା ଆଶଙ୍କା ପୁଣି ଥରେ ଉଭା ହୋଇଛି । କିଛି ଲୋକ ଏହାକୁ ବିପଜ୍ଜନକ ସାମଗ୍ରୀ ବୋଲି ସନ୍ଦେହ କରୁଥିବା ବେଳେ, ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟି ମିଳିନାହିଁ ।
ଖବର ପାଇ କିଞ୍ଜିରକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବକ୍ସକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ବକ୍ସଟି କେଉଁଠାରୁ ଆସିଛି, ପାରାସୁଟ୍ରେ କାହିଁକି ପଡ଼ିଲା ଏବଂ ଏହା ଭିତରେ କ’ଣ ରହିଛି, ସେସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ପୋଲିସ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି ଯେ, ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ଅଜଣା ବସ୍ତୁକୁ କେହି ନଛୁଅନ୍ତୁ ଏବଂ କୌଣସି ଅପ୍ରମାଣିତ ଗୁଜବରେ ବିଶ୍ୱାସ ନକରନ୍ତୁ ।




