ଦେଶ- ବିଦେଶ

ଶୀତଦିନେ ହାତ ଶୁଷ୍କ ହୋଇଯାଉଥିଲେ ଲଗାନ୍ତୁ ଏହି ଚାରିଟି ଘରୋଇ ମାସ୍କ, ତ୍ୱଚା ହେବ ମୁଲାୟମ

ଋତୁ ପରିବର୍ତ୍ତନ ଯୋଗୁ ଖାସ୍‌ କରି ଶୀତଦିନେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସହ ହାତଗୋଡ଼ ମଧ୍ୟ ଶୁଷ୍କ ହୋଇଯାଏ। ଥଣ୍ଡାଦିନେ ଶରୀରର ତୈଳାଂଶ କମିଯାଇଥାଏ, ଫଳରେ ତ୍ୱଚା ରୁକ୍ଷ ଓ ଟାଣ ହୋଇଯାଏ। ମହିଳାମାନେ ଶୀତଦିନେ ମୁହଁର ଧ୍ୟାନ ରଖୁଥିବା ବେଳେ ଗୋଡ଼ହାତର ଏତେ ଯତ୍ନ ନେଇନଥାନ୍ତି। ଫଳରେ ହାତ ଗୋଡ଼ ଶୁଖିଯାଇ ଫାଟୁଥିବା ଦେଖିବାକୁ ମିଳେ। ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଏହି ଚାରି ପ୍ରକାରର ଘରୋଇ ମାସ୍କ ବ୍ୟବହାର କରନ୍ତୁ। ଆଉ ଦିନ କେଇଟାରେ ଦେଖନ୍ତୁ ଫାଇଦା…

୧.ଘିକୁଆଁରୀ ମାସ୍କ:

ତ୍ୱଚା ପାଇଁ ଘିକୁଆଁରୀ ମାସ୍କ କୌଣସି ବରଦାନଠାରୁ କମ୍‌ ନୁହେଁ। ଏହା ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାକୂ ଦୂର କରିଥାଏ। ଘିକୁଆଁରୀରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ମଶ୍ଚରାଇଜିଂ ଗୁଣ ତ୍ୱଚାର ରୁକ୍ଷପଣକୁ ଦୂର କରିବା ସହ ଚମକ ଆଣିଥାଏ। ଏହା ବୟସ ପୂର୍ବରୁ ଚର୍ମରେ ହେଉଥିବା ଲୋଚାପଣକୁ ମଧ୍ୟ ଦୂର କରିଥାଏ। ଘିକୁଆଁରୀ ମାସ୍କ ତିଆରି କରିବା ପାଇଁ ଏହାର ଭିତର ଜେଲିକୁ ବାହାର କରି ସେଥିରେ ଲେମ୍ବୁ ମିଶାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏହାକୁ ହାତରେ ଲଗାଇ ରାତି ସାରା ଛାଡ଼ିଦିଅନ୍ତୁ। ସକାଳୁ ଉଠି ହାତକୁ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଏଭଳି କରିବା ଦ୍ୱାରା ହାତ ନରମ ହୋଇଥାଏ।

୨.ଅଣ୍ଡା ମାସ୍କ:

ଅଣ୍ଡାରେ ଥିବା ପ୍ରୋଟିନ୍‌ ତ୍ୱଚାକୁ ପୋଷଣ ଯୋଗାଇଥାଏ। ଫଳରେ ଚର୍ମ ଅଧିକ ସମୟ ପର୍ଯ୍ୟନ୍ତ କୋମଳ ରହିଥାଏ। ଅଣ୍ଡା ମାସ୍କ ବନାଇବା ପାଇଁ ଅଣ୍ଡାର ତରଳ ଅଂଶ ସହ ଲେମ୍ବୁ ରସ ଓ କିଛି ଅଲିଭ୍‌ ଅଏଲ୍‌ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ହାତରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ପରେ ଉଷୁମ ପାଣିରେ ହାତ ଧୋଇ ଦିଅନ୍ତୁ।

୩.ଗାଜର ମାସ୍କ:

 

ଗାଜର ଶରୀର ପାଇଁ ଖୁବ୍‌ ଉତ୍ତମ ହୋଇଥାଏ। ଗାଜର ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ମିଳୁଥିବା ବେଳେ ଏହାର ମାସ୍କ ମଧ୍ୟ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ। ତ୍ୱଚାର ଶୁଷ୍କପଣ ଦୂର କରିବାରେ ଗାଜର ମାସ୍କ ସାହାଯ୍ୟ କରେ। ଗାଜରକୁ ଛୋଟ ଛୋଟ ଖଣ୍ଡରେ କାଟି ପେଷ୍ଟ ବନାନ୍ତୁ। ଏହି ପେଷ୍ଟରେ କିଛି ଲେମ୍ବୁ ରସ ଗୋଳାଇ ହାତରେ ଲଗାନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ହାତ ଧୋଇଦିଅନ୍ତୁ।

୪.ଆଳୁ ମାସ୍କ:

ଆଳୁ ସବୁ ତରକାରୀରେ ବ୍ୟବହାର କରାଯାଉଥିବାରୁ ଏହାକୁ ପରିବାମାନଙ୍କର ରାଜା କୁହାଯାଏ। କେବଳ ଖାଦ୍ୟ ନୁହେଁ ଆପଣ ଆଳୁକୁ ମାସ୍କ ଭବେ ମଧ୍ୟ ବ୍ୟବହାର କରିପାରିବେ। ଆଖିତଳ କଳାଦାଗ ଦୂର କରିବାରେ ମଧ୍ୟ ଆଳୁ ସାହାଯ୍ୟ କରେ। ଆଳୁ ମାସ୍କ ତିଆରି କରିବା ପାଇଁ ପ୍ରଥମେ ଦୁଇଟି ଆଳୁକୁ ସିଝାଇ ଚକଟି ଦିଅନ୍ତୁ। ଏଥିରେ କିଛି କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ହାତରେ ଲଗାଇ ଶୁଖିବାକୁ ଛାଡ଼ିଦିଅନ୍ତୁ। ପରେ ହାତକୁ ଧୋଇ ଦିଅନ୍ତୁ। ଏହାର ପ୍ରଭାବ ଆପଣ ସାଙ୍ଗେ ସାଙ୍ଗେ ଅନୁଭବ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button