୨୦ ବର୍ଷ ପରେ ଏକାଠି ହେଲେ ଠାକରେ ବ୍ରଦର୍ସ: ମହାନଗର ନିର୍ବାଚନରେ ମେଣ୍ଟ- ପଛରେ ମୁମ୍ୱାଇ ମାନୁଷ ଥିଓରୀ

୨୦ ବର୍ଷ ପରେ ଠାକରେ ବ୍ରଦର୍ସଙ୍କ ଭିତରେ ମେଣ୍ଟ। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଓ ଏମଏନଏସ ବା ମହାରାଷ୍ଟ୍ର ନବନିର୍ମାଣ ସେନାର ସଭାପତି ରାଜ ଠାକରେ ମୁମ୍ୱାଇ ମହାନଗର ନିଗମ ନିର୍ବାଚନ ପାଇଁ ନିର୍ବାଚନୀ ମେଣ୍ଟ ଘୋଷଣା କରିଛନ୍ତି। ଦୁଇ ଭାଇ ଏକାଠି ଗୋଟିଏ ଗାଡ଼ିରେ ବାହାରିଥିଲେ। ମଞ୍ଚ ଉପରେ ବି ପାରିବାରିକ ଫଟୋଗ୍ରାଫି ହୋଇଥିଲା। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ଓ ରାଜଙ୍କ ପୁଅ ଅମିତ ଠାକରେ ବି ଉପସ୍ଥିତ ଥିଲେ। ଦୁଇ ଭାଇ ସପରିବାର ଯାଇ ଶିବାଜୀ ପାର୍କରେ ଥିବା ବାଲାସାହେବ ଠାକେରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ରାଜ କହିଛନ୍ତି, ଏହି ସମୟକୁ ମହାରାଷ୍ଟ୍ରବାସୀ ଦୀର୍ଘ ଦିନ ଅପେକ୍ଷା କରି ରହିଥିଲେ। ଶିବସେନା ଓ ଏମଏନଏସ ସାଙ୍ଗରେ ଆସନ୍ତୁ ବୋଲି ଚାହୁଁଥିଲେ। ମୁମ୍ୱାଇର ପରବର୍ତ୍ତୀ ମେୟର ଜଣେ ମରାଠୀ ହିଁ ହେବେ। ଆଉ ମେୟର ସେମାନଙ୍କ ମେଣ୍ଟ ପ୍ରାର୍ଥୀରୁ ହିଁ ଜିତିବେ। ସଂଖ୍ୟାଲଘୁ ଭୋଟ କେମିତି ତାଙ୍କ ପଟକୁ ଢଳିବେ, ସେ ପାଠ ଅନ୍ତତଃ ବିଜେପି ପାଖରୁ ଶିଖିବା ଦରକାର ନାହିଁ ବୋଲି କଟାକ୍ଷ କରିଛନ୍ତି ରାଜ୍। ୧୦ଟି ମ୍ୟୁନିସିପାଲ କର୍ପୋରେସନରେ ଏକାଠି ଲଢ଼ିବେ। ଏମଏନଏସ ୬୫ରୁ ୭୦ ଆସନରେ ଲଢ଼ିପାରେ। ଶିବସେନା(ୟୁବିଟି) ୧୫୫ରୁ ୧୬୦ ଆସନରେ ଲଢ଼ିବ। ବିଏମସି ସମେତ ମହାରାଷ୍ଟ୍ରର ମୋଟ୍ ୨୯ ନଗର ନିଗମ ନିର୍ବାଚନ ପାଇଁ ହାତ ମିଳାଇଲେ। ଏନସିପି, ସପା ପାଇଁ ଆସନ ସଂରକ୍ଷିତ ରହିଛି। ଉଦ୍ଧବ ଠାକରେ କହିଛନ୍ତି, ମହାରାଷ୍ଟ୍ରର ନେତୃତ୍ୱ କେବଳ ଠାକରେ କରିପାରିବେ। ମହାରାଷ୍ଟ୍ର ଆନ୍ଦୋଳନରେ ୧୦୭ ଲୋକଙ୍କ ଶହୀଦ ପରେ ମହାରାଷ୍ଟ୍ର ପାଇଲୁ। ସେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ତାଙ୍କ ଜେଜେ। ଆଉ ରାଜଙ୍କ ବାପା ଓ ତାଙ୍କ ବାପା ଏହି ଆନ୍ଦୋଳନରେ ସାମିଲ୍ ଥିଲେ। ଦିଲ୍ଲୀରେ ବସିଥିବା ଦୁଇ ଜଣଙ୍କୁ ରୋକିବାକୁ ଆସିଛୁ। ଆମ ଦୁଇ ଭାଇଙ୍କର ଭାବନା ଏକ। ଆଦିତ୍ୟ କହିଛନ୍ତି, ମୁମ୍ୱାଇ ଓ ମହାରାଷ୍ଟ୍ର ପାଇଁ ଆଜି ହେଉଛି ବଡ଼ ଦିନ। ଯେତେବେଳେ ବିଜେପି ହାରିବାକୁ ବସେ। ସେତେବେଳେ ଟଙ୍କା, ଜାତି, ଭାଷାର କଥା କୁହେ। କିନ୍ତୁ କାମରେ ଏହାକୁ କେବେ କାମରେ ଦେଖାଏନା। ଦଳ କହିଛି, ରାଜନୀତିରେ ମତଭେଦ ଥିଲା। ମନାନ୍ତର ରହିବା କଥା ନୁହେଁ। ସେ ସବୁ ସମାପ୍ତ କରି ମୁମ୍ୱାଇର ହିତ ଲାଗି ଦୁଇ ଭାଇ ଏକାଠି ସାମ୍ନାକୁ ଆସିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ହାରିବା ଭୟରେ ପରିବାରବାଦ ରାଜନୀତିରେ ଠାକରେ ବ୍ରଦର୍ସ ଏକାଠି ଆସିଥିବାର ସଙ୍କେତ ଦେଉଛି ଯେ, ଏମାନେ କେତେ ଭୟଭୀତ। ମୁମ୍ୱାଇ ଜନତା ଏନଡିଏକୁ ବିକାଶ ପାଇଁ ବାଛିବାକୁ ସ୍ଥିର କରିସାରିଛନ୍ତି। ମୁମ୍ୱାଇର ବିକାଶର ଲହର ଦେଖି ଏହି ଦୁଇ ପରିବାର ନିଜର ଅମାନତ ରକ୍ଷା କରିବାକୁ ସାଙ୍ଗରେ ଆସିଛନ୍ତି। କଂଗ୍ରେସ କହିଛି, ସେମାନେ ଏହି ମେଣ୍ଟରେ ରହିବେନି।




