ବିନା ଟାଓ୍ୱାରରେ ମିଳିବ ନେଟଓ୍ୱର୍କ- ଇସ୍ରୋ ରଚିଲା ଇତିହାସ

ଇତିହାସ ରଚିଲା ଇସ୍ରୋ। ବାହୁବଳୀ ରକେଟ୍ LVM3-M6 ବ୍ଲୁବାର୍ଡ ସାଟେଲାଇଟର କଲା ସଫଳ ଉତକ୍ଷେପଣ। ଶ୍ରୀହରିକୋଟାର ସତୀଶ ଧଓ୍ୱନ ସ୍ପେଶ୍ ସେଣ୍ଟରରୁ ୬୧୦୦ କିଲୋଗ୍ରାମ ଓଜନର ବ୍ଲୁ-ବାର୍ଡ ସାଟେଲାଇଟ ଲଞ୍ଚ ହେଲା। ସକାଳ ୮ଟା ୫୪ରେ ଏହାର ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇଣ୍ଟରନେଟ୍ ଓ କନେକ୍ଟିଭିଟି ଦୁନିଆରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (NSIL) ଓ ଆମେରିକାସ୍ଥିତ ଏସଟି ସ୍ପେଶମୋବାଇଲ ଭିତରେ ହୋଇଥିବା ବୁଝାମଣା ଆଧାରରେ ଏହି ମିଶନକୁ ଲଞ୍ଚ୍ କରାଯାଇଛି। ପୃଥିବୀ ପୃଷ୍ଠର ନିମ୍ନ କକ୍ଷରେ ଆଜିଯାଏଁ ସ୍ଥାପିତ ହୋଇଥିବା ଏହା ହେଉଛି ସବୁଠୁ ବଡ଼ ଓଜନର ସାଟେଲାଇଟ। ଇସ୍ରୋ ମୁଖ୍ୟ ବି ନାରାୟଣନ କହିଛନ୍ତି, ଏହା ଭାରତ ପାଇଁ ନୂଆ ମାଇଲଖୁଣ୍ଟ ଅଟେ। ଏହି ମିଶନ ସହ ଭାରତ ଆଜି ଯାଏଁ ୩୪ ଦେଶ ପାଇଁ ୪୩୪ ସାଟେଲାଇଟ୍ ଲଞ୍ଚ୍ କରିଛି। ଏହି ସଫଳତା ଗଗନାୟନ ମିଶନରେ ବିଶ୍ୱସନୀୟତାକୁ ବୃଦ୍ଧି କରୁଛି।ଏହାର ସଫଳ ଉତକ୍ଷେପଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ତରୀକ୍ଷ କ୍ଷେତ୍ରରେ ଭାରତର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଭାରତର ହେଭି ଲିଫ୍ଟ ଲଞ୍ଚ କ୍ଷମତାକୁ ମଝଭୁତ କରିବା ସହ ଗ୍ଲୋବାଲ କମର୍ସିଆଲ ସ୍ପେଶ୍ ମାର୍କେଟରେ ଭାରତର ଭୂମିକାକୁ ସୁଦୃଢ଼ କରିବ। ଏହା ଆତ୍ମନିର୍ଭର ଭାରତର ପ୍ରୟାସକୁ ସାକାର କରୁଛି। ଭାରତ ନିରନ୍ତର ଅନ୍ତରୀକ୍ଷ ଦୁନିଆରେ ନୂଆ ଉର୍ଜା ଓ ନୂଆ ଉଚ୍ଚତାକୁ ଛୁଉଁଛି। ଏହି ସାଟେଲାଇଟକୁ ୫୬୦୦ରୁ ଅଧିକ ବ୍ୟକ୍ତିଗତ ସିଗନାଲ ସେଲ୍ ତିଆରି ଲାଗି ଡିଜାଇନ୍ କରାଯାଇଛି। ପ୍ରତି ସେକେଣ୍ଡରେ ୧୨୦ ମେଗାବାଇଟ୍ସ ବା ପିକ୍ ସ୍ପିଡ୍ ଦେବାର କ୍ଷମତା ରଖିଛି। ଏହି ନେଟଓ୍ୱର୍କ ସ୍ପିଡ୍ ଭଏସ କଲିଂ, ମେସେଜିଂ, ସୁପରଫାଷ୍ଟ ଡାଟା ଟ୍ରାନ୍ସଫର ଓ ବଫର ଫ୍ରି ଭିଡ଼ିଓ ଷ୍ଟ୍ରିମିଂ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିବ। ମୋବାଇଲ ନେଟଓ୍ୱର୍କରେ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ବିନା ଟାଓ୍ୱାରରେ ଇଣ୍ଟରନେଟ୍ ଉପଲବ୍ଧ ହୋଇପାରିବ। ଅପହଞ୍ଚ ଇଲାକାରେ ବିନା ବାଧାରେ ନେଟଓ୍ୱର୍କ ପହଞ୍ଚିବ। ହିମାଳୟ, ମହାସାଗର ଓ ମରୁଭୂମି ଯାଏ ଏଣିକି ଏହା ଉପଲବ୍ଧ ହୋଇପାରିବ। ଏହି କ୍ଷେତ୍ରରେ 4G ଓ 5G ନେଟଓ୍ୱର୍କ ସୁବିଧା ପହଞ୍ଚାଇବା ସହଜ ହେବ। କେବଳ ଏତିକି ନୁହେଁ। ଏହା ଜରିଆରେ ବୈଶ୍ୱିକ ସ୍ତରରେ ଡିଜିଟାଲ ଅସମାନତାକୁ ବି ହ୍ରାସ କରାଯାଇପାରିବ। ଏହା ଗ୍ରାମୀଣ କ୍ଷେତ୍ର, ପାଣି ଓ ଉଡ଼ାଣ ବେଳେ ବି ନେଟଓ୍ୱର୍କ କଭରେଜରେ ଥିବା ଅସୁବିଧା ଓ ଅସଙ୍ଗତିକୁ ଦୂର କରିପାରିବ। କୌଣସି ପ୍ରକାର ପ୍ରାକୃତିକ ବିପତ୍ତିରେ ବି ସାଟେଲାଇଟ ନେଟଓ୍ୱର୍କକୁ ସୁଗମ ରଖିପାରିବ। ଇଣ୍ଟରନାସନାଲ ଟେଲିକମ୍ୟୁନିକେସନ ୟୁନିୟନ ଡାଟା ଅନୁସାରେ, ୨୦୨୫ ଯାଏ ପୁରା ବିଶ୍ୱରେ ୨ଶହ କୋଟି ଲୋକ ଏବେ ବି ଇଣ୍ଟରନେଟ୍ ଓ ନେଟଓ୍ୱର୍କ କଭରେଜ୍ ବିନା ରହିବାକୁ ବାଧ୍ୟ ହେଉଛନ୍ତି। ମୋବାଇଲ କନେକ୍ଟିଭିଟିରେ କ୍ରାନ୍ତି ଆଣିବ ଏହି ମିଶନ୍।




