ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ: ୪.୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ରାଉରକେଲା: ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଆଉ ଜଣେ କୁବେର ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି। ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସର୍ଚ୍ଚ ୱାରେଣ୍ଟ୍‌ ଆଧାରରେ ଓଡ଼ିଶା ଭିଜିଲାନ୍ସର ୭ଟି ଟିମ୍‌ ଗୁରୁବାର ସକାଳେ ଭୁବନେଶ୍ବର, ବାଲେଶ୍ବର, ଯାଜପୁର, ବଣାଇ (ସୁନ୍ଦରଗଡ଼) ସମେତ ୭ଟି ଠିକଣାରେ ଚଢ଼ଉ କରିଥିଲେ। ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ପ୍ରକଳ୍ପ ପ୍ରଶାସକ ଶ୍ରୀ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ଫ୍ଲାଟ୍‌, ପ୍ଲଟ୍‌ ସହ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଶ୍ରୀ ସାହୁଙ୍କର ଭୁବନେଶ୍ବର ଶ୍ରୀରାମନଗରରେ ୩୬୦୦ ବର୍ଗଫୁଟ୍‌ର ଦୁଇ ମହଲା ଆବାସିକ କୋଠା ରହିଛି।

୪.୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
୭ ସ୍ଥାନରେ ଚଢ଼ଉ, କୋଟି କୋଟି ଟଙ୍କାର ଫ୍ଲାଟ୍‌ ଓ ପ୍ଲଟ୍‌ ଠାବ

ଭୁବନେଶ୍ବର ଲକ୍ଷ୍ମୀସାଗର ଭଗବାନ ଟାୱାରର ତୃତୀୟ ମହଲାରେ ୧୫୦୦ ବର୍ଗଫୁଟର ଫ୍ଲାଟ୍‌ ରହିଛି। ଭୁବନେଶ୍ବର ୟୁନିଟ୍‌-୩ ଖାରବେଳନଗର ଇଭିଓଏସ୍‌ ଗ୍ୟାଲେକ୍ସିର ୪ର୍ଥ ମହଲାରେ ଫ୍ଲାଟ୍‌ ନେବାକୁ ଶ୍ରୀ ସାହୁ ୮୨ଲକ୍ଷ ଟଙ୍କା ଅଗ୍ରିମ ଦେଇଛନ୍ତି। ବାଲେଶ୍ବର ଏସ୍‌ଏନ୍‌ସେନ୍‌ ରୋଡ୍‌ର ସୁକୁମାର ନାୟକ ଆପାର୍ଟମେଣ୍ଟରେ ମଧ୍ୟ ତାଙ୍କର ଗୋଟିଏ ଫ୍ଲାଟ୍‌ ରହିଛି। କୁବେର ଭଳି ସମ୍ପତ୍ତି ରଖିଥିବା ଶ୍ରୀ ସାହୁଙ୍କର କେବଳ ଫ୍ଲାଟ୍‌ ନୁହେଁ, ପ୍ଲଟ୍‌ କିଣିବା ସଉକ ମଧ୍ୟ ଥିଲା। କଳାଧନକୁ ଧଳା କରିବାକୁ ରାଜଧାନୀ ଭୁବନେଶ୍ବର ଓ ପୁରୀର ପ୍ରମୁଖ ସ୍ଥାନରେ ୯ଟି ମୂଲ୍ୟବାନ୍‌ ପ୍ଲଟ୍‌ କିଣିଛନ୍ତି। ଏଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ବର ପୁରୁଣା ସହର ୟୁନିଟ୍‌-୨୭ ମୌଜାରେ (୦.୬୦ ଡେସିମିଲ୍‌), (୦.୨୮ ଡେସିମିଲ୍‌) ଓ (୦.୨୭ ଡେସିମିଲ୍‌)ର ତିନିଟି ପ୍ଲଟ୍‌, ଭୁବନେଶ୍ବର କୁକୁଡ଼ାଘାଇ ମୌଜାରେ (୦.୧୮୪ ଡେସିମିଲ୍‌)ଗୋଟିଏ ପ୍ଲଟ୍‌, ବିଜାପୁର ମୌଜାରେ (୦.୧୧୦ ଡେସିମିଲ୍‌) ଗୋଟିଏ ପ୍ଲଟ, ବାରଗଡ଼ା ମୌଜାରେ (୦.୫୦ ଡେସିମିଲ୍‌) ଗୋଟିଏ ପ୍ଲଟ୍‌, ପାଇକରାପୁର ମୌଜାରେ (୦.୨୩ ଡେସିମଲ୍‌), ପୁରୀର ବଟଗାଁ ମୌଜାରେ (୦.୩ ଡେସିମଲ୍‌), ଖୋର୍ଦ୍ଧା ଜଟଣୀ ସାହାସପୁର ମୌଜାରେ (୦.୩ ଡେସିମଲ୍‌) ପ୍ଲଟ୍‌ ରହିଛି। ଏଥିସହ ତାଙ୍କ ନିକଟରୁ ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା, ପ୍ରାୟ ୧୫୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ ହୋଇଛି। ଶ୍ରୀ ସାହୁଙ୍କ ମାଲିକାନାରେ ଏକ ଫୋର୍ଡ ଫିଗୋ କାର୍‌, ୪ଟି ଦୁଇଚକିଆ ଯାନ ଓ ମୂଲ୍ୟବାନ ଘରୋଇ ସାମଗ୍ରୀ ମଧ୍ୟ ଭିଜିଲାନ୍ସ ଟିମ୍‌ ଠାବ କରିଛି। ଏସବୁର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୧୪ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ମୋଟ ୪ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ‌ହୋଇ ସାରିଥିଲା। ଚଢ଼ଉରେ ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button