ରାଜ୍ୟ

ଅଚଳ ହୋଇପଡ଼ିଛି ହାଇମାଷ୍ଟ ଓ ଷ୍ଟ୍ରିଟ୍‌ଲାଇଟ୍: ଲାଇଟ୍ ଜଳୁନି, ବିଲ୍‌ ଅସୁଲ୍‌ ଚାଲିଛି

ଗୋପ: ସରକାରଙ୍କ ପକ୍ଷରୁ ଗୋପ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍ ଓ ହାଇମାକ୍ସ ଲାଇଟ୍‌ଗୁଡ଼ିକ ଲାଗିବାର ଅଳ୍ପ କେଇ ମାସରେ ଖରାପ ହୋଇ ଅଚଳ ହୋଇଯାଇଛି। ମାତ୍ର ବହୁଦିନ ଧରି ବିଦ୍ୟୁତ୍ ଜଳୁନଥିବା ସତ୍ତ୍ବେ ବିଦ୍ୟୁତ୍‌ କମ୍ପାନି ପଞ୍ଚାୟତଠାରୁ ନିୟମିତ ବିଲ୍ ଅସୁଲ୍‌ କରିଚାଲିଛି। ଗୋଟିଏ ପକ୍ଷରେ ସମସ୍ତ ଲାଇଟ୍‌ଗୁଡ଼ିକ ଅଚଳ ହୋଇଯିବା ଓ ଫନିବାତ୍ୟା ପରେ ଗୋପ ବ୍ଲକ୍‌ର ସମସ୍ତ ହାଇମାକ୍ସ ଲାଇଟ୍ ନଷ୍ଟ ହୋଇ ପଡ଼ିରହିଛି। ଏହି ଲାଇଟ୍‌ଗୁଡ଼ିକୁ ସଜାଡ଼ିବାକୁ କାହାରି ଆନ୍ତରିକତା ନାହିଁ କି କେହି ଏସଂପର୍କରେ ଶୁଣିବାକୁ ରାଜିନାହାନ୍ତି। ଗୋପ ଅଞ୍ଚଳର ପ୍ରତ୍ୟେକ ବଜାରଠାରୁ ଆରମ୍ଭ କରି ଜନଗହଳି ସ୍ଥାନରେ ସରକାରଙ୍କ ତରଫରୁ ହାଇମାକ୍ସ ଲାଇଟ୍ ଲଗାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଲାଇଟ୍‌ଗୁଡ଼ିକ ଏବେ କେବଳ ଏକ ଥୁଣ୍ଟା ତାଳଗଛ ଭଳି ଠିଆ ହୋଇଛି। ନା ସରପଞ୍ଚମାନେ ଏହାକୁ ସଜାଡ଼ୁଛନ୍ତି ନା ପ୍ରାଶାସନିକ ଅଧିକାରୀମାନେ ଲାଇଟ୍‌ଗୁଡ଼ିକୁ ସଚଳ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଗୋପ ବଜାରର ମୁଖ୍ୟ ଛକ, ଦେବୀବଜାର, ଲକ୍ଷ୍ମୀବଜାର, ବେଗୁନିଆଛକ, ଗଣେଶ୍ବରପୁରବଜାର, ସୁବର୍ଣ୍ଣପୁରବଜାର, ନାଗପୁରବଜାର ଭଳି ସ୍ଥାନମାନଙ୍କରେ ଏବେ ଏହି ହାଇମାକ୍ସ ଲାଇଟ୍ ଅଚଳ ରହିଛି।

ବ୍ଲକ୍‌ ପ୍ରଶାସନ-ପଞ୍ଚାୟତ ଭିତରେ ଦାୟିତ୍ବ ଠେଲାଠେଲି

ବ୍ଲକ୍‌ ପ୍ରଶାସନକୁ ପଚାରିଲେ ଏସବୁର ରକ୍ଷଣାବେକ୍ଷଣ ଦାୟିତ୍ବ ପଞ୍ଚାୟତର ବୋଲି କହୁଥିବା ବେଳେ ସରପଞ୍ଚମାନେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ନାରାଜ। ତେବେ ପ୍ରଶ୍ନଉଠୁଛି ଯେ, ଏହି ଲାଇଟ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ କାହାର ? ଅନ୍ୟପକ୍ଷରେ ଫନି ବାତ୍ୟାପରଠାରୁ ଏହି ଲାଇଟ୍‌ଗୁଡ଼ିକ ଅଚଳ ଥିବା ବେଳେ ବ୍ଲକ୍‌ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏହି ହାଇମାକ୍ସ ଲାଇଟ୍‌ଗୁଡ଼ିକୁ ମରାମତି କରିବାକୁ ଚାହୁନାହାନ୍ତି। ବହୁଦିନ ଧରି ଅଚଳାବସ୍ଥାରେ ପଡ଼ିରହିବା ଫଳରେ ସେଗୁଡ଼ିକ ଦିନକୁଦିନ ଖତରା ହୋଇଗଲାଣି। ଯଦି ସରକାର ଏହି ହାଇମାକ୍ସ ଲାଇଟ୍‌ଗୁଡ଼ିକ ଖୁବ୍‌ଶୀଘ୍ର ମରାମତି ନକରନ୍ତି ତେବେ ସେସବୁ ଧ୍ବଂସ ହେବା ଥୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସୂଚନାଥାଉକି, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବିଭିନ୍ନ ବଜାର ଓ ଛକ ସ୍ଥାନମାନଙ୍କରେ ହାଇମାକ୍ସ ଲାଇଟ୍ ଲଗାଯାଇଥିଲା। କିଛି ଅନାମଧେୟ ବ୍ୟକ୍ତି ଅସାଧୁ ଠିକାଦାର ସାଜି ଏହି ହାଇମାକ୍ସ ଲାଇଟ୍ ଲଗାଇଥିଲେ। ଯେଉଁଥିରେ କି ଅତ୍ୟନ୍ତ ନିମ୍ନମାନର ଉପକରଣ ଲଗାଯାଇଥିଲା। ଏବେ ଯେଉଁ ସମସ୍ୟା ଉପୁଜିଛି ତାହା ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ଭଳି ହୋଇଛି। ତେଣୁ କୌଣସି ସରପଞ୍ଚ ଏହି ଲାଇଟ୍‌ଗୁଡ଼ିକୁ ମରାମତି କରିବାକୁ ରାଜି ହେଉନାହାନ୍ତି। ଏହି ଯୋଜନାରେ ଗୋପ ବ୍ଲକ୍‌ରେ ଲାଗିଥିବା ସମସ୍ତ ହାଇମାକ୍ସ ଲାଇଟ୍‌ଗୁଡିକର ଯାଞ୍ଚ କରାଯାଇ ଏହାର ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ଏହି ଲାଇଟ୍ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହା ପଛରେ ଲୁଚିଥିବା ବହୁ ଗୁମର ପଦାକୁ ଆସିପାରିବ ବୋଲି ଗୋପ ବ୍ଲକ୍‌ ଦୁର୍ନୀତି ନିବାରଣ ମଞ୍ଚର ଆବାହକ ଗଙ୍ଗାଧର ପାଇକରାୟ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button