ରାଜ୍ୟ

ଦାରିଦ୍ର୍ୟ କଷଣ: ହଜାରେ ଟଙ୍କା ପାଇଁ ବନ୍ଧାପଡ଼ିଛି ପରିଚୟ

ମାଣିଦା: ପୁଅ ଥିଲା ଯେ ଅଭାବ ଭିତରେ ବି ବଞ୍ଚିବାକୁ ସାହସ ମିଳୁଥିଲା। ବିପଦ ଆପଦରେ ସବୁକିଛି ସମ୍ଭାଳି ନେଉଥିଲା। ହେଲେ ରୋଜଗାରିଆ ପୁଅର ଅଚାନକ ମୃତ୍ୟୁ ପରେ ସବୁକିଛି ବଦଳିଗଲା। ଏବେ ପେଟକୁ ଦୁଇମୁଠା ଦାନା ଯୋଗାଡ଼ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ପରିଣତ ବୟସରେ ଛୋଟ ନାତି, ନାତୁଣୀଙ୍କ ଦାୟିତ୍ବ ନେବାକୁ କାନ୍ଧରେ ଆଉ ବଳ ପାଉନି। ପରିସ୍ଥିତି ଏମିତି ଯେ ଘର ଚଳାଇବାକୁ ନିଜ ଆଧାର କାର୍ଡ ଓ ଭୋଟର୍‌ କାର୍ଡ ଜଣଙ୍କ ପାଖରେ ବନ୍ଧା ପକାଇ ୧୦୦୦ ଟଙ୍କା ଆଣିଥିଲେ। ରିକ୍ସା ଟାଣି ମୂଳଟଙ୍କା ଶୁଝି ଦେଇଛନ୍ତି। ହେଲେ ସୁଧ ବାବଦ ୫୦୦ ଟଙ୍କା ଦେଇ ପାରୁନାହାନ୍ତି ବୋଲି ଆଧାର କାର୍ଡ ବନ୍ଧା ପଡ଼ିଛି। ଦାରିଦ୍ର୍ୟ ତାଡ଼ନାରେ ଏମିତି ଘାଣ୍ଟିଚକଟି ହେଉଛନ୍ତି ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ୍‌ ନାକିଚୁଆ ପଞ୍ଚାୟତ ଛିଞ୍ଚଳଗଡ଼ିଆ ଗ୍ରାମ କନ୍ଥିସାହିର ରୁଦ୍ର ବିନ୍ଧାଣୀ (୫୫)ଙ୍କ ପରିବାର।

ଦୁଇପୁଅ ଶମ୍ଭୁନାଥ ଓ ରବିଙ୍କୁ ନେଇ ରୁଦ୍ରଙ୍କ ପରିବାର କୌଣସିପ୍ରକାରେ ଚଳି ଯାଉଥିଲା। ସାନପୁଅ ବାହାରେ ଦାଦନ ଖଟୁଥିବା ବେଳେ ବଡ଼ପୁଅ ଶମ୍ଭୁନାଥ ଘରେ କମାରଶାଳ କରିଥିଲେ। ସ୍ବଳ୍ପ ଆୟରେ ପତ୍ନୀ, ପୁଅ (୧୦), ଝିଅ (୬) ଓ ବାପା ମା’ଙ୍କୁ ଚଳାଇ ନେଉଥିଲେ ଶମ୍ଭୁନାଥ। ବାପା ରୁଦ୍ର ମଧ୍ୟ ବାଲେଶ୍ୱରରେ ରିକ୍ସା ଟାଣି ଦୁଇ ପଇସା ରୋଜଗାର କରୁଥିଲେ। ହେଲେ ୫ ବର୍ଷ ତଳେ ହଠାତ ଶମ୍ଭୁନାଥଙ୍କ ମୃତ୍ୟୁ ଘଟିଲା। ଏହାର କିଛିଦିନ ପରେ ଛୋଟ ପୁଅଝିଅଙ୍କୁ ଛାଡ଼ି ପରପୁରୁଷ ସହ ସଂସାର ଗଢ଼ିବାକୁ ଚାଲିଗଲା ବୋହୂ। ସେବେଠୁ ନାତି, ନାତୁଣୀଙ୍କ ଦାୟିତ୍ବ ସମ୍ଭାଳୁଛନ୍ତି ରୁଦ୍ର ଓ ତାଙ୍କ ପତ୍ନୀ ବୁଦ୍ଧି।

ଛିଣ୍ଡା ପଲିଥିନ୍‌ ତଳେ କଟୁଛି ଦିନ
ପରିଣତ ବୟସରେ ନାତିନାତୁଣୀଙ୍କ ଦାୟିତ୍ୱ
ରିକ୍ସା ଟାଣିବାକୁ ବଳ ପାଉନି, ଚଳିବୁ କେମିତି?

ତେବେ ଏତିକିରେ ସେମାନଙ୍କ ଦୁଃଖ ସରିନି। ଏବେ ରୁଦ୍ରଙ୍କ ଆଖିକୁ ଆଉ ଦେଖାଯାଉନି। ଫଳରେ ଆଉ ବାଲେଶ୍ବର ସହରକୁ ଯାଇ ରିକ୍ସା ଚଳାଇବା ସମ୍ଭବ ହେଉନି। ସ୍ବାମୀ ଏକପ୍ରକାର ଅସହାୟ ହୋଇଯିବା ପରେ ପତ୍ନୀ ବୁଦ୍ଧିଙ୍କ ମୁଣ୍ଡରେ ପୂରା ପରିବାର ଦାୟିତ୍ବ। ସରକାରୀ ସାହାଯ୍ୟ କହିଲେ ମାସକୁ ୧୫ କେଜି ଚାଉଳ। ନାତି, ନାତୁଣୀଙ୍କ ନାମରେ ରାସନ୍‌ କାର୍ଡ ନ ଥିବାରୁ ସେମାନଙ୍କୁ କିଛି ମିଳୁନି। ଏପଟେ ରୁଦ୍ରଙ୍କୁ ଅସଲରେ ୬୦ ଟପିଲାଣି। ହେଲେ ଆଧାର କାର୍ଡରେ ବୟସ ୫୫ ରହିଥିବାରୁ ଭତ୍ତା ବି ମିଳୁନି। ସାନପୁଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛି। ସେ ଯେତିକି ରୋଜଗାର କରୁଛି, ତା’ ଘରଭଡ଼ାକୁ ଅଣ୍ଟୁନି। ତେଣୁ ସେ ଘରକୁ ଟଙ୍କା ପଠାଇ ପାରୁନାହିଁ। ଏଭଳି ଅବସ୍ଥାରେ ଛୋଟ ପିଲା ଦୁଇଟିକୁ କେମିତି ମଣିଷ କରିବୁ ବୋଲି କୋହଭରା କଣ୍ଠରେ ରୁଦ୍ର ଓ ବୁଦ୍ଧି କହିଛନ୍ତି। ଅତିକମ୍‌ରେ ପିଲା ଦୁଇଜଣଙ୍କର ପାଠପଢ଼ା ବ୍ୟବସ୍ଥ‌ା ସହ ମାସିକ ୩୫ କେଜି ଚାଉଳ ମିଳିଲେ ଆମେ ବଞ୍ଚିଯାଆନ୍ତୁ ବୋଲି କହିଛନ୍ତି ରୁଦ୍ର। ଏ ସମ୍ପର୍କରେ ନାକିଚୁଆ ସରପଞ୍ଚ ରୁଣ୍ଡୁ ହାଁସଦାଙ୍କୁ ପଚାରିବାରୁ ସେ କହିଲେ, ବିପଦରେ ପଡ଼ିଲେ ଲୋକଙ୍କୁ ସାହାଯ୍ୟ କରିବା କଥା। ଆଧାର କାର୍ଡ ବନ୍ଧକ ରଖି ଶୋଷଣ କରିବା କଥା ନୁ‌ହେଁ। ମୁଁ ନିଜେ ଯାଇ ଘଟଣାର ଅନୁଧ୍ୟାନ କରିବି। ରୁଦ୍ରଙ୍କ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ମାସିକ ୩୫ କେଜି ରାସନ୍‌ ବ୍ୟବସ୍ଥା କରାଇବି। ଏଥିସହ ନାତି ନାତୁଣୀଙ୍କୁ ହଷ୍ଟେଲରେ ରଖିବାର ବ୍ୟବସ୍ଥା କରିବି ବୋଲି ଶ୍ରୀ ହାଁସଦା କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button