କଟ୍ନିଛଟ୍ନି ଉପରେ ଲାଗିପାରୁନି ରୋକ୍: ମଣ୍ଡିରୁ ନୋଡାଲ୍ ଅଧିକାରୀ ଉଭାନ

ରାୟଗଡ଼ା: ପ୍ରଶାସନର ନିୟନ୍ତ୍ରଣ ନାହିଁ। ଚାଷୀଙ୍କୁ ଶୋଷଣ ପାଇଁ ମିଲରଙ୍କ ହାତକୁ ଟେକି ଦେଇଛନ୍ତି ମଣ୍ଡି। ଖୁଲମଖୁଲା ଚାଲିଛି କଟ୍ନିଛଟ୍ନି। ମଣ୍ଡିରୁ ନୋଡାଲ ଅଧିକାରୀ ଉଭାନ। ରାୟଗଡ଼ା ଜିଲ୍ଲାର ପ୍ରାୟ ସମସ୍ତ ମଣ୍ଡିରେ ଏହି ଅବସ୍ଥା। ଗୁଣପୁର ଉପଖଣ୍ଡରେ ଯୋଗାଣ ବିଭାଗ କର୍ମଚାରୀ ଏବଂ ମିଲର ଚଳାଇଛନ୍ତି ମନମାନି। ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡରେ ସର୍ବାଧିକ ଧାନ ଉତ୍ପାଦନ ହୁଏ। ଏଥର ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ କଷ୍ଟ ଦେଇଥିଲା। ସରକାର ସହାୟକ ମୂଲ୍ୟ ସହ ବୋନସ୍ ଦେବାକୁ ଘୋଷଣା କରିବାରୁ ଚାଷୀ ଆଶ୍ବସ୍ତ ହୋଇଥିଲେ। ମଣ୍ଡିରେ ଆଦୌ କଟ୍ନିଛଟ୍ନି ହେବନି ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନର ଭୟ ବି ଦେଖାଇଥିଲେ। କିନ୍ତୁ ମଣ୍ଡି ଖୋଲିବା ପରେ ସବୁ ବଦଳିଗଲା। ଧାନ ବିକ୍ରି ନିମନ୍ତେ ସରକାର ସର୍ତ୍ତ ରଖିବାରୁ ଚାଷୀ ହରଡ଼ଘଣାରେ ପଡ଼ିଛନ୍ତି। କାରଣ ଏଫ୍ଏକ୍ୟୁ ଧାନ କିଣିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି।
ଅନ୍ୟପଟେ ଅଦିନିଆ ବର୍ଷାରେ ଧାନ ମାନ ହରାଇଛି। ତେଣୁ ମିଲର ଧାନ ଉଠାଇବା ପୂର୍ବରୁ ନାଲିଆଖି ଦେଖାଉଛନ୍ତି। ମାନ ଭଲ ନଥିବା ଦର୍ଶାଇ ଚାଷୀଙ୍କୁ ଦହଗଞ୍ଜ କରୁଛନ୍ତି। ଚାଷୀଙ୍କୁ ଅକଳିଆ ପରିସ୍ଥିତିରେ ପକାଇ କ୍ବିଣ୍ଟାଲ୍ ପିଛା ୭ରୁ ୮କିଲୋ କାଟିବାକୁ ଚାପ ପକାଉଛନ୍ତି। ଚାଷୀ ପାଖରେ ବି ଆଉ କିଛି ବିକଳ୍ପ ନାହିଁ। ସରକାର ଏଫ୍ଏକ୍ୟୁ ସର୍ତ୍ତ ଲଗାଇଲେ, ଅଥଚ ବର୍ଷା ମାଡ଼ରେ ମାନ ହରାଇଥିବା ଧାନକୁ ଚାଷୀ କ’ଣ କରିବେ; ଏଯାଏ ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ଯଦି ମଣ୍ଡିରେ ଧାନ ବିକ୍ରି ନହୁଏ ତେବେ ଚାଷୀ ସର୍ବସ୍ବାନ୍ତ ହେବା ନିଶ୍ଚିତ। ଏମିତି ସ୍ଥିତିରେ ମିଲରଙ୍କୁ ଯଦି କିଏ ପ୍ରତିବାଦ କରୁଛି ଜାଣିଶୁଣି ଧାନ ଉଠାଉନାହାନ୍ତି ମିଲର। ଆଉ ଏଥିରେ ମିଲରଙ୍କୁ ସିଧାସଳଖ କ୍ରୟକାରୀ ସଂସ୍ଥା ସହଯୋଗ କରୁଛନ୍ତି। ତେଣୁ କିଛି ମଣ୍ଡିରେ ହଜାର ହଜାର ବସ୍ତ ଧାନ ଗଦା ହୋଇରହିଛି। କଟ୍ନିଛଟ୍ନି ସଂପର୍କରେ ପ୍ରଶାସନ ସବୁ ଜାଣିବା ସତ୍ତ୍ବେ ନିରବ। ଗ୍ରେନ୍ ଆନାଲାଇଜର୍ ମେସିନ୍ରେ ଯେଉଁ ତଥ୍ୟ ଆସୁଛି ମନୁଷ୍ୟକୃତ ପରୀକ୍ଷାରେ ଠିକ ଓଲଟା ରିପୋର୍ଟ ମିଳୁଛି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ ମଣ୍ଡିକୁ କୌଣସି ଅଧିକାରୀ ପରିଦର୍ଶନ ନିମନ୍ତେ ଆସୁନାହାନ୍ତି। ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ମଧ୍ୟ କୌଣସି ମଣ୍ଡିରେ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ଅନିୟମିତତା ହେଉଥିଲେ ସୁଦ୍ଧା ସମସ୍ତେ ଚୁପ୍। ଏହି ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ ଚକିତ କରିଲା ଭଳି ତଥ୍ୟ ସାମନାକୁ ଆସିଥିଲା। ମଣ୍ଡି ପରିଚାଳନା ନିମନ୍ତେ କ୍ବିଣ୍ଟାଲ ପିଛା କ୍ରୟକାରୀ ସଂସ୍ଥାକୁ ୨୭ଟଙ୍କା ଏବଂ ଆରଏମ୍ସିକୁ ୪୧ଟଙ୍କା ସରକାର ଦେଉଛନ୍ତି। ଯେହେତୁ ଚାଷୀଙ୍କ ସହ ମିଲର ଡିଲ୍ କରିବା ପରେ ମଣ୍ଡି ବଦଳରେ ସିଧାସଳଖ ମିଲ୍କୁ ଧାନ ଯାଉଛି, ତେଣୁ ମଣ୍ଡି ପରିଚାଳନା ମୁଣ୍ଡବ୍ୟଥା କମିଯାଇଛି ଏବଂ ସରକାର ନିର୍ଦ୍ଧାରିତ କରିଥିବା ଟଙ୍କା ମିଳିଯାଉଛି। ବର୍ତ୍ତମାନର ପରିସ୍ଥିତି ଆଗକୁ ଜାରି ରହିଲେ ସରକାରଙ୍କୁ ଚାଷୀ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡ଼ିପାରେ।




