ଗୋ ମାଂସ ଓ ହାଡ଼ ବୋଝେଇ ଟ୍ରକ୍ ଜବତ, ୨ ଅଟକ
କୁଆଖିଆ,୧୪/୦୮: ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ଛକର ପଣ୍ଡା ଭାଇନା ହୋଟେଲ ନିକଟରୁ ଗୋ ମାଂସ ଓ ହାଡ଼ ବୋଝେଇ ଟ୍ରକ ଜବତ । ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାରେ ଟ୍ରକଟିକୁ ଜବତ କରିଛି ପୋଲିସ । ଏହି ଗୋ ମାଂସ ଓ ହାଡ଼ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଅଞ୍ଚଳରୁ ପଶ୍ଚିମବଙ୍ଗର ଖଡଗପୁର ଅଞ୍ଚଳକୁ ଚାଲାଣ ହେଉଥିଲା ।
ଗୋରୁ ହାଡ଼ରୁ ସାର ପ୍ରସ୍ତୁତ କରାଯାଇ ବ୍ୟବସାୟ ହେଉଥିବା ନେଇ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।
ସୂଚନା ଅନୁଯାୟୀ, ଗୋ ମାଂସ ଏବଂ ହାଡ଼ ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇଥିଲା ବଜରଂଗ ଦଳ ଓ ଗୋ ସୁରକ୍ଷା ସମିତି । ଖବର ପାଇ ପରିବହନ ପାଇଁ ବୋଝେଇ ହୋଇଥିବା ଗାତିର ଗତିବିଧିକୁ ଅନୁଧ୍ୟାନ କରିଥିଲେ । ଗାଡି ଗନ୍ତବ୍ୟ ସ୍ଥଳକୁ ବାହାରିବାରୁ ଗୋ ସୁରକ୍ଷା ସମିତିର ସଦସ୍ୟ ତାକୁ ପିଛା କରି ଟ୍ରକକୁ ଅଟକାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ । ଟ୍ରକରେ ବୋଝେଇ ହୋଇଥିବା ସାମଗ୍ରୀ ବିଷୟରେ ଜାଣିବା ପାଇଁ ବନ୍ଧା ହୋଇଥିବା ପଲିଥିନ ପାଲକୁ ଛିଣ୍ଡାଇଥିଲେ । ସେଥିରେ ଗୋରୁ ହାଡ଼ ବୋଝେଇ ହୋଇଥିବାବେଳେ ତଳେ ଥିବା ଫ୍ରିଜର ଭିତରେ ଗୋ ମାଂସ ପରିବହନ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ପୋଲିସକୁ ଅବଗତ କରାଇଥିଲେ ସ୍ଥାନୀୟଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା । ଗାଡିଟିକୁ ଜବତ କରିବା ସହ ଡ୍ରାଇଭର ଝାଡଖଣ୍ଡର ସାଜୁ ସେଖ୍(୩୨) ଏବଂ ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର ଅଞ୍ଚଳର ଗୋ ମାଂସ ବ୍ୟବସାୟୀ ପଳାସ ଦେ(୫୦)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ଉକ୍ତ ଚାଲାଣର ବୈଧତା ଦିଗକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଅଟକ ଥିବା ଟ୍ରକର ଚାଳକ ଓ ବ୍ୟବସାୟୀଙ୍କୁ ପଚରା ଯିବାରୁ ହାଡ଼ ବୋଝେଇ ଗାଡ଼ି ଖଡ଼ଗପୁର ଅଞ୍ଚଳରେ ଥିବା ସାର କାରଖାନାକୁ ନିଆଯାଉଥିବା କହିଛନ୍ତି । ସେଠାରେ ଗୋରୁ ହାଡ଼ରୁ ସାର ପ୍ରସ୍ତୁତ କରାଯାଇ ବ୍ୟବସାୟ ହେଉଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।