ରାଜ୍ୟ

ପେଟ୍ରୋଲ୍‌ ପମ୍ପ୍‌ ଛକରେ ଫୁଟ୍‌ ଓଭରବ୍ରିଜ୍‌ କେବେ?

ନ୍ଦ୍ରଶେଖରପୁର: ଦିନକୁ ଦିନ ଅସମ୍ଭାଳ ହେଉଛି ଜୟଦେବବିହାର-ନନ୍ଦନକାନନ ରାସ୍ତା ଭିଡ଼। ପ୍ରତି ସପ୍ତାହରେ ଗୋଟିଏ ଦୁଇଟି ଦୁର୍ଘଟଣା ହେଉଥିବା ବେଳେ ମାସକରେ ଜଣଙ୍କ ମୁଣ୍ଡ ଗଡ଼ୁଛି। କେତେବେଳେ ବାଇକ୍ ଚାଳକଙ୍କୁ କାର୍ ପିଟି ଦେଉଛି ତ ଆଉ କେବେ ରାସ୍ତା ପାର୍ ହେବା ସମୟରେ ଧକ୍କା ଦେଉଛି ମୋ ବସ୍। ବର୍ଷ ବର୍ଷ ଧରି ଲାଗିରହିଥିବା ଏଭଳି ସମସ୍ୟାର ସମାଧାନ କରିବାକୁ ଏକାଧିକ ପ୍ରୟାସ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନର ବାଟ ବାହାରିପାରି ନାହିଁ।

୨୦୦ ଫୁଟିଆ ସମାନ୍ତରାଳ ରାସ୍ତା ହୋଇଛି। ଜୟଦେବବିହର ଛକ ପାଲ୍ ହାଇଟ୍ ନିକଟରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯାଇଛି। ତା’ପରେ ମଧ୍ୟ ଭିଡ଼ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ମୋ ବସ୍ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୨ କିଲୋମିଟର ଏହି ରାସ୍ତାରେ ଟ୍ରାଫିକ୍ ସମସ୍ୟାର ସମାଧାନ ସହ ପେଟ୍ରୋଲ ପମ୍ପ ନିକଟରେ ଏକ ଫୁଟ୍ଓଭର ବ୍ରିଜ୍ ନିର୍ମାଣ କରିବାକୁ ସ୍ବର ଉଠିଛି।

ଯେଉଁଠାରେ ଦୁର୍ଘଟଣା ଘଟିଥିଲା ସେଠାରେ ଦୈନିକ ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ହାଉସିଂ ବୋର୍ଡ କଲୋନି, ପ୍ରଗତି ଏନ୍କ୍ଲେଭ୍, ପ୍ରାଚୀବିହାର, ବୁଦ୍ଧ ପାର୍କ ଅଞ୍ଚଳ ଓ ବସ୍ତିରୁ ୨ରୁ ୩ ହଜାର ଲୋକ ରାସ୍ତା ପାର୍ ହେଉଛନ୍ତି। ମୋ ବସ୍ଷ୍ଟାଣ୍ଡକୁ ଯିବାକୁ ହେଲେ ରାସ୍ତା ପାରି ଦେବାକୁ ପଡ଼ୁଛି। ଅଟୋ ଧରିବାକୁ ହେଲେ ମଧ୍ୟ ଏହି ଜନଗହଳିପୂର୍ଣ୍ଣ ରାସ୍ତା ପାରି ଦେବାକୁ ପଡ଼ିବ। ପରିଣାମ ସ୍ବରୂପ ପ୍ରତି ମୂହୁର୍ତ୍ତରେ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। ଗତକାଲିର ଦୁର୍ଘଟଣା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟରେ ଏହି ସ୍ଥାନରେ ରାସ୍ତା ପାରି ହେବା ସମୟରେ ଏକାଧିକ ଦୁର୍ଘଟଣା ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍ ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ କହିଛନ୍ତି ଯେ ନୀଳାଦ୍ରିବିହାରକୁ ଏହି ରାସ୍ତା ସଂଯୋଗ କରୁଛି। ରାସ୍ତା ପାରି ହେବା ସମୟରେ ଦୁର୍ଘଟଣା ହେଉଥିବାରୁ ଫୁଟ୍ଓଭରବ୍ରିଜ୍ ନିର୍ମାଣ କରିବାକୁ ଆମେ ବାରମ୍ବାର ଦାବି କରିଛୁ। ଏକାଧିକ ଥର ଚିଠି ଲେଖି ଅନୁରୋଧ କରାଯାଇଛି। ମୋ ବସ୍ ଦୁର୍ଘଟଣା ପରେ ଆମେ ପୁଣିଥରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ।

ଲେଡି ପ୍ରୋଟେକ୍ଟ ଟିମ୍ ସମ୍ପାଦକ ଅନିରୁଦ୍ଧ ଲେଙ୍କା କହିଛନ୍ତି ଯେ ସହରର କଳେବର ବଢ଼ିବା ସହ ନୂଆ ନୂଆ ଅଞ୍ଚଳ ଯୋଡ଼ି ହେଉଛି। ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନେ ରାସ୍ତା ପାରି ହୋଇ ଅପରପାର୍ଶ୍ବକୁ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସ୍ଥାନରେ ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଜୟଦେବବିହାରରେ ଆବଶ୍ୟକତା ନଥିବା ବେଳେ ସେଠାରେ ଫୁଟ୍ଓଭରବ୍ରିଜ୍ ନିର୍ମାଣ କରାଯାଇଛି। ମାତ୍ର ଯେଉଁଠାରେ ଆବଶ୍ୟକତା ରହିଛି ସେଠାରେ କରାଯାଉ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button