ଦେଶ- ବିଦେଶ
ଭୋଟର୍ ତାଲିକାରେ ନାମ ନଥିବାରୁ ଭୋଟ୍ ଦେଇ ପାରିଲେନି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଡେରାଡୁନ: କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ସକାଳେ ସେ ଡେରାଡୁନରେ ପାହାଡ଼ିଆ ରାଜ୍ୟର ପୌର ସଂସ୍ଥା ନିର୍ବାଚନରେ ଭୋଟ ଦେବା ପାଇଁ ବାହାରିଥିଲେ ସତ, କିନ୍ତୁ ଭୋଟର୍ ତାଲିକାରେ ତାଙ୍କ ନାମ ନଥିବାରୁ ସେ ମତଦାନ କରିପାରିନାହାନ୍ତି।
ସେ ଦୀର୍ଘଦିନ ଧରି ସହରର ବାସିନ୍ଦା ରହି ଆସିଥିବା ବେଳେ ୨୦୨୨ ମସିହା ବିଧାନସଭା ନିର୍ବାଚନରେ ଡେରାଡୁନ୍ର ନିରଞ୍ଜନପୁରରେ ମତଦାନ କରିଥିଲେ। ହେଲେ ଏଥର ଭୋଟ୍ ଦେବାକୁ ପହଞ୍ଚିଲା ବେଳକୁ ତାଙ୍କୁ କୁହାଯାଇଥିଲା କି ଭୋଟ୍ର ତାଲିକାରେ ତାଙ୍କ ନାମ ନାହିଁ। ତେଣୁ ଆଉ କିଛି କରାଯାଇ ପାରିବନି।
କଂଗ୍ରେସର ଏହି ବରିଷ୍ଠ ନେତା ୨୦୦୯ ମସିହାରୁ ଡେରାଡୁନର ନିରଞ୍ଜନପୁରରୁ ଭୋଟ ଦେଇ ଆସୁଛନ୍ତି। ତେବେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମତଦାନ କରିବାର ଅଧିକାର ନରହିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।