ଫୋକସ୍ରେ ଗ୍ୟାଜେଟ୍: ଏସର୍ର ଦୁଇଟି ନୂଆ କ୍ରୋମ୍ବୁକ୍

ଉଦ୍ୟୋଗ ଓ ଶିକ୍ଷା କ୍ଷେତ୍ରର ଉପଭୋକ୍ତାମାନଙ୍କୁ ନଜରରେ ରଖି କମ୍ପ୍ୟୁଟର ନିର୍ମାତା ଏସର୍ କମ୍ପାନି ପକ୍ଷରୁ ‘କ୍ରୋମ୍ବୁକ୍ ପ୍ଲସ୍ ୧୫’ ଓ ‘କ୍ରୋମ୍ବୁକ୍ ପ୍ଲସ୍ ୧୪’ ନାମରେ ଯଥାକ୍ରମେ ୧.୬୮ କି.ଗ୍ରା. ଓ ୧.୪୩ କି.ଗ୍ରା. ଓଜନର ଦୁଇଟି ଲାପ୍ଟପ୍ କମ୍ପ୍ୟୁଟର ଭାରତ ବଜାରକୁ ଛଡ଼ାଯାଇଛି। କ୍ରୋମ୍ ଅପରେଟିଂ ସିଷ୍ଟମ୍ ଦ୍ବାରା ପରିଚାଳିତ ଏହି ଲାପ୍ଟପ୍ର ଏକ ୧୪ ଇଞ୍ଚର ଫୁଲ୍ଏଚ୍ଡି ଏଲ୍ସିଡି ପରଦା ରହିଛି।
ଲାପ୍ଟପ୍ ଦ୍ବୟରେ ୫୧୨ ଜିବି ଯାଏ ମେମୋରି ଓ ୧୬ ଜିବି ଯାଏ ରାମ୍ର ସୁବିଧା ରହିଛି। କ୍ରୋମ୍ବୁକ୍ ପ୍ଲସ୍-୧୪ ଲାପ୍ଟପ୍ଟି ଏଏମ୍ଡି ରାୟଜେନ୍ ୭୦୦୦ ସିରିଜ୍ ଏପିୟୁ ଦ୍ବାରା କାର୍ଯ୍ୟକ୍ଷମ ହୋଇଥିବା
ବେଳେ କ୍ରୋମ୍ବୁକ୍ ପ୍ଲସ୍-୧୫ରେ ଥାର୍ଡ ଜେନେରେସନ୍ ଇଣ୍ଟେଲ୍ କୋର୍ ଆଇ-୭ ସିପିୟୁ ରହିଛି। ଉଭୟ ଲାପ୍ଟପ୍ରେ ଜେମିନି ଏଆଇ ଖଞ୍ଜାଯାଇଛି, ଯାହା ଗୁଗଲ୍ର ଏଆଇ ଆଧାରିତ ବିଭିନ୍ନ ଆପ୍ଲିକେସନ୍ ଓ ବୈଶିଷ୍ଟ୍ୟ ପ୍ରତିପାଦନ କରିପାରିବ। ଉଭୟ ଲାପ୍ଟପ୍ରେ ବାହ୍ୟ ସଂଯୋଗ ପାଇଁ ଵାଇ-ଫାଇ ୬ଇ, ବ୍ଳୁଟୁଥ୍ ୫.୨, ଗୋଟିଏ ୟୁଏସ୍ବି ୩.୨ ସି ଟାଇପ୍ ପୋର୍ଟ ଓ ଦୁଇଟି ୟୁଏସ୍ବି ୩.୨ ଏ-ଟାଇପ୍ ପୋର୍ଟ ରହିଛି। ଏଥିସହିତ ଏକ ମାଇକ୍ରୋଏସ୍ଡି କାର୍ଡ ରିଡର୍ ଓ ୩.୫ ମି.ମି ହେଡ୍ଫୋନ୍ ଜ୍ୟାକ୍ ମଧ୍ୟ ରହିଛି। ଉଭୟରେ ତିନି ସେଲ୍ ବିଶିଷ୍ଟ ୫୩ ଵାଟ୍ଆଵାର୍ ବ୍ୟାଟେରି ଲାଗିଛି, ଯାହା ୬୫ ଵାଟ୍ ଚାର୍ଜର୍ ଦ୍ବାରା ଚାର୍ଜ ହୋଇପାରିବ। ୮ ଜିବି ରାମ୍ ଓ ୨୫୬ ଜିବି ମୋମୋରି ବିଶିଷ୍ଟ କ୍ରୋମ୍ବୁକ୍ ପ୍ଲସ୍-୧୫ର ମୂଲ୍ୟ ୪୪,୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ କ୍ରୋମ୍ବୁକ୍ ପ୍ଲସ୍-୧୪ର ମୂଲ୍ୟ ୩୫,୯୯୦ ଟଙ୍କା ରଖାଯାଇଛି।