ଦେଶ- ବିଦେଶ

ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତି: ସର୍ତ୍ତ ଗ୍ରହଣ କରୁନି ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଦୀର୍ଘ ୧୫ ମାସର ଯୁଦ୍ଧ ବନ୍ଦ ପାଇଁ ଉଭୟ ପକ୍ଷ ଏକ ସହମତିରେ ପହଞ୍ଚିଥିଲେ ମଧ୍ୟ କେତେକ ସର୍ତ୍ତ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଯୁଦ୍ଧବିରତି ଚୁକ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ଇସ୍ରାଏଲ ପୁଣି ଗାଜାରେ ପ୍ରଚଣ୍ଡ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଗତରାତିରେ ୭୦ରୁ ଅଧିକ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ ଅଂଚଳ ଛାରଖାର ହୋଇଯାଇଛି।

ଗାଜାରେ ଇସ୍ରାଏଲ ବିମାନ ଆକ୍ରମଣରେ ୭୦ ମୃତ
ଜେରୁଜେଲମ୍‌ରେ ତୀବ୍ର ବିରୋଧ

ଯୁଦ୍ଧବିରତି ଚୁକ୍ତି କାର୍ଯ୍ୟକାରୀ କରିବା ପାଇଁ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଚୂଡ଼ାନ୍ତ ଦସ୍ତାବିଜରେ ଉଭୟ ପକ୍ଷ ସ୍ବାକ୍ଷର କରିନାହାନ୍ତି। ଗୁରୁବାର ସକାଳେ ଏହି ଯୁଦ୍ଧବିରତି ଚୁକ୍ତି ସଂକ୍ରାନ୍ତରେ ଇସ୍ରାଏଲ ଏକ ସୁରକ୍ଷା କ୍ୟାବିନେଟ୍‌ ବୈଠକ ରଖିଥିଲା। ତେବେ ଯେ ପର୍ଯ୍ୟନ୍ତ ହମାସ ଚୁକ୍ତିରେ ଥିବା ସମସ୍ତ ସର୍ତ୍ତକୁ ଗ୍ରହଣ ନକରିଛି ‌ଏବଂ ଯୁଦ୍ଧବିରତି ନେଇ ମଧ୍ୟସ୍ଥତା କରୁଥିବା ପକ୍ଷ ଏସଂକ୍ରାନ୍ତରେ ଲିଖିତ ଭାବେ ଇସ୍ରା‌ଏଲକୁ ନଜଣାଇଛି ସେପର୍ଯ୍ୟନ୍ତ ଇସ୍ରାଏଲ କ୍ୟାବିନେଟ୍‌ ଯୁଦ୍ଧବିରତି ଚୁକ୍ତି ଉପରେ ଭୋଟ୍‌ ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଇସ୍ରାଏଲ ଦାବି କରିଛି ଯେ ହମାସ ଯୁଦ୍ଧବିରତି ଚୁକ୍ତିରେ ଥିବା ସମସ୍ତ ପ୍ରସ୍ତାବ ପାଳନ କରିବାରେ ପଛଘୁଞ୍ଚା ଦେଉଛି। ଏଥିପାଇଁ ଯୁଦ୍ଧବିରତି ଚୁକ୍ତି କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି। ଅନ୍ୟପକ୍ଷେ ହମାସ କହିଛି ଯେ ମଧ୍ୟସ୍ଥିଙ୍କ ଦ୍ବାରା ଘୋଷଣା କରାଯାଇଥିବା ଯୁଦ୍ଧବିରତି ଚୁକ୍ତି ପ୍ରତି ସେମାନେ ପ୍ରତିଶ୍ରୁତିବଦ୍ଧ।

ଯୁଦ୍ଧବିରତି ଚୁକ୍ତି ପରେ ଉତ୍ସବ ମନାଇଲେ ପାଲେଷ୍ଟାଇନ ନାଗରିକ
ଗାଜା ଯୁଦ୍ଧବିରତି ଚୁକ୍ତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିଲେ ସୁଦ୍ଧା ଯୁଦ୍ଧବିରତି ଚୁକ୍ତି ସଂକ୍ରାନ୍ତରେ ଘୋଷଣା‌ ହେବାପରେ ଗାଜାରେ ଉତ୍ସବର ମାହୋଲ ଦେଖାଦେଇଛି। ଶତାଧିକ ପାଲେଷ୍ଟାଇନ ନାଗରିକ ଏହି ଖବର ଶୁଣି ଖୁସିରେ ନାଚି ଉତ୍ସବ ମନାଉଛନ୍ତି। ସେମାନଙ୍କ ମଧ୍ୟରେ କୁନି କୁନି ପିଲା ଖୁସି ହୋଇ ନାଚୁଥିବା ଭିଡିଓ ମଧ୍ୟ ଏବେ ଭ‌ାଇରାଲ୍‌ ହେଉଛି। ଶତାଧିକ ପାଲେଷ୍ଟିନୀୟ ଜାତୀୟ ପତାକା ଧରି ସଂଗୀତ ଗାନ କରୁଛନ୍ତି।
ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତିକୁ ସ୍ବାଗତ କଲା ଭାରତ
ନୂଆଦିଲ୍ଲୀ, ୧୬/୧ : ଗାଜା ଯୁଦ୍ଧବିରତି ଏବଂ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ ନାଗରିକଙ୍କୁ ମୁକ୍ତି କରିବା ନେଇ ଇସ୍ରାଏଲ ଓ ହମାସ ସହମତିରେ ପହଞ୍ଚିଥିବାରୁ ଭାରତ ଏହାକୁ ସ୍ବାଗତ କରିଛି। ଗାଜାରେ ୧୫ ମାସର ଲଢ଼େଇ ପରେ ଯୁଦ୍ଧବିରତି ହେବାକୁ ଯାଉଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି ଯେ ପଣବନ୍ଦୀଙ୍କୁ ମୁକ୍ତ କରିବା ଏବଂ ଗାଜାରେ ଯୁଦ୍ଧବିରତି ପାଇଁ ହୋଇଥିବା ଚୁକ୍ତିକୁ ଆମେ ସ୍ବାଗତ କରୁଛୁ। ଆମେ ଆଶା କରୁଛୁ ଯେ ଏହାଦ୍ବାର ଗାଜାର ଲୋକମାନଙ୍କ ପାଖରେଲଗାତାର ମାନବୀୟ ସହାୟତା ପହଞ୍ଚି ପାରିବ। କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ଯୁଦ୍ଧବିରତି ପାଇଁ ଆମେ ବାରମ୍ବାର କହି ଆସିଛୁ। ଆମେ ଏହି ଯୁଦ୍ଧବିରତି ନିଷ୍ପତ୍ତିକୁ ସ୍ବାଗତ କରୁଛୁ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି‌ରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ନେଇ ହୋଇଥିବା ଚୁକ୍ତି ସଂକ୍ରାନ୍ତରେ ତାଙ୍କ ବିଦାୟୀ ଭାଷଣରେ ଘୋଷଣା କରିଥିଲେ।

ଯୁଦ୍ଧବିରତି ଚୁକ୍ତିକୁ ‌ଜେରୁଜେଲମ୍‌ରେ ଚରମପନ୍ଥୀମାନେ ତୀବ୍ର ବିରୋଧ କରିଥିବା ଜଣାପଡ଼ିଛି। ସେଠାରେ ଚୁକ୍ତିକୁ ବିରୋଧ କରି ଆନ୍ଦୋଳନ ହୋଇଛି। ଅନ୍ୟପକ୍ଷରେ ଯୁଦ୍ଧରେ ପ୍ରାଣ ହରାଇଥିବା ଇସ୍ରାଏଲୀ ସୈନିକଙ୍କ ପରିବାର ସଦସ୍ୟ ରାସ୍ତାକୁ ଓହ୍ଲାଇ ଯୁଦ୍ଧବିରତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଇସ୍ରାଏଲ ପତାକା ଗୁଡ଼ାଯାଇଥିବା ନକଲି କଫିନ୍‌ ରାସ୍ତା ଉପରେ ଥୋଇ ଆନ୍ଦୋଳନ କରିଛନ୍ତି। ଏଭଳି ସ୍ଥିତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଏହି ଚୁକ୍ତି ସଂକ୍ରାନ୍ତରେ ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button