ଅପରାଧ

ପାସପୋର୍ଟ ପାଇଁ ମର୍ଡର- ପ୍ରିୟାଙ୍କୁ ଫାଶୀ

ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ମିଳିଛି। କେରଳର ନର୍ସ ନିମିଷାଙ୍କ ମୃତ୍ୟୁଦଣ୍ଡ ଉପରେ ୟେମେନ ରାଷ୍ଟ୍ରପତି ମୋହର ଲଗାଇଛନ୍ତି। ତେବେ ୟେମେନରେ ଫସିଥିବା ନିମିଷାଙ୍କୁ ସବୁ ପ୍ରକାର ସହଯୋଗ ଦେବାକୁ ଭରସା ଦେଇଛି ଭାରତର ବିଦେଶ ମନ୍ତ୍ରଣାଳୟ। ୟେମେନ ନାଗରିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ରାଷ୍ଟ୍ରପତି ଅଲ ଅଲିମି ମଞ୍ଜୁରୀ ଦେଇଛନ୍ତି। ନିମିଷାଙ୍କୁ ମାସକ ଭିତରେ ଫାଶି ଦିଆଯିବ। ଭାରତର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସଓ୍ୱାଲ କହିଛନ୍ତି, ପ୍ରିୟାଙ୍କ ପରିବାର ଅନ୍ୟ ବିକଳ୍ପ ଲାଗି ବିଚାର କରୁଛନ୍ତି। ସରକାର ଏ ସନ୍ଦର୍ଭରେ ଯଥାସମ୍ଭବ ସହଯୋଗ କରୁଛନ୍ତି।

କେରଳର ନର୍ସ ନିମିଷା ମୃତ୍ୟୁଦଣ୍ଡରୁ ବର୍ତ୍ତିବାକୁ ୟେମେନର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେଠାରେ ଅପିଲ ଖାରଜ ପରେ ଶେଷ ଆଶା ଥିଲେ ରାଷ୍ଟ୍ରପତି। କିନ୍ତୁ ରାଷ୍ଟ୍ରପତି ନିମିଷାଙ୍କ ମୃତ୍ୟୁଦଣ୍ଡ ଦସ୍ତାବିଜ୍ ଉପରେ ଦସ୍ତଖତ ମାରିଲେ। ନିଜ ଝିଅକୁ ବଞ୍ଚାଇବାକୁ ୟେମେନ ଯିବାକୁ ନିମିଷାଙ୍କ ମା କେନ୍ଦ୍ରରୁ ଅନୁମତି ମାଗିଥିଲେ। ମୃତକଙ୍କ ପରିବାରକୁ ଭେଟି ବ୍ଲଡ୍ ମନିର ଭରଣା କରି ନିଜ ଝିଅର ଜୀବନ ବଞ୍ଚାଇବାକୁ ଚାହୁଁଥିଲେ। କିନ୍ତୁ ଭାରତୀୟଙ୍କୁ ୟେମେନ ଯାତ୍ରା ଉପରେ ବ୍ୟାନ୍ ଲାଗିଥିବାରୁ ଏହି ଉଦ୍ୟମ ଫଳବ୍ରତୀ ହୋଇପାରୁନଥିଲା। ପ୍ରିୟାଙ୍କ ମାଆ ୟେମେନ ଯାଇପାରିବେ କି ନାହିଁ, ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସପ୍ତାହକ ଭିତରେ ନିଷ୍ପତ୍ତି ନେବାକୁ କେନ୍ଦ୍ରକୁ କହିଥିଲେ। ଶେଷରେ ଗଲା ଏପ୍ରିଲରେ ପ୍ରିୟାଙ୍କ ମାଆ ପ୍ରେମା କୁମାରୀ ନିମିଷାଙ୍କୁ ସାନାର ଏକ ଜେଲରେ ଭେଟିବାର ସୁଯୋଗ ପାଇଥିଲେ।

ୟେମେନ ଓ ଆରବ ଦେଶରେ ବ୍ଲଡମନିର ଭରଣା ବ୍ୟବସ୍ଥା ରହିଛି। ଏହି ନିୟମ ମୁତାବକ ମୃତକଙ୍କ ପରିବାର ଚାହିଁଲେ ହତ୍ୟାକାରୀ ସହ ବୁଝାମଣା କରି କିଛି ଅର୍ଥ ନେଇ ତାକୁ କ୍ଷମା କରିପାରିବେ। ଏଭଳି ବି କୁହାଯାଉଛି ଯେ, ମୃତକଙ୍କ ପରିବାର ଗଲା ବର୍ଷ ବ୍ଲଡମନି ଭାବେ ଭାରତୀୟ ମୁଦ୍ରା ହିସାବରେ ୧କୋଟି ୫୨ଲକ୍ଷଟଙ୍କା ମାଗିଥିଲେ। ନିମିଷା ପ୍ରିୟା ୟେମେନରେ ଏକ କ୍ଲିନିକ୍ ଖୋଲିଥିଲେ। ସେଠାରେ ତାଙ୍କର ଆବଦୋ ମହଦି ନାମକ ଯୁବକ ସହ ପରିଚୟ ହୋଇଥିଲା। ଯିଏ ତାଙ୍କୁ ୟେମେନରେ କ୍ଲିନିକ ଖୋଲିବାରେ ସହଯୋଗ କରିବାକୁ କଥା ଦେଇଥିଲେ। କିନ୍ତୁ କଥା ରଖିନଥିଲେ ମହଦି। ତା ସତ୍ତ୍ୱେ ନିଜ କ୍ଲିନିକ୍ ଖୋଲିବାରେ ସଫଳ ହୋଇଥିଲେ ନିମିଷା। କୁହାଯାଉଛି, ନିମିଷାଙ୍କୁ ସଂପୃକ୍ତ ଯୁବକ ନାନା ସମୟରେ ହଇରାଣ ହରକତ କରୁଥିଲା। ଆଉ ନିମିଷାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ରଖିଥିଲା ମହଦି। ଅଧିକାଂଶ ସମୟରେ ଟଙ୍କା ଦାବି କରୁଥିଲା। ଏହାକୁ ନେଇ ନିମିଷା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଥାନାରେ ଅଭିଯୋଗରୁ କିଛି ଦିନ ମହଦି ଜେଲରେ ଥିଲେ। ଜେଲରୁ ଫେରିବା ପରେ ନିମିଷାଙ୍କ ପାସପୋର୍ଟ ନିଜ ହେପାଜତକୁ ନେଇଯାଇଥିଲା ମହଦି। ଆଉ ନିଜ ପାସପୋର୍ଟ ଆଣିବାକୁ ନିମିଷା ମହଦିକୁ ବେହୋସ ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ଅଚେତ କରିବାକୁ ଦେଇଥିବା ଇଞ୍ଜେକ୍ସନ ଓଭରଡୋଜ୍ ଲାଗି ମହଦିଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ନିମିଷା ଓ କ୍ଲିନିକରେ କାମ କରୁଥିବା ୟେମେନ ନାଗରିକ ହନାନ ଦୁହେଁ ମିଶି ଶରୀରକୁ ଖଣ୍ଡ ଖଣ୍ଡ କରି ହାଣି ପାଣିରେ ଫୋପାଡ଼ି ଦେଇଥିଲେ। ଏହି ମାମଲାରେ ୨୦୧୮ରେ ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ଆଉ ହନାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ତିତ କରାଯାଇଥିଲା। ପାସପୋର୍ଟ ପାଇବାକୁ ବେହୋସର ଓଭରଡୋଜ୍ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡରେ ଦଣ୍ଡିତ ନିମିଷା ଫାଶୀଖୁଣ୍ଟରେ ଝୁଲିବା ଥୟ। ଦେଖିବାର କଥା, ଭାରତ ସରକାର ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଉଛନ୍ତି କି ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button