ଅପରାଧ

କରଜ ସଙ୍କଟରେ BSNL,ବିଦା ହେବେ ୧୯ହଜାର କର୍ମଚାରୀ!

୧୯ହଜାର କର୍ମଚାରୀଙ୍କ ଚାକିରୀ ବିପଦରେ। ବିଏସଏନଏଲର ୧୯ହଜାର କର୍ମଚାରୀଙ୍କୁ ସ୍ୱେଛାକୃତ ଅବସର ଦେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଟେଲିକମ ଡିପାର୍ଟମେଣ୍ଟ ଏ ନେଇ ଅର୍ଥ ମନ୍ତ୍ରଣାଳୟରୁ ଦ୍ୱିତୀୟ ଭିଆରଏସର ମଞ୍ଜୁରୀ ଲୋଡ଼ିଛି। ଏହି ଅନୁମତି ମିଳିବା ପରେ କ୍ୟାବିନେଟ୍ ସହମତି ପରେ ବିଦା ହେବେ ୧୯ହଜାର କର୍ମଚାରୀ। ଭିଆରଏସ ଜରିଆରେ କର୍ମଚାରୀ ସଂଖ୍ୟାରେ ୩୫ ପ୍ରତିଶତ ହ୍ରାସ ଯୋଜନାରେ ଅଛି ବିଏସଏନଏଲ। ଏଭଳି କରି କମ୍ପାନୀର ଆର୍ଥିକ ଅବସ୍ଥା ସୁଧାରିବାକୁ ଲକ୍ଷ୍ୟ ରହିଛି। ଅଧିକାରୀସ୍ତରରେ ଯଦିଓ ଭିଆରଏସ କଥାକୁ ପୁଷ୍ଟି କରାଯାଇନି। କିନ୍ତୁ ଏହାକୁ ନେଇ ବିଏସଏନଏଲ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଭିଆରଏସକୁ କଭର ଲାଗି ବିଏସଏନଏଲ ଅର୍ଥ ମନ୍ତ୍ରଣାଳୟରୁ ୧୫ହଜାର କୋଟି ଟଙ୍କା ଦାବି କରିଛି। ଏବେ ବିଏସଏନଏଲ ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ୭ହଜାର୫ଶହ କୋଟି ଟଙ୍କା  ଅର୍ଥାତ୍ କମ୍ପାନୀର ରାଜସ୍ୱରୁ ପ୍ରାୟ ୩୮ ପ୍ରତିଶତ ଆବଣ୍ଟନ କରୁଛି। କମ୍ପାନୀ ଖର୍ଚ୍ଚ କମ୍ କରି ବାର୍ଷିକ ୫ହଜାର କୋଟି ଟଙ୍କା କରିବାକୁ ଯୋଜନା କରୁଛି। ୨୦୨୪ ଆର୍ଥିକ ବର୍ଷରେ ବିଏସଏନଲର ରାଜସ୍ୱ ୨୧ହଜାର୩୦୨ କୋଟି ଟଙ୍କା ଥିଲା। ଗଲା ବର୍ଷ ତୁଳନାରେ ମାମୁଲି ସୁଧାର ଆସିଥିଲା। କମ୍ପାନୀର ଓ୍ୱାର୍କଫୋର୍ସରେ ୩୦ହଜାରରୁ ଅଧିକ ନନ୍ ଏକଜ୍ୟୁକୁଟିଭ ଏମ୍ପ୍ଲଇଜ୍ ଓ ୨୫ହଜାର ଏକଜିକ୍ୟୁଟିଭ ସାମିଲ୍ ଅଛନ୍ତି।

ଏହା ପୂର୍ବରୁ ବିଏସଏନଏଲ ପ୍ରଥମ ଥର ୨୦୧୯ରେ ଭିଆରଏସ ଆରମ୍ଭ କରିଥିଲା। ନଭେମ୍ୱର ୪ରୁ ଡିସେମ୍ୱର ୩୧, ୨୦୧୯ ଯାଏ ମହଲତ ଦେଇଥିଲା କମ୍ପାନୀ। ସେତେବେଳେ ବିଏସଏନଏଲରେ ପ୍ରାୟ ଦେଢ଼ ଲକ୍ଷ କର୍ମଚାରୀ ଥିଲେ। ଯେଉଁମାନଙ୍କ ଭିତରୁ ୭୮ହଜାର୫୬୯ କର୍ମଚାରୀ ଭିଆରଏସ ନେଇଥିଲେ। ପବ୍ଲିକ ସେକ୍ଟର ଟେଲିକମ୍ କମ୍ପାନୀ ଏମିତିରେ କରଜ ସଙ୍କଟ ସହ ଜୁଝୁଛି। ଭାରତ ସରକାର ଏ ପର୍ଯ୍ୟନ୍ତ ୩ଟି ରିଭାଇଭ୍ ପ୍ୟାକେଜରେ ସମର୍ଥନ କରିଛନ୍ତି ବିଏସଏନଏଲକୁ। ୨୦୧୯ରେ ପ୍ରଥମ ପୁନରୁଦ୍ଧାର ପ୍ୟାକେଜରେ ୬୯ହଜାର କୋଟି ଟଙ୍କା ମିଳିଥିଲା। ଯାହାଫଳରେ ବିଏସଏନଏଲ ଓ ଏମଟିଏନଏଲରେ ସ୍ଥିରତା ଆସିଥିଲା। ୨୦୨୨ରେ ୧ କୋଟି୬୪ଲକ୍ଷ କୋଟିର ପ୍ୟାକେଜ ଦେଇଥିଲା କେନ୍ଦ୍ର। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ୪ଜି ଅପଗ୍ରେଡ୍ କରିବାକୁ ବିଏସଏନଏଲକୁ ଏହି ପ୍ୟାକେଜ୍ ସାହାଯ୍ୟ କରିବ। ତୃତୀୟ ପ୍ୟାକେଜରେ ୮୯ହଜାର୪୭ କୋଟି ଟଙ୍କା ମିଳିଥିଲା। ଏହି ପ୍ୟାକେଜରେ ୪ଜି ଓ ୫ଜି ସେବା ଆରମ୍ଭ, ବାଲାନ୍ସ ସିଟକୁ ମଝଭୁତ୍ କରିବା ଓ ଫାଇଭର ନେଟଓ୍ୱର୍କର ସଂପ୍ରସାରଣ ସାମିଲ୍ ଥିଲା।

ଭାରତରେ ରିଲାଏନ୍ସ ଜିଓ, ଏୟାରଟେଲ୍ ସମେତ ଅନ୍ୟ ଟେଲିକମ୍ କମ୍ପାନୀ ୫ଜି ସର୍ଭିସ ଆରମ୍ଭ କରିସାରିଲେଣି। କିନ୍ତୁ ଏଯାଏଁ ବିଏସଏନଏଲ ୪ଜି ସେବା ବି ଆରମ୍ଭ କରିପାରିଲାନି। ଭାରତରେ ୨୦୧୪ରେ ୪ଜି ସେବା ଆରମ୍ଭ ହୋଇଥିଲା। ୧୦ ବର୍ଷ ପରେ ବି ସରକାରଙ୍କ ଦ୍ୱାରା ପରିଚାଳିତ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହାକୁ ଆରମ୍ଭ କରିପାରିଲାନି। ପରିଚାଳନାଗତ ତୃଟି ଲାଗି ସରକାରୀ କମ୍ପାନୀର ଏ ଦୁରାବସ୍ଥା ବୋଲି ଆରୋପ ଲଦିଛନ୍ତି କର୍ମଚାରୀ। ମାର୍ଚ୍ଚ ୨୪ ସୁଦ୍ଧା ବିଏସଏନଏଲରେ ମାତ୍ର ୨୯ହଜାର୭୫୦ ଏକଜ୍ୟିକୁଟିଭି ଓ ୨୬ହଜାର ୪୩୫ ନନ-ଏକଜ୍ୟିକୁଟିଭ କର୍ମଚାରୀ ରହିଗଲେ। ବିଏସଏନଏନର ମୁଖ୍ୟ ପରିଚାଳନା ନିର୍ଦେଶକ ଏ ରୋବର୍ଟ ଜେ ରବିଙ୍କୁ କର୍ମଚାରୀ ସଂଘ ଚିଠି ଲେଖି ଏଭଳି ଭିଆରଏସ ସ୍କିମକୁ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କରିଛି। ସଂଘର କହିବା କଥା, ବିଏସଏନଏଲ ରାଜସ୍ୱର ସିଂହ ଭାଗ ଲ୍ୟାଣ୍ଡଲାଇନରୁ ପାଏ। କିନ୍ତୁ ୨୦୨୦ରେ ପ୍ରଥମ ଭିଆରଏସ ସ୍କିମ ପରେ ଲ୍ୟାଣ୍ଡଲାଇନ ଓ ବ୍ରଡବ୍ୟାଣ୍ଡ୍ କନେକ୍ସନକୁ ସମ୍ପୂର୍ଣ୍ଣ ଆଉଟସୋର୍ସିଂ କରିଦେଲା କମ୍ପାନୀ। ପ୍ରଥମ ଭିଆରଏସରେ ୩୦ରୁ ୩୫ହଜାର କର୍ମଚାରୀ ଭିଆରଏସ ନେବେ ବୋଲି ଆକଳନ କରିଥିଲା କମ୍ପାନୀ । କିନ୍ତୁ ବାସ୍ତବରେ ୮୦ହଜାର କର୍ମଚାରୀ ଭିଆରଏସ ନେଇଗଲେ। ଏତେ ସଂଖ୍ୟକ କର୍ମଚାରୀଙ୍କ ଅଭାବରୁ ସେବାର ଗୁଣବତ୍ତା ଉପରେ ନକରାତ୍ମକ ପ୍ରଭାବ ପଡ଼ିଥିଲା। ଫଳରେ ବିଏସଏନଏଲର ଲ୍ୟାଣ୍ଡଲାଇନ କନେକ୍ସନ ପ୍ରାୟ ପୋଛି ହୋଇଗଲା ଆଉ ଜିଓ ସର୍ବବୃହତ ଲ୍ୟାଣ୍ଡଲାଇନ ସେବାପ୍ରଦାନକାରୀ ଭାବେ ମୁଣ୍ଡ ଟେକିଲା। ସବୁଠୁ ବଡ଼ ଅପଟିକ୍ ଫାଇବର ନେଟଓ୍ୱର୍କ ସତ୍ତ୍ୱେ ଜିଓ ସହ ପ୍ରତିଯୋଗିତା କରିପାରିଲାନି ବିଏସଏନଏଲ। ଅନେକ ସମୟରେ ସରକାରଙ୍କ ନୀତି ବି ବିଏସଏନଏଲକୁ କ୍ଷତି ପହଞ୍ଚାଉଛି। ୪ଜି ଉପକରଣ କେବଳ ଭାରତୀୟ ବଜାରରୁ କିଣିବାକୁ ବାଧ୍ୟ କରାଯାଉଛି। ଯେତେବେଳେ କି ପ୍ରାଇଭେଟେ ଅପରେଟର ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡ଼ାଫୋନ ଆଇଡିଆକୁ ଆନ୍ତର୍ଜାତୀୟ ଭେଣ୍ଡର ଯେମିତିକି ନୋକିଆ, ଏରିକସନ ଓ ସାମସଙ୍ଗରୁ ୪ଜି ଓ ୫ଜି ଉପକରଣ କିଣିବାକୁ ସ୍ୱାଧୀନତା ଦିଆଯାଇଛି। ଏମିତି କରି ପ୍ରତିଯୋଗିତାରୁ ବିଏସଏନଏଲକୁ ପଛକୁ ଠେଲିଦିଆଗଲା ବୋଲି ଆରୋପ ଲଦିଛି ସଂଘ। କେବଳ ଏହା ନୁହେଁ। ଘରୋଇ ଟେଲିକମ କମ୍ପାନୀର ତାରିଫ୍ ବୃଦ୍ଧିରୁ ଜୁଲାଇରେ ଲକ୍ଷାଧିକ ଗ୍ରାହକ ପୁ଼୍ଣି ବିଏସଏନଏଲ ମୁହାଁ ହୋଇଥିଲେ। କିନ୍ତୁ ବିଏସଏନଏଲର ସନ୍ତୋଷଜନକ ସେବା ଅଭାବରୁ ପୁଣି ବିଏସଏନଏଲକୁ ବାଏ ବାଏ କରି ଚାଲିଗଲେ।ଦେଖିବାର କଥା, ସଂଘର ଆପତ୍ତି ପରେ କମ୍ପାନୀ ଭିଆରଏସ ସ୍କିମ ନେଇ ପୁନର୍ବିଚାର କରୁଛି କି ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button