ରାଜ୍ୟ

ଚାଷୀଙ୍କ ପାଇଁ ଆସୁଥିବା ବସ୍ତା ଯାଉଛି କୁଆଡ଼େ? ବଜାରରୁ କିଣୁଛନ୍ତି ଜରିବସ୍ତା

ଝାରସୁଗୁଡ଼ା: ନିୟମ ଅନୁଯାୟୀ ଧାନ ଅମଳ ଆଗରୁ ମିଲର୍ସ ଚାଷୀଙ୍କୁ ବସ୍ତା ଦେବେ। ସେହି ବସ୍ତାରେ ଚାଷୀ ଧାନ ଭର୍ତ୍ତି କରି ମିଲ୍‌କୁ ଆଣିବେ। ଆଉ ସେହି ଧାନ ବସ୍ତାକୁ ମିଲର୍ସ ପାଖରେ ରଖିବେ। ଗତ ୬ ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଝାରସୁଗୁଡ଼ା ଜିଲ୍ଲାକୁ ବାର୍ଷିକ ହାରାହାରି ୧୦ ଲକ୍ଷ ବସ୍ତା ଆସିଛି। ଏହି ଅବଧି ମଧ୍ୟରେ ଗୋଟିଏ ବି ବସ୍ତା ନଷ୍ଟ ବା ଖରାପ ହୋଇନଥିବା ବିଭାଗ ପକ୍ଷରୁ କୁହାଯାଉଛି। ଜିଲ୍ଲାରେ ଖରିଫ୍‌ ଋତୁରେ ଚାଷୀଙ୍କ ପାଇଁ ସର୍ବାଧିକ ୧୫ରୁ ୧୬ ଲକ୍ଷ ବସ୍ତାର ଆବଶ୍ୟକ ପଡ଼ୁଥିବାବେଳେ ଚାଷୀଙ୍କୁ କିନ୍ତୁ ବସ୍ତା ମିଳୁନି। ଚାଷୀ ବାଧ୍ୟ ହୋଇ ବଜାରରୁ ଗୋଟା ପିଛା ୧୨ ଟଙ୍କା ଦରରେ ଜରିବସ୍ତା କିଣି ଧାନ ମଣ୍ଡିକୁ ନେଉଛି। ଏଭଳି ସ୍ଥିତିରେ ଚାଷୀଙ୍କ ନାଁରେ ଆସୁଥିବା ବସ୍ତା କୁଆଡ଼େ ଯାଉଛି, ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜିଲ୍ଲା ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୮-୨୦୧୯ ମସିହାରେ ଝାରସୁଗୁଡ଼ା ଜିଲ୍ଲାକୁ ୮ ଲକ୍ଷ ୬୫ ହଜାର ବସ୍ତା ଆସିଥିବା ବେଳେ ୨୦୧୯-୨୦ ମସିହାରେ ୧୧ ଲକ୍ଷ ୮୯ ହଜାର ବସ୍ତା ଆସିଥିଲା। ୨୦୨୦-୨୧ରେ ୮ ଲକ୍ଷ ୮୦ ହଜାର ୫୦୦ ଓ ୨୦୨୧-୨୨ ମସିହାରେ ୧୧ ଲକ୍ଷ ୫୭ ହଜାର ୫୦୦ ବସ୍ତା ଆସିଥିଲା। ସେହିଭଳି ୨୦୨୨-୨୩ ମସିହାରେ ୧୨ ଲକ୍ଷ ୨୨ ହଜାର ଏବଂ ୨୦୨୩-୨୪ ମସିହାରେ ୧୨ ଲକ୍ଷ ୧୦ ହଜାର ୫୦୦ ବସ୍ତା ଆସିଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୦ ହଜାର ବସ୍ତା ଜିଲ୍ଲାକୁ ଆସିଛି। ଅର୍ଥାତ୍‌ ଏହି ୬ ବର୍ଷରେ ଜିଲ୍ଲାକୁ ୬୬ ଲକ୍ଷ ୭୫ ହଜାର ବସ୍ତା ଆସିଛି। ଗତ ଖରିଫ୍‌ ଋତୁରେ ହୋଇଥିବା ଧାନ ସଂଗ୍ରହ ସ୍ଥିତିକୁ ଅନୁଧ୍ୟାନ କଲେ ମୋଟ ୨୧ ହଜାର ୮୩୯ ଜଣ ଚାଷୀ ୭ ଲକ୍ଷ ୧୪ ହଜାର ୮୫୨ କ୍ବିଣ୍ଟାଲ୍‌ ଧାନ ବିକ୍ରି କରିଥିଲେ। ତେଣୁ ଏ ବର୍ଷ ମଧ୍ୟ ଧାନ ସଂଗ୍ରହ ପରିମାଣ ପ୍ରାୟ ସମାନ ରହିବାର ସମ୍ଭାବନା ରହିଛି। ଗୋଟିଏ ଅଖା ବସ୍ତାରେ ୪୦-୪୫ କେଜି ଯାଏ ଧାନ ରହୁଥିବାରୁ ୩ କ୍ବିଣ୍ଟାଲ୍‌ ଧାନ ପାଇଁ ସାଧାରଣତଃ ୭ଟି ବସ୍ତାର ବ୍ୟବହାର ହୋଇଥାଏ।

ଏହି ତଥ୍ୟ ଆଧାରରେ ଝାରସୁଗୁଡ଼ାରେ ଚଳିତ ଖରିଫ୍‌ ଋତୁରେ ଧାନକିଣା ପାଇଁ ୧୬ ଲକ୍ଷ ୬୭ ହଜାର ୯୮୮ ବା ସର୍ବାଧିକ ୧୭ ଲକ୍ଷ ବସ୍ତା ଆବଶ୍ୟକ। ଗୋଟିଏ ପଟେ ଜିଲ୍ଲାକୁ ବିଗତ ୬ ବର୍ଷରେ ୬୬ ଲକ୍ଷ ୭୫ ହଜାର ଧାନ ବସ୍ତା ଆସିଥିବା ବେଳେ ଗୋଟିଏ ଋତୁ ପାଇଁ ଆବଶ୍ୟକ ୧୭ ଲକ୍ଷ ବସ୍ତା ଚାଷୀଙ୍କୁ ମିଳିପାରୁନି। ଜିଲ୍ଲାର ସମସ୍ତ ମଣ୍ଡିରେ ପ୍ଲାଷ୍ଟିକ୍‌ ବସ୍ତା ମାଳ ମାଳ ଦେଖିବାକୁ ମିଳୁଥିବା ବେଳେ ଚାଷୀ ଖୋଲା ବଜାରରୁ ପ୍ଲାଷ୍ଟିକ୍‌ ବସ୍ତା କିଣୁଥିବା ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ଚାଷୀଙ୍କ ପାଇଁ ଆସୁଥିବା ଏହି ବସ୍ତା କୁଆଡ଼େ ଯାଉଛି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ମିଲର୍ସ ଜାଣିଶୁଣି ଚାଷୀଙ୍କୁ ବସ୍ତା ଦେଉନାହାନ୍ତି ନା ସରକାରଙ୍କ ପକ୍ଷରୁ ଆସୁଥିବା ବସ୍ତାକୁ ମିଲର୍ସ ବାହାରେ ବିକ୍ରି କରିଦେଉଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ନଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button