ରାଜ୍ୟ

ବିଏମ୍‌ସି ପାଳିବ ସ୍ୱାୟତ୍ତ ଶାସନ ଦିବସ: ଏଥର ନାଗରିକ ନିରାଶ, ଗୋଟିଏ ବି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ହେବନି

ଭୁବନେଶ୍ୱର,୩୧/୦୮: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଶନିବାର ସ୍ୱାୟତ୍ତ ଶାସନ ଦିବସ ପାଳିବ । ସାଂସଦଙ୍କ ସହ କିଛି ବିଧାୟକ ଅତିଥି ହୋଇ ଯୋଗଦେବେ । ହେଲେ ଉଦ୍ଘାଟନ କରିବାକୁ ବିଏମ୍ସି ପାଖରେ ଆଖିଦୃଶିଆ ପ୍ରକଳ୍ପ ନାହିଁ । ହାତଗଣତି କନଜରଭେନ୍ସି ଲେନ ଓ ଦୁଇ ୩ଟି ୱାର୍ଡ ଅଫିସକୁ ଛାଡ଼ି ଗୋଟିଏ ବି ପ୍ରକଳ୍ପ ଧାର୍ଯ୍ୟ ସମୟ ଭିତରେ ସରିନି ।

ଖାଲି ଏତିକି ନୁହେଁ, ଏ ବର୍ଷ ରାଜଧାନୀ ନାଗରିକ ନିରାଶ ହେବେ । କାରଣ ଗୋଟିଏ ବି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବନାହିଁ ।

ବିଏମ୍ସି ପ୍ରତିବର୍ଷ ୩ ଦିନିଆ ସ୍ୱାୟତ୍ତ ଶାସନ ଦିବସ ପାଳେ । ରାଜ୍ୟ ସରକାରଙ୍କ ମାଳମାଳ ମନ୍ତ୍ରୀ, ଅଧିକାରୀ ଏହି ଭବ୍ୟ ଉତ୍ସବରେ ସାମିଲ ହୁଅନ୍ତି । ୱାର୍ଡ ପରିକ୍ରମା କରନ୍ତି । ୱାର୍ଡରେ ପ୍ରକଳ୍ପର ବର୍ଷା ହୁଏ । ରାସ୍ତା, ଡ୍ରେନ୍ଠୁ କମ୍ୟୁନିଟି ସେଣ୍ଟର, ଭେଣ୍ଡିଂ ଜୋନ୍ର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୁଏ । ହେଲେ ଏବର୍ଷ ଆଉ ସେମିତି ଢଙ୍ଗରେ ସ୍ୱାୟତ୍ତ ଶାସନ ଦିବସ ପାଳନ ହେବନି । ଚଳିତ ବର୍ଷ କେବଳ ବିଏମ୍ସି ମୁଖ୍ୟାଳୟରେ ସ୍ୱାୟତ୍ତଶାସନ ଦିବସ ପାଳନ ହେବ । ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ପୂର୍ତ୍ତ ମନ୍ତ୍ରୀ ଏହି ଉତ୍ସବରେ ସାମିଲ ହେବେ । ଏଥିପାଇଁ ବିଏମ୍ସି ପ୍ରସ୍ତୁତି ଚୂଡ଼ାନ୍ତ କରିଛି । ୪ଟି ୱାର୍ଡ ଅଫିସ, କନଜରଭେନ୍ସି ଲେନ୍ ଓ ମାତ୍ର ହାତଗଣତି କଚ୍ଚା, ପକ୍କା ରାସ୍ତାର ଉଦ୍ଘାଟନ ହେବ । ମନ୍ତ୍ରୀଙ୍କ କନଜରଭେନ୍ସି ଲେନ୍ ଉଦ୍ଘାଟନକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଚଳିତ ବର୍ଷ ନାଗରିକଙ୍କୁ ଭେଟି ଦେବାକୁ ବିଏମ୍ସି ପାଖରେ ଗୋଟିଏ ବି ପ୍ରକଳ୍ପ ନାହିଁ । ଏଥର ପୂରା ଶୁଖିଲା ପଡିବ ଦିବସ ।

ବିଏମ୍ସି ସଫେଇ ଦେଇଛି, ଏ ବର୍ଷ ତାଙ୍କ ପାଖରେ ପାଣ୍ଠି ନାହିଁ । ରାଜ୍ୟ ସରକାର ଓ କେନ୍ଦ୍ରରୁ ମିଳିଥିବା ଅନୁଦାନ ବର୍ତ୍ତମାନ ସୁଦ୍ଧା ମିଳିନି। ମୁକ୍ତା ଯୋଜନାରେ ୧୪୫ କୋଟି ଟଙ୍କା ଖର୍ଚ୍ଚ ହେଲା । ସେହିପରି ରାସ୍ତାରେ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଦେଲେ । ଏବେ ହୁଣ୍ଡି ଖାଲି । ଏପରି ପରିସ୍ଥିତିରେ ଯୋଜନା ବରାଦ କଲେ ଫସିବା ସୁନିଶ୍ଚିତ । ସେହିଭଳି ନୂଆ ସରକାର ଆସିବା ପରେ ଏବେ କାମ ନେଇଥିବା ଠିକାଦାର ଚିନ୍ତାରେ । ବିଏମ୍ସି ପାଖରେ ପାଣ୍ଠି ନଥିବା ଜାଣି ଏବେ ପ୍ରକଳ୍ପ କାର୍ଯ୍ୟ ସାମାନ୍ୟ ଧିମେଇ ଯାଇଛି । ଅଧିକାଂଶ କାମ ଏବେ ଅଧାରେ ପଡ଼ିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button