ରାଜ୍ୟ

60 ପାର୍ ହେଲା ଆଳୁ ଦର

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଳୁ ଦର ଆକାଶ ଛୁଆଁ ହୋଇଛି। ଗୁରୁବାର ହଠାତ୍‌ ଆଳୁ କିଲୋ ପିଛା ଦର ୬୦ ଛୁଇଁଛି। ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା । କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ପଶ୍ଚିମବଙ୍ଗରୁ ହଠାତ୍ ଆମଦାନୀ ବନ୍ଦ ହୋଇଥିବାରୁ କଟକ ମାଲଗୋଦାମ, ଛତ୍ରବଜାର ଓ ଭୁବନେଶ୍ବର କୁବେରପୁରୀର ଆଳୁ ଗଦି ଖାଲି ହୋଇଯାଇଛି।

ଖୁଚୁରା ବଜାରରେ ଯେତିକି ଆଳୁ ମହଜୁଦ ଅଛି ତାହା ସମୁଦ୍ରକୁ ଶଙ୍ଖେ। ଏଥିପାଇଁ ଦୁଇ ଦିନ ହେଲା ଆଳୁ ଦର ବୃଦ୍ଧି ପାଇଛି ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି। ଦୁଇ ଦିନ ମଧ୍ୟରେ ଓଡିଶାକୁ ଆଳୁ ଆମଦାନୀ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ପଶ୍ଚିମବଙ୍ଗରେ ଆନ୍ଦୋଳନ ପାଇଁ ଏପରି ସ୍ଥିତି ଉପୁଜୁଥିବା ଛତ୍ରବଜାର ବ୍ୟବସାୟ ସଙ୍ଘର ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶାରେ ପଡିଛି। ପଶ୍ଚିମବଙ୍ଗର ଚାଷୀ ଓ ଆଳୁ ଷ୍ଟୋର ଆସୋସିଏଏସନ୍ ବ୍ୟବସାୟୀ ଆଳୁ ଦର ବୃଦ୍ଧି ଦାବିରେ ଆନ୍ଦୋଳନ କରୁଛନ୍ତି। ଏବେ ଚାଷୀ, ବ୍ୟବସାୟୀ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କିଛି ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି।

ପ୍ରତିଦିନ ଛତ୍ରବଜାରକୁ ୫ରୁ ୬ ଟ୍ରକ ଆଳୁ ଆମଦାନୀ ଆସିଥାଏ। ଆନ୍ଦୋଳନ ଯୋଗୁଁ ଏବେ ଦିନକୁ ଦୁଇରୁ ତିନିଟି ଗାଡି ଆସୁଛି। ଗୁରୁବାର ଛତ୍ରବଜାରକୁ କୌଣସି ଆଳୁ ଗାଡି ଆସି ନଥିବାରୁ ଏଭଳି ସଙ୍କଟ ଦେଖାଦେଇଛି। ରାଜ୍ୟରେ ଥିବା ହାତ ଗଣତି ୫ରୁ ୬ଟି ଗୋଦାମରେ ଆଳୁ ମହଜୁଦ୍ ରହିଥିଲେ ମଧ୍ୟ ସେମାନେ ବଜାରକୁ ଆବଶ୍ୟକ ମୁତାବକ ପ୍ରେରଣ କରୁନଥିବାରୁ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହୋଇଛି। ସେହିପରି କୁବେରପୁରୀକୁ ପୂର୍ବରୁ ଦୈନିକ ୨୫୦ରୁ ୩୦୦ ଟନ୍ ଆଳୁ ଭୁବନେଶ୍ୱର ଆସୁଥିଲା। ପ୍ରତ୍ୟେକ ଦିନ ୨୦ରୁ ୨୫ ଟ୍ରକ୍‌ ଆଳୁ କୁବେରପୁରୀରେ ପହଞ୍ଚୁଥିଲା। ବୁଧବାର ମାତ୍ର ଦୁଇ ଟ୍ରକ୍‌ଟ୍ଟ ଅର୍ଥାତ ଅତିବେଶୀରେ ୩୦ରୁ ୩୫ ଟନ୍ ଆଳୁ କୁବେରପୁରୀ ଆସିଥିଲା।

ଗୋଦାମରେ ୩ଶହ ଟନ୍ ଆବଶ୍ୟକ ଥିବାବେଳେ ମାତ୍ର ୩୫ ଟନ୍‌ ଆଳୁ ମହଜୁଦ ରହିବା ଦ୍ବାରା ବଜାରର ଚାହିଦା ମେଣ୍ଟାଇବା ସହଜ ହେଉନାହିଁ। ସେଥିଯାଗୁଁ ଖୁଚୁରା ବଜାରରେ ବୁଧବାର ରାତିରୁ ଆଳୁ ଦର ୫୦ରୁ ୬୦ ଟଙ୍କା ଛୁଇଁଗଲା ବୋଲି ବ୍ୟବସାୟୀମାନେ କହିଛନ୍ତି। ବର୍ତ୍ତମାନ କୁବେରପୁରୀ ବ୍ୟବସାୟୀ ସଂଘ ପାଖରେ ଆଳୁ ମହଜୁଦ ନାହିଁ। ବିଭିନ୍ନ ହାଟରେ ଖୁଚୁରା ବ୍ୟବସାୟଙ୍କ ପାଖରେ ମହଜୁଦ ଥିବା ଆଳୁ ସ୍ବାଭାବିକ ଭାବେ ନିଅଣ୍ଟିଆ ସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ସେମାନେ କ୍ବିଣ୍ଟାଲ ପିଛା ୨୫ଶହରୁ ୩ହଜାର ଟଙ୍କା ଦରରେ କିଣିଥିବା ଆଳୁକୁ ଏବେ ୪୫ ଶହରୁ ୫ହଜାର ଟଙ୍କାରେ ବିକୁଛନ୍ତି। ଖୁଚୁରା ବେପାରୀ ଖାଉଟିଙ୍କଠାରୁ ଅଧାରୁ ଅଧିକ ଲାଭ ନେଉଛନ୍ତି। ଯୋଗାଣ ବିଭାଗର ନିୟନ୍ତ୍ରଣ ନଥିବାରୁ ଖୁଚୁରା ବେପାରୀ ଖାଉଟିଙ୍କୁ ଶୋଷଣ କରୁଛନ୍ତି। ସେପଟେ ଆଳୁ କଳାବଜାରୀ ବଢିଥିବାବେଳେ ଚଢ଼ଉ ହେଉନାହିଁ। ପ୍ରଶାସନର ନିରବତା ନେଇ ପ୍ରଶ୍ନ ଉଠିଛି।

Related Articles

Leave a Reply

Your email address will not be published. Required fields are marked *

Back to top button