କାଲିଠୁ ଛାଡ଼ିବ ବର୍ଷା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ପରେ ଏହା ଗୋପାଳପୁର ଠାରୁ ୫୯୦ କିମି ଦୂର ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଅଞ୍ଚଳରେ ସ୍ଥିର ରହିଛି। ଏହା କ୍ରମଶଃ ପୂର୍ବ-ଉତ୍ତରପୂର୍ବ ଆଡ଼କୁ ଗତି କରି ସମୁଦ୍ର ଭିତରେ ହିଁ ଦୁର୍ବଳ ହେବ। ଏହାର ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଲାଗି ରହିଥିଲା। ଆଜି ମଧ୍ୟ ବର୍ଷା ହୋଇଛି। ତେବେ ଆସନ୍ତାକାଲି ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର।
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ଓ ପ୍ରବଳ ବର୍ଷା ହୋଇଛି। ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରଣପୁରରେ ସର୍ବାଧିକ ୧୧ ସେମି ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୧୯ ମିମି, ପୁରୀରେ ୧୮.୯, ଖୋର୍ଦ୍ଧାରେ ୧୮, ଗୋପାଳପୁରରେ ୧୭.୭, ଛତ୍ରପୁରରେ ୧୭.୨, ଭୁବନେଶ୍ବରରେ ୧୬, ଜଗତସିଂହପୁରରେ ୧୫.୪ ଓ ପାରାଦୀପରେ ୧୩.୭ ମିମି ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୦.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ସର୍ବନିମ୍ନ ୧୩.୬ଡିଗ୍ରି ରେକର୍ଡ ହୋଇଥିଲା। ସେପଟେ ଝାରସୁଗୁଡ଼ାରେ ଆଜି ପ୍ରବଳ କୁହୁଡ଼ି ଦେଖାଦେଇଥିଲା। ଦୁଇ ଦିନ ଭିତରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଦୁଇ ଦିନ ପରେ ୨ରୁ ୪ ଡିଗ୍ରି କମିବା ଆକଳନ କରାଯାଇଛି। ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ବର୍ଷା ଓ ୬ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର କେତେକ ଜାଗାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କେରାପୁଟରେ ଘନକୁହୁଡ଼ି ହେବା ଆଶଙ୍କା ଥିବାରୁ ଅପେକ୍ଷାକୃତ ଦୃଶ୍ୟତା କମ୍ ରହିବ। ଏଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଡିସେମ୍ବର ୨୭ରେ ଆଉ ଏକ ଲଘୁଚାପ ହେବା ନେଇ ପୂର୍ବାନୁମାନ କରାଯାଇଛି।