ରାଜ୍ୟ

ଐତିହାସିକ ପୁରାଣ ପ୍ରସିଦ୍ଧ ଅଡମ୍ବୁରୁ ପୀଠର ଶନି ମେଳା, ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କାହିଁ କେଉଁ ଆଦିମ କାଳରୁ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜଳୁକା ପାହାଡ଼ ପାଦଦେଶରେ ଅବସ୍ଥିତ ଅଡ଼ମ୍ବୁରୁ ଠାରେ ଶନି ଦେବଙ୍କ ପୂଜା ହୋଇଆସୁଛି । ଆଜି ଶନିବାର ଥିବାରୁ ଶନି ଦେବଙ୍କ ନିକଟରେ ଜଳାଭିଷେକ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥିବାର ଦେଖିବାକୁ ମିଳିଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ଧୁମଧାମରେ ପାଳିତ ହେଉଛି ଶନି ମେଳା ।

ଐତିହାସିକ ପୁରାଣ ପ୍ରସିଦ୍ଧ ଶନି ମେଳା ଅଡମ୍ବୁରୁ ପୀଠରେ ଅନୁଷ୍ଠିତ ହେଉଛି । ଏହି ମେଳାରେ ୫ଲକ୍ଷ ରୁ ଅଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଛି । ନିଜ ନିଜ ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ମାନେ ଶନିଦେବକୁ ଜଳାଭିଷେକ କରୁଥିବାର ଦେଖିବାକୁ ମିଳିଛି । ୭ଟି ରୁ ୧୦୮ଟି କଳସି ପର୍ଯ୍ୟନ୍ତ ନିଜ ମାନସିକ ହିସାବରେ ପାଖରେ ଥିବା ଏକ ପୋଖରୀରୁ ଜଳ ଆଣି ଶନି ଦେବଙ୍କ ପ୍ରତିମା ଉପରେ ଢ଼ାଳିବାରେ ଲାଗି ପଡିଛନ୍ତି । ବହୁ ଶ୍ରଦ୍ଧାଳୁ ମାନସିକ କରି ଉକ୍ତ ଗାଧୁଆ ଜଳ ଉପରେ ଅଧିଆ ପଡିରହିଛନ୍ତି । ସେମାନଙ୍କ ମାନସିକ ପୂରଣ ହେଲେ ସେମାନେ ଆସନ୍ତା ବର୍ଷ ଜଳଭିଷେକ କରିବେ ବୋଲି ଜଣାପଡିଛି ।

ଆଜିର ଏହି ଗ୍ରହରାଜଙ୍କ ଜଳ ଅଭିଷେକ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ଵସ ରହିଛି, ଏଣୁ କଟକ ଜିଲ୍ଲା ସହିତ ଯାଜପୁର. ଖୋର୍ଦ୍ଧା. ଢେଙ୍କାନାଳ ସହିତ ଓଡିଶା ର ବହୁ ଜିଲାରୁ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ଲାଗିରହିଛି, ମଧ୍ୟ ରାତ୍ର ରୁ ଭକ୍ତ ମାନେ ପାଣି ଢ଼ାଳିବା ଆରମ୍ଭ କରି ଦିନ ଦୁଇପ୍ରହର ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ ।

ଭିଡ଼ କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୨୦ ଏଏସଆଇ, ୦୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହିତ ଅଗ୍ନିଶମ ବାହିନୀ, ମେଡିକାଲ ଟିମ୍, ପରିଚାଳନା କମିଟି , ବିଭିନ୍ନ ବିଦ୍ୟାଳୟର ଛାତ୍ର, ବହୁ ସମାଜସେବୀ ମାନେ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ପ୍ରବଳ ଖରାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ପାଣି ସ୍ପେର ର ବ୍ୟବସ୍ଥା କରାଯାଇଛି ।

ଏହି ମେଳା ରେ ବିଭିନ୍ନ ଉଠା ଦୋକାନୀ ମାନେ ପସରା ପକାଇ ଭଲ ବେପାର କରୁଥିବାବେଳେ , ବିଶେଷ କରି କଳସ ଦୋକାନରେ ଭିଡ଼ ଲାଗିବା ସହିତ ଦୀପ,ସଳିତ ବେପାର ଜୋରଦାରରେ ଚାଲିଛି । ଭୋଗ ଦୋକାନ ମାନଙ୍କରେ ଭିଡ଼ ଲାଗିରହିଛି । ଶିଳ, ଚକି, ବିଭିନ୍ନ ଘରକରଣା ଜିନିଷ ସହିତ ବହୁ ଷ୍ଟଲ ଲାଗିଛି ।

ଏହି ପୀଠରେ ଯେଉଁ ପୋଖରୀରୁ ପାଣି ଆଣି ଭକ୍ତ ମାନେ ଶନିବେବଙ୍କ ଉପରେ ଜଳାଭିଷେକ କରନ୍ତି ସେହି ପୋଖରୀରେ ଗାଧେଇଲେ ବିଭିନ୍ନ ଚର୍ମ ରୋଗ ଭଲ ହୋଇଯାଏ ବୋଲି ବିଶ୍ଵାସ ରହିଛି । ଓଡିଶା ଏହା ଏକ ବଡ ମେଳା, ଯେଉଁଠି ଶନିଦେବଙ୍କ ଆଶିର୍ବାଦ ପାଇବା ପାଇଁ ଧାଇଁଆସିଥାନ୍ତି ଶ୍ରଦ୍ଧାଳୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button