ସହର ଭିତରେ ସିନ୍ଧିଚୋର: ଗହଣା ଦୋକାନ ତାଡ଼ି ଲୁଟିଲେ
ଭୁବନେଶ୍ବର: ଉପକଣ୍ଠ ପରେ ଏବେ ସହର ଭିତରେ ସିନ୍ଧିଚୋରି ମାମଲା ବଢ଼ିବା ଦେଖାଗଲାଣି। ଦୁଇ ଦିନ ପୂର୍ବେ ଇନ୍ଫୋସିଟି ଥାନା ଆଦର୍ଶ କଲୋନିରୁ ଜଣେ ଇଞ୍ଜିନିୟର୍ଙ୍କ ଘରୁ ସିନ୍ଧିଚୋରି ହୋଇଥିଲା। ଦୁର୍ବୃ୍ତ୍ତମାନେ ନଗଦ ୫୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଲୁଟି ନେଇଥିଲେ। ସେମିତି ବୁଧବାର ରାତିରେ ପୁଣି ଏକ ସିନ୍ଧିଚୋରି ମଞ୍ଚେଶ୍ବର ଥାନା ଅଞ୍ଚଳରେ ହୋଇଥିବା ଅଭିଯୋଗ ହୋଇଛି। ଚକେଇସିଆଣି ବଜାରସ୍ଥିତ ଏକ ଗହଣା ଦୋକାନ ତାଡ଼ି ଦୁର୍ବୃତ୍ତମାନେ ପାଖାପାଖି ୨୦ ଗ୍ରାମ୍ ଓଜନର ସୁନା ଅଳଙ୍କାର ଓ ୨କେଜିରୁ ଅଧିକ ରୁପା ଅଳଙ୍କାର ନେଇଯାଇଛନ୍ତି। ଗହଣା ଦୋକାନ ସମେତ ପାଖ ଦୋକାନର ସିସିଟିଭି ବୁଲାଇ ଦେଇ ଦୁର୍ବୃତ୍ତମାନେ ଲୁଟ୍ପାଟ୍ କରିଛନ୍ତି। ଆଦର୍ଶ କଲୋନି ପରେ ଚକେଇସିଆଣି ବଜାରରେ ହୋଇଥିବା ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚକେଇସିଆଣି ବଜାରରେ ରହିଛି ସୁବର୍ଣା ଜୁଏଲାରି। ପାଖରେ ରହିଛି ଏକ ଔଷଧ ଦୋକାନ।
ବୁଧବାର ରାତି ପ୍ରାୟ ୨ଟା ବେଳେ ଦୁର୍ବୃତ୍ତମାନେ ଏହି ୨ଦୋକାନର ସିସିଟିଭିକୁ ବୁଲାଇଦେବା ପରେ ତାଲା ଭାଙ୍ଗିଥିଲେ। ଗହଣା ଦୋକାନର ତାଲାଗୁଡ଼ିକ ଭାଙ୍ଗି ସେଇଠି ସଜେଇ ରଖିଦେଲେ। ଏହାପରେ ଦୋକାନର ସୋ-କେସ୍ରେ ଥିବା ସମସ୍ତ ଗହଣାଗାଣ୍ଠି ଓଳାଇ ସଫା କରିଦେଲେ। ସୁନା ଗହଣା ମଧ୍ୟରୁ କିଛି ନୂଆ ଥିଲା ଏବଂ କିଛି ମରାମତି ହେବା ପାଇଁ ଥିଲା। ସେହିଭଳି ଦୋକାନ ଭିତରେ ଥିବା ସିସିଟିଭି ହାର୍ଡଡିସ୍କକୁ ଦୁର୍ବୃତ୍ତମାନେ ତାଡ଼ି ନେଇଥିଲେ। ସକାଳୁ ଦୋକାନ ମାଲିକ ଏହା ଜାଣିବା ପରେ ତୁରନ୍ତ ମଞ୍ଚେଶ୍ବର ଥାନାକୁ ଜଣାଇଥିଲେ। ଉପକଣ୍ଠରେ ସିନ୍ଧିଚୋରମାନେ ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରି ଘନଘନ ଚୋରି କରୁଥିବା ବେଳେ ସହର ଭିତରେ ବି ସେଭଳି ଗ୍ୟାଙ୍ଗ୍ ମାତିଲାଣି।