ରାଜ୍ୟ

ଭଞ୍ଜନଗରରେ କାୟା ବିସ୍ତାର କରୁଛି ଜଣ୍ଡିସ୍ ରୋଗ, ଆକ୍ରାନ୍ତ ହେଉଛନ୍ତି ଛୋଟ ଛୁଆ

ଞ୍ଜନଗର: ପ୍ରଥମେ ପେଟ-ବ୍ୟଥା, ତା’ପରେ ବାନ୍ତି ଓ ଜ୍ବର ହେଉଛି । ଶେଷରେ ଜଣାପଡୁଛି ଏସବୁ ଜଣ୍ଡିସ୍ ରୋଗର ଲକ୍ଷଣ । ଗଲା ପ୍ରାୟ ୧୫ ଦିନ ହେଲା, ଏହି ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି ଜଣକ ପରେ ଜଣେ । ବିଶେଷ କରି କମ୍ ବୟସର ପୁଅ ଓ ଝିଅଙ୍କୁ ବ୍ୟାପୁଛି ଏହି ରୋଗ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଲାଲସିଙ୍ଗି ପଞ୍ଚାୟତର ଛେଦାଭୁମି ଗାଁରେ ଦେଖାଦେଇଛି ଏଭଳି ସମସ୍ୟା ।

ଏହି ଗାଁରେ ଏବେ କାୟା ବିସ୍ତାର କରୁଛି, ଜଣ୍ଡିସ୍ ରୋଗ । ଆକ୍ରାନ୍ତ ହେଉଛନ୍ତି, ଜଣକ ପରେ ଜଣେ ଛୋଟ ଛୁଆ । ପ୍ରତିକାର ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡିଛନ୍ତି ଉଭୟ ଅଭିଭାବକ ଏବଂ ଗ୍ରାମବାସୀ ।

ଘଟଣାକୁ ଦୀର୍ଘଦିନ ବିତିଗଲାଣି । ଭୟ ଓ ଆଶଙ୍କା ଭିତରେ ରହିଛନ୍ତି ଅନେକ ପରିବାର । ତଥାପି ଗାଁରେ ପହଞ୍ଚି ପାରିନି ସ୍ବାସ୍ଥ୍ୟସେବା କିମ୍ବା କୌଣସି ପ୍ରତିକାର ବ୍ୟବସ୍ଥା । କିଏ ଚେରମୂଳି ଔଷଧ ଆଣି ଖାଉଛି ତ’ ଆଉ କିଏ ପାଖ କ୍ଲିନିକ୍ ରୁ ଔଷଧ ଆଣି ଖାଉଛନ୍ତି । ଶେଷରେ ରୋଗର ଲକ୍ଷଣ ବଢ଼ିଲେ, ଡାକ୍ତର ପାଖକୁ ଯାଇ ଚିକିତ୍ସା ହେଉଛନ୍ତି । ଏମିତି ଭାବେ ଗୋଟିଏ ପରେ ଗୋଟିଏ ପରିବାରର କମ୍ ବୟସର ପିଲାମାନେ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗାଁ ଲୋକଙ୍କ ଅଭିଯୋଗ ପିଇବା ପାଣି ଯୋଗୁଁ ଏଭଳି ହେଉଛି ।

ଗାଁରେ ପ୍ରାୟ ଦୁଇଶହ ପରିବାରର ୧୫ ଶହରୁ ଊର୍ଦ୍ଧ୍ବ ଜନସଂଖ୍ୟା ରହିଥିବା ବେଳେ, ପିଇବା ପାଣିର ସ୍ଥାୟୀ ବନ୍ଦୋବସ୍ତ ହୋଇ ପାରିନାହିଁ । ପ୍ରାୟତଃ ଲୋକଙ୍କୁ କୂଅ ପାଣି ବ୍ୟବହାର କରିବାକୁ ପଡୁଛି । କିନ୍ତୁ ରୋଗ ବ୍ୟାପିବାର ମୂଳ କାରଣ କ’ଣ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନି । ଲୋକଙ୍କୁ ସଚେତନ କରିବାକୁ ଏଯାଏଁ କୌଣସି ବ୍ୟବସ୍ଥା ହୋଇନି । ପ୍ରତିକାର ବ୍ୟବସ୍ଥା କହିଲେ ଦିନକ ପୂର୍ବରୁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଖବର ପାଇ ଗାଁରେ କିଛି ବ୍ଳିଚିଙ୍ଗ୍ ପାଉଡର ପକାଇଥିଲେ । ଆଗକୁ ଏହି ରୋଗ ଆହୁରି ବ୍ୟାପିପାରେ ବୋଲି ଆଶଙ୍କାରେ ରହିଛନ୍ତି ଗ୍ରାମବାସୀ ।

ତେବେ ଖୁବଶୀଘ୍ର ଗାଁରେ ମେଡିକାଲ ଟିମ୍ ପହଞ୍ଚି ଘଟଣା ଅନୁଧ୍ୟାନ କରିବ ଏବଂ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ । ଜଣ୍ଡିସ୍ ରୋଗ ଆରମ୍ଭ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାପାଖରେ ଏହାର ଖବର ବି ନାହିଁ ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଏବେ ସ୍ଥାନୀୟ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ । ତା’ନହେଲେ ଆଗକୁ ଏହାର ପ୍ରଭାବ ଅଧିକ ହୋଇ ପଡିବ ଏଥିରେ ସନ୍ଦେହ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button