ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଲୋକଲୋଚନକୁ ଆଣୁଛି: ଶିଳ୍ପ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟର ଶିଳ୍ପ ସଂସ୍ଥା ଓ ଉଦ୍ୟୋଗୀମାନଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ସମ୍ମାନିତ କରିବା ଲାଗି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ‘କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ’କୁ ପ୍ରଶଂସା କରିଛନ୍ତି ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ଆମ ରାଜ୍ୟର ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀକୁ ଉତ୍କର୍ଷ ପୁରସ୍କାର ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ‘ସମ୍ବାଦ’ର ଏହି ଅଭିନବ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି।
‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫
ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ସମଗ୍ର ଓଡିଶାରେ ଏକ ଶିଳ୍ପ ଅନୁକୂଳ ବାତାବରଣ ଓ ସଂସ୍କୃତି ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ‘ସମ୍ବାଦ’ ରାଜ୍ୟର ଏକ ବଡ଼ ବ୍ରାଣ୍ଡ୍। ଓଡିଶା ହେଉଛି ଐତିହ୍ୟ ଓ ପରମ୍ପରାର ପ୍ରଦେଶ। ଆଜି ଆମ ରାଜ୍ୟ ଶିଳ୍ପ ଠାରୁ ଆରମ୍ଭ କରି ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ସାରା ଭାରତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ପ୍ରଗତିଶୀଳ ନୀତି ପାଇଁ ଦେଶ ବିଦେଶର ବଡ ବଡ ଉଦ୍ୟୋଗୀ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଆକର୍ଷିତ ହେଉଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ଯାହା ସମଗ୍ର ଦେଶରେ ଓଡିଶାକୁ ଏକ ଅଗ୍ରଣୀ ଶିଳ୍ପୋନ୍ନତ ରାଜ୍ୟ ଭାବରେ ପରିଣତ କରିପାରିବ। ୨୦୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ସମୟରେ ଆମ ରାଜ୍ୟ ଏକ ସମୃଦ୍ଧ ଆର୍ଥିକ ପ୍ରଦେଶ ଭାବରେ ପରିଗଣିତ ହେବ ଏବଂ ୨୦୪୭ ସୁଦ୍ଧା ବିକଶିତ ଓଡିଶା ଗଠନ ଲକ୍ଷ୍ୟ ନିମନ୍ତେ ଆଜିଠାରୁ ଆମ ସରକାର ବିଭିନ୍ନ ସ୍ତରରେ କାର୍ଯ୍ୟ ଆରମ୍ଭ କରିସାରିଲେଣି।
ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶିକ୍ଷଣ, ଦକ୍ଷ ଶ୍ରମଶକ୍ତି, ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ବ୍ୟାବସାୟିକ ସ୍ୱଚ୍ଛତା ଏବଂ ଅଭିନବ ଉତ୍ପାଦ ସୃଷ୍ଟି ଭଳି ବିଭିନ୍ନ କ୍ଷେତ୍ରକୁ ବିଶେଷ ଭାବରେ ଦୃଷ୍ଟି ଦେବାକୁ ପଡିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡିବ। ରାଜ୍ୟରେ ପୁଞ୍ଜିନିବେଶକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ବାତାବରଣ ସୃଷ୍ଟି କରିବାକୁ ପଡିବ। ରାଜ୍ୟର ସମସ୍ତ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ପଡିବ। ଓଡିଶାକୁ ଏକ ନିଯୁକ୍ତି ଭିତ୍ତିକ ଅର୍ଥନୀତିରୁ ବାହାରି ନିଯୁକ୍ତି ସୃଷ୍ଟିକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡିବ। ସେଥିପାଇଁ ରାଜ୍ୟର ଯୁବପିଢି ନିଯୁକ୍ତି ପଛରେ ନ ଗୋଡାଇ ନିଜେ ଜଣେ ଜଣେ ଉଦ୍ୟୋଗୀ ହେବାକୁ ଚେଷ୍ଟା କରିବା ଦରକାର। ରାଜ୍ୟରେ ଯେତେ ଅଧିକ ଉଦ୍ୟୋଗୀ ସୃଷ୍ଟି ହେବେ ଓଡ଼ିଶାର ଅର୍ଥନୀତି ସେତେ ତୀବ୍ର ଗତିରେ ଆଗକୁ ବଢିବ।