ବାୟୋମେଟ୍ରିକ୍ ଇ-କେୱାଇସି ନଥିଲେ ମିଳିବନି ସୁଭଦ୍ରା ଟଙ୍କା
ଭୁବନେଶ୍ୱର: ଡିସେମ୍ବର ୨୫ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିଲେ। ହେଲେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି କହିଛନ୍ତି ଯେ ଏବେ ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯିବନି। ୫.୧୧ଲକ୍ଷ ହିତାଧିକାରୀଙ୍କର ଇ-କେୱାଇସି ଜନିତ ସମସ୍ୟା ରହିଛି। ଏହାର ସମାଧାନ ହେଲେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ।
ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଏବେଠୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ ପ୍ରକ୍ରିୟାରେ ଇ-କେୱାଇସି କରିବାକୁ ପଡ଼ିବ। ଯେଉଁ ୫.୧୧ଲକ୍ଷ ହିତାଧିକାରୀ ସୁଭଦ୍ରା ଅଧୀନରେ ଇ-କେୱାଇସି କରିନାହାନ୍ତି କିମ୍ବା ଓଟିପି ମାଧ୍ୟମରେ ଇ-କେୱାଇସି କରିଛନ୍ତି, ସେମାନଙ୍କୁ ବାୟୋମେଟ୍ରିକ ପ୍ରକ୍ରିୟାରେ ଇ-କେୱାଇସି କରିବାକୁ ପଡ଼ିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯିବ।‘ମୋ ସେବା କେନ୍ଦ୍ର’ ଓ ‘ଜନସେବା କେନ୍ଦ୍ର’ (ସିଏସ୍ସି/ଏମ୍ଏସ୍କେ) ଗୁଡ଼ିକରେ ବାୟୋମେଟ୍ରିକ ପ୍ରକ୍ରିୟାରେ ସୁଭଦ୍ରା ସହାୟତା ପାଇ ନଥିବା ହିତାଧିକାରୀମାନଙ୍କ ଇ-କେୱାଇସି କରାଯିବ। ଏହି କେନ୍ଦ୍ରଗୁଡ଼ିକର କର୍ମଚାରୀ ସେମାନଙ୍କୁ ଟେଲିଫୋନ କରି ବାୟୋମେଟ୍ରିକ ପଦ୍ଧତିରେ ଇ-କେୱାଇସି କରିବାକୁ ପରାମର୍ଶ ଦେବେ।
ଏହାସହ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧କୋଟି ୬ଲକ୍ଷ ୨୪ହଜାର ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କଲେଣି। ଏଯାବତ୍ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୫୨ଟି ଜନ ସେବା କେନ୍ଦ୍ରକୁ କଳା ତାଲିକାଭୁକ୍ତ କରାଯାଇଥିବାବେଳେ ବେଆଇନ ଭାବେ ହିତାଧିକାରୀଙ୍କ ଠାରୁ ଟଙ୍କା ଦାବି କରିବା ଅଭିଯୋଗରେ ୧୪ଟି ଜନ ସେବା କେନ୍ଦ୍ର ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଅନେକ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାହାରି ଯିବା ପାଇଁ ଦରଖାସ୍ତ ଦେଇଛନ୍ତି। କିନ୍ତୁ ଅନେକ ଆବେଦନକାରୀ ଭୁଲ୍ରେ ଏହି ଦରଖାସ୍ତ ଦେଇଛନ୍ତି ବୋଲି ଆମର ବହୁ ଅଭିଯୋଗ ହସ୍ତଗତ ହୋଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ସମସ୍ୟାକୁ ତର୍ଜମା କରି ‘ବାହାରି ଯିବା’ (ଅପ୍ଟ ଆଉଟ୍) ବିକଳ୍ପ ବ୍ୟବସ୍ଥାକୁ ସୁଭଦ୍ରା ପୋର୍ଟାଲରେ ବନ୍ଦ କରାଯାଇଛି। ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ବିଭାଗ ପକ୍ଷରୁ କୁହାଯାଇଛି ଯେ ଇ-କେୱାଇସି ହୋଇନଥିବା କିମ୍ବା ଓଟିପି ମାଧ୍ୟମରେ ଇ-କେୱାଇସି ହୋଇଥିବା ସମସ୍ତ ହିତାଧିକାରୀଙ୍କର ବିସ୍ତୃତ ତାଲିକା ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ଅଛି। ହିତାଧିକାରୀମାନେ ମଧ୍ୟ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ଅଫିସରେ ଥିବା ହେଲ୍ପ ଡେସ୍କ ମାଧ୍ୟମରେ ଏହି ତଥ୍ୟ ପାଇପାରିବେ।
ବାୟୋମେଟ୍ରିକ୍ ପ୍ରକ୍ରିୟାରେ ଇ-କେୱାଇସି କରାଇବା ନିମନ୍ତେ ସେମାନଙ୍କୁ ସ୍ୱୀକୃତି ରସିଦ କିମ୍ବା ନିଜ ଆଧାର କାର୍ଡ ସାଙ୍ଗରେ ନେଇ ନିକଟତମ ସିଏସ୍ସି/ଏମ୍ଏସ୍କେ କେନ୍ଦ୍ରକୁ ଯିବାକୁ ପଡ଼ିବ। ବାୟୋମେଟ୍ରିକ ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ। ଏଥି ନିମନ୍ତେ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହି କେନ୍ଦ୍ରର ଅଧିକାରୀ ହିତାଧିକାରୀମାନଙ୍କୁ ସ୍ପଷ୍ଟ କରିବେ କି ବାୟୋମେଟ୍ରିକ୍ ପ୍ରକ୍ରିୟାରେ ଇ-କେୱାଇସି ସମ୍ପୂର୍ଣ୍ଣ ହେବାପରେ ହିତାଧିକାରୀମାନେ ନିଜର ବ୍ୟାଙ୍କକୁ ଯାଇ ବ୍ୟାଙ୍କଖାତାକୁ ଆଧାର ସହ ସଂଯୋଗ ଏବଂ ଡିବିଟି ସହ ସଂଯୋଗ କରାଇବେ।